ଆପ୍ ପକ୍ଷରୁ ସମ୍ବିଧାନ ଦିବସ ଓ ଦଳର ୧୫ତମ ସ୍ଥାପନା ଦିବସ ପାଳିତ
ଟାଟା ପାୱାରର ଶୋଷଣ ନୀତି, ସ୍ମାର୍ଟ ମିଟର ଓ ଅତିରିକ୍ତ ବିଦ୍ୟୁତ୍ ଶୁଳ୍କ ଆଦାୟ, କାଟି ଦିଆଯାଇଥିବା ବିଦ୍ୟୁତ ଲାଇନକୁ ପୁନଃ ସଂଯୋଗ ଇତ୍ୟାଦି ଜିଲ୍ଲାପାଳଙ୍କୁ ୪ଦଫା ଦାବିପତ୍ର
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସଙ୍କ ଉପଦେଶରେ ଏବଂ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ୭୭ତମ ସମ୍ବିଧାନ ଦିବସ ଓ ଦଳର ୧୫ତମ ସ୍ଥାପନା ଦିବସ ସହିତ ଜିଲ୍ଲାପାଳଙ୍କୁ ଭେଟି ଟାଟା ପାୱାରର ଶୋଷଣ ନୀତି ବିରୁଦ୍ଧରେ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦଳର କାର୍ଯ୍ୟାଳୟ ଠାରେ କର୍ମୀମାନେ ହରଷୋଲ୍ଲାସରେ ପରସ୍ପରକୁ ଲଡ୍ଡୁ ଖୁଆଇ ସ୍ଥାପନା ଦିବସ ପାଳନ କରିଥିଲେ। ପରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଧୂପଦାନ ଓ ବିଭିନ୍ନ ନାରାବାଜି ଦେଇ ୭୭ତମ ସମ୍ବିଧାନ ଦିବସ ପାଳନ କରିଥିଲେ। ତତ୍ପରେ ଟାଟା ପାୱାରର ଶୋଷଣ ବିରୁଦ୍ଧରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ନାୟକ କହିଥିଲେ ଓଡ଼ିଶାର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ଦାୟିତ୍ୱ ଟାଟା ପାୱାର ହାତକୁ ଯିବା ପରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଉପଭୋକ୍ତା ଓ କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ଏବଂ ଅଭିଯୋଗ ସାମ୍ନାକୁ ଆସୁଛି।ବିଦ୍ୟୁତ୍ ଏକ ଅତ୍ୟାବଶ୍ୟକ ଜନସେବା। ଏହାକୁ କେବଳ ବ୍ୟବସାୟିକ ଲାଭର ମାଧ୍ୟମ ଭାବେ ନୁହେଁ, ବରଂ ସାଧାରଣ ଜନତାଙ୍କ ମୌଳିକ ଆବଶ୍ୟକତା ଭାବେ ବିଚାର କରାଯିବା ଉଚିତ। କିନ୍ତୁ ବର୍ତ୍ତମାନ ବିଦ୍ୟୁତ୍ ଉପଭୋକ୍ତାଙ୍କ ଅଭିଯୋଗ, ଅତିରିକ୍ତ ଆର୍ଥିକ ବୋଝ ଓ କର୍ମଚାରୀଙ୍କ ଅସନ୍ତୋଷ ଏକ ଗୁରୁତର ଜନସମସ୍ୟାର ରୂପ ନେଉଛି। ଜିଲ୍ଲା ଓକିଲ ସଙ୍ଘ ସହିତ ଅନ୍ୟ ରାଜନୈତିକ ଦଳ ଓ ସଂଗଠନ ଦ୍ୱାରା ସ୍ମାର୍ଟ ମିଟରକୁ ବିରୋଧ କରି ଆସୁଛନ୍ତି। କିନ୍ତୁ ଟାଟା ପାୱାର ଚଞ୍ଚକତା କରି ଗାଁ ଗହଳରେ ଗରିବ ଲୋକମାନଙ୍କ ଘରେ ପୂର୍ବରୁ ଥିବା ମିଟର ଜାଗାରେ ଅଧିକାଂଶ ସ୍ମାର୍ଟ ମିଟର ଲଗାଇ ସାରିଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା କହିଥିଲେ ଏହି ସମୟରେ ଟାଟା ପାୱାର କର୍ମଚାରୀ ମାନଙ୍କ ଆନ୍ଦୋଳନ ଫଳରେ ପ୍ରାୟ ଦୁଇ ମାସ ହେଲା ମିଟର ରିଡିଙ୍ଗ ସହିତ ବିଲ୍ ଆଦାୟ ନହେବା ଯୋଗୁଁ ବିଲ୍ ର ତୃତୀୟ ସ୍ଲାବ ଅନେକ ବେଶୀ ହେବ। ଏଥିପାଇଁ ଟାଟା ପାୱାର ଅତିରିକ୍ତ ଦେୟ ଆଦାୟ କରୁଛି। ଗାଁ ଗହଳରେ ଅନେକ ଗରିବ ଆଦିବାସୀ ଲୋକମାନଙ୍କର ବିଦ୍ୟୁତ ସଂଯୋଗ କାଟିଦିଆଯାଇଛି। ଆମ୍ ଆଦମୀ ପାର୍ଟି ଦାବି କରୁଛି, ଉପରୋକ୍ତ ସମସ୍ୟାଗୁଡ଼ିକ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ମିଳିତ ଭାବେ ତଦନ୍ତ କରିବା ସହ ନିମ୍ନଲିଖିତ ଦାବି ଗୁଡିକ ତୁରନ୍ତ ସମାଧାନ କରା ନଗଲେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ। ଦାବି ଗୁଡିକ ମଧ୍ୟରେ ସ୍ମାର୍ଟ ମିଟର ସମ୍ପର୍କରେ ନିରପେକ୍ଷ ତଦନ୍ତ କରାଯାଉ। ସ୍ମାର୍ଟ ମିଟର ସ୍ଥାପନ ପରେ ଅନେକ ଉପଭୋକ୍ତାଙ୍କ ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ତେଣୁ ସ୍ମାର୍ଟ ମିଟରର କାର୍ଯ୍ୟକ୍ଷମତା, ରିଡିଂ ଓ ବିଲ୍ ନିର୍ଦ୍ଧାରଣ ପ୍ରକ୍ରିୟାର ଏକ ସ୍ୱାଧୀନ ତଦନ୍ତ କରାଯାଉ, ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ (ASD) ଆଦାୟର ସମୀକ୍ଷା ସହିତ ସାଧାରଣ ଉପଭୋକ୍ତାଙ୍କଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବାର ନିୟମ, ହିସାବ ଓ ଆଦାୟ ପ୍ରକ୍ରିୟାକୁ ସାର୍ବଜନୀନ କରାଯାଇ ଅଡିଟ କରାଯାଉ। ଯଦି ଆଇନ ଓ ନିୟମ ବାହାରେ କୌଣସି ଅର୍ଥ ଆଦାୟ ହୋଇଛି ତାହା ଫେରସ୍ତ କରାଯାଉ। ୩. ବିଦ୍ୟୁତ୍ ବିଲ୍ରେ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଅସ୍ୱାଭାବିକ ବିଦ୍ୟୁତ୍ ବିଲ୍, ଭୁଲ୍ ମିଟର ରିଡିଂ ଓ ଅଭିଯୋଗର ସମାଧାନ କରାଯାଉ, ୪. ଯେକୌଣସି ବିଦ୍ୟୁତ ବିଭାଗୀୟ ସମସ୍ୟା ପାଇଁ ଜିଲ୍ଲାରେ ଉପଭୋକ୍ତା ସହଯୋଗ ପାଇଁ ମୋବାଇଲ ନମ୍ବର କିମ୍ଵା ସହାୟତା ଯୋଗାଯୋଗ ନମ୍ବର ସାର୍ବଜନୀନ କରାଯାଉ।ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ନହେଲେ ଦଳ ଆନ୍ଦୋଳନାତ୍ମକ ପନ୍ଥା ନିଶ୍ଚୟ ଅବଲମ୍ବନ କରାଯିବ ବୋଲି ଜିଲ୍ଲା କାର୍ଯ୍ୟକାରୀ ସଭାପତି ରମେଶ ପଣ୍ଡା କହିଥିଲେ। ଏହି କାର୍ଯ୍ୟକ୍ରମରେ କବିଜ୍ୟୋତି ନିରଞ୍ଜନ ପତି ସ୍ଵ-ରଚିତ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପ୍ରସନ୍ନ ବରାଳ, ହିନ୍ଦୋଳ ବ୍ଲକ ସଭାପତି ସତ୍ୟନାରାୟଣ ବେହେରା, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ମାୟାଧର ନାଏକ, ଅଭିମନ୍ୟୁ ନାଏକ, ମହିଳା ନେତ୍ରୀ ରୁକ୍ମଣୀ ଦଳେଇ, ଝୁନୁ ଦେହୁରୀ, ବିନୀ ଦେହୁରୀ, ନିରାକାର ସାହୁ, ମହିଉଦ୍ଦିନ ଖାନ୍, ନଗର ଉପସଭାପତି ବିଜୟ କୁମାର ଦାସ, ମଦନ ମୋହନ ବାରିକ, ପିତାମ୍ବର ସାମନ୍ତରାୟ, ବାସୁଦେବ ଦେହୁରୀ, କୁଞ୍ଜବିହାରୀ ଲେଙ୍କା, ପଞ୍ଚୁ ଦେହୁରୀ, କାଳିଆ ଦେହୁରୀ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ।।
ବାଲି ଉଠାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ
ଢେଙ୍କାନାଳ, ୨୬/୧୧ : ବ୍ରାହ୍ମଣୀ ନଦୀରୁ ହାଇୱା ଗାଡିରେ ବାଲି ବୋଝେଇ କରି କନ୍ତିଓପୁଟସାହି ଗ୍ରାମପଂଚାୟତର ବିଭିନ୍ନ ରାସ୍ତା ଦେଇ ପ୍ରତିଦିନ ଯାଉଥୁବାରୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ବାଲି ଉଠାକୁ ସଂପୂର୍ଣ ବନ୍ଦ କରିବାକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ଙ୍କୁ ଗୁହାରୀ ଜଣାଇଛନ୍ତି । ଏଥିରେ ବହୁ ସମସ୍ୟା ଉଲ୍ଲେଖ କରିଛନ୍ତି, ଯଥା-ଗ୍ରାମାଂଚଳ ରାସ୍ତାଗୁଡିକ ହାଲୁକା ଯାନବାହନ ଚଳାଚଳ ପାଇଁ ନିର୍ମାଣ ହୋଇଥିବାରୁ ଅତ୍ୟଧିକ ଓଜନିଆ ହାଇୱା ଗାଡି ଚାଲିବା ଯୋଗୁଁ ପିଚୁ ଓ କଂକ୍ରିଟ୍ ରାସ୍ତା ନଷ୍ଟ ହୋଇ ଖାଲ ସୃଷ୍ଟି ହେଉଅଛି । ନଦୀରୁ ଓଦାବାଲି ବୋଝେଇ ହୋଇ ଯାଉଥିବାରୁ ପାଣି ଝରି ରାସ୍ତାରେ ଜମା ହେବା ଦ୍ବାରା କାଦୁଅ ସୃଷ୍ଟି ହେଉଅଛି । ଗ୍ରାମରାସ୍ତାଗୁଡିକ ଅଣଓସାରିଆ ଥୁବାରୁ ବୀପରିତ ଦିଗରୁ ଆସୁଥିବା ବାଇକ୍ କିମ୍ବା ଚାରିଚକିଆ ଯାନ ଯାତାୟତରେ ଅସୁବିଧା ହେବା ସହ ଦୁର୍ଘଟଣା ମଧ୍ଯ ଘଟୁଛି । ରାସ୍ତାର ଉଭୟ ପାର୍ଶ୍ଵରେ ଘର ଥିବାରୁ ଲୋକମାନେ ଚଳପ୍ରଚଳ କରିବାକୁ ବିପଦପୂର୍ଣ ମଣୁଛନ୍ତି, ଗ୍ରାମବାସୀମାନେ ଚାଷବାସ ପାଇଁ ବିଲକୁ ଯିବା, ପିଲାମାନେ ବିଦ୍ୟାଳୟକୁ ଯିବା, ମନ୍ଦିରକୁ ଯିବା, ଗାଈଗୋରୁ ନେବା ଆଣିବାରେ ଅସୁବିଧା ଉପୁଜୁଛି । ସବୁବେଳେ ହାଇୱା ଗାଡି ଚଳପ୍ରଚଳ କରୁଥିବାରୁ ପ୍ରଚଣ୍ଡ ଓ ବିକଟାଳ ଶବ୍ଦ ଯୋଗୁଁ ଶ୍ରବଣ ଜନିତ ସମସ୍ୟା ଓ ରାତ୍ରି ସମୟରେ ନିଦ୍ରା ବ୍ୟାଘାତ ହେଉଅଛି । ବାଲି ଘାଟ ଠାରୁ ଉଭୟ ପାର୍ଶ୍ବରେ ଧାନକ୍ଷେତ ଥୁବାରୁ ବାଲିପଡି ଚାଷ ତାହା ନଷ୍ଟ ହେଉଅଛି । ବାଲିଘାଟ ନଦୀ କୂଳରେ ଶୈବପୀଠ ଥିବାରୁ ଝିଅବୋହୁମାନେ ମନ୍ଦିର ଯିବାରେ ଅସାମାଜିକ ଓ ନିଶାସକ୍ତ ବ୍ୟକ୍ତିମାନଙ୍କ ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ବିଷୟରେ ପୂର୍ବରୁ ବହୁବାର ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ତାହା ସମାଧାନ ହୋଇପାରୁ ନାହିଁ । ତେଣୁ ଉକ୍ତ ବାଲିଉଠାକୁ ସମ୍ପୂର୍ଣ ବନ୍ଦ କରିବାକୁ ଗ୍ରାମର ରାଜକିଶୋର ସାହୁ, ବିକ୍ରମାଦିତ୍ୟ ପଣ୍ଡା, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରଦୀପ ଦଳେଇ, ରୁଦ୍ର ନାରାୟଣ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଯଦି ଏହା ସମାଧାନ ନହୁଏ ତେବେ ଆଗକୁ ରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

