ଅଗଷ୍ଟ ସୁଦ୍ଧା ଦେଶରେ ଆରମ୍ଭ ହୋଇପାରେ ୫-ଜି ଟେଲିକମ ସେବା
ପ୍ରଥମ ପର୍ୟ୍ୟାୟରେ ଭାରତର ଏହି ୧୩ଟି ସହରକୁ ମିଳିବ ୫ଜି ସେବା । ହେଲେ ଭୁବନେଶ୍ବରରେ ବା ଓଡ଼ିଶାର କୌଣସି ସହର ଏହି ୧୩ଟି ସହର ମଧ୍ୟରେ ନାହିଁ ବୋଲି ଜଣା ପଡ଼ିଛି। ଯେଉଁ ୧୩ଟି ସହରକୁ ପ୍ରଥମେ ୫ଜି ସେବା ଯୋଗାଇ ଦିଆଯିବ ସେଥିରେ ଅଛନ୍ତି, ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡୀଗଡ଼, ଦିଲ୍ଲୀ, ଜାମନଗର, ଅହମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେ ଏବଂ ଗାନ୍ଧିନଗର। ତେବେ ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟ ଅପ (ପରୀକ୍ଷାମୂଳକ ବ୍ୟବସ୍ଥା) ସ୍ଥାପନ କରିଛନ୍ତି ।
ସରକାର ମଧ୍ୟ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ନୀତି (ପିଏଲଆଇ) ମାଧ୍ୟମରେ ମୋବାଇଲ ଫୋନ, ଟେଲିକମ ସାମଗ୍ରୀ ଓ ସେମିକଣ୍ଡକ୍ଟର ନିର୍ମାଣକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ଉଦ୍ୟମ ଦେଶରେ ୫ଜି ସେବା ପ୍ରବର୍ତ୍ତନ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏ କ୍ଷେତ୍ରରେ ଚାଲିଥିବା ନିରନ୍ତର ପ୍ରୟାସ ଭାରତକୁ ଯେ ଶୀଘ୍ର ବିଶ୍ୱର ଅନ୍ୟତମ ପ୍ରମୁଖ ୫ଜି ଟେକ୍ନୋଲୋଜି ଓ ଆଗାମୀ ୬ଜି ଟେକ୍ନୋଲୋଜି ରାଷ୍ଟ୍ରର ମାନ୍ୟତା ଦେବ ଏଥିରେ ସଂଦେହ ନାହିଁ ।
ଦେଶରେ ଆସନ୍ତା ଅଗଷ୍ଟ ସୁଦ୍ଧା ୫-ଜି ସେବା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ଟେଲିକମ ସଚିବ କେ.ରାଜାରମଣ କହିଛନ୍ତି । ସେ କହିଛନ୍ତି ଯେ ଜୁଲାଇରେ ୫-ଜି ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ଅଗଷ୍ଟ ବେଳକୁ ୫-ଜି ସେବା ଆରମ୍ଭ ହେବ । ୫-ଜି ସେବା ଆରମ୍ଭ ହେବା ପରେ ଦେଶରେ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ହୋଇପାରିବ ।ଟେଲିକମ ବିଭାଗର ଗବେଷଣା ସଂସ୍ଥା ସି-ଡଟ୍ ପକ୍ଷରୁ ୫-ଜି ସେବା ପାଇଁ ଏକ ଓପନ ରେଡିଓ ଆକସେସ ନେଟଓ୍ବାର୍କ (ଓରାନ) ଟେକନଲୋଜୀର ବିକାଶ କରାଯାଉଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର କ୍ୟାବିନେଟ୍ ଦେଶରେ ୫-ଜି ସ୍ପେକ୍ଟ୍ରମ ନିଲାମକୁ ସବୁଜ ସଂକେତ ଦେଇଥିଲା । ଏହି ସ୍ପେକ୍ଟ୍ରମ୍ ୨୦ ବର୍ଷିଆ ଅବଧି ପାଇଁ ଦିଆଯିବ। ପ୍ରାଇଭେଟ୍ କ୍ୟାପ୍ଟିଭ୍ ନେଟ୍ୱର୍କ ପାଇଁ ମଧ୍ୟ ସ୍ପେକ୍ଟ୍ରମ୍ ନିଲାମ କରାଯିବ। ଜୁଲାଇ ମାସ ଶେଷ ସୁଦ୍ଧା ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ୍ ନିଲାମ ପାଇଁ ଉପଲବ୍ଧ କରାଯିବ। ବିଭିନ୍ନ ବ୍ୟାଣ୍ଡ୍ରେ ଏହି ସ୍ପେକ୍ଟ୍ରମ ନିଲାମ ଅନୁଷ୍ଠିତ ହେବ। ସେହି ବ୍ୟାଣ୍ଡ୍ଗୁଡ଼ିକ ହେଉଛି ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩ ମେଗାହର୍ଜ। ୩୩ ମେଗାହର୍ଜର ମଧ୍ୟମ ଓ ୨୩ ଗିଗାହର୍ଜର ଉଚ୍ଚ ବ୍ୟାଣ୍ଡ୍ର ସ୍ପେକ୍ଟ୍ରମ୍ ମଧ୍ୟ ନିଲାମ କରାଯିବ । ସ୍ପେକ୍ଟ୍ରମ ଦର ହ୍ରାସ ପାଇଁ ଟେଲିକମ କମ୍ପାନିମାନେ ସରକାରଙ୍କୁ ଅନୁରୋଧ କରିଥିଲେ ବି ସରକାର ତାହାକୁ ଗ୍ରହଣ କରିନାହାନ୍ତି ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….