ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଗଡ଼ିବ ରଥ

    ଗଡ଼ିବ ରଥ

    ଅପର୍ତ୍ତି ସେଠୀ

 

ଗଡିବ ରଥ ଉଡିବ ନେତ

       ଚାହିଁ ଅଛନ୍ତି ଭକ୍ତ,

ଭାଇ ଭ‌ଉଣୀ ସଙ୍ଗତେ ଘେନି

       ଆସିବେ ଜଗନ୍ନାଥ।

ତିନି ଠାକୁର ଅତି ସୁନ୍ଦର

       ସୁନ୍ଦର ତିନି ରଥ,

କେଡେ ସୁନ୍ଦର ଦୟଣା‌ ମାଳ

       ସୁନ୍ଦର ରଥଯାତ।

ପିନ୍ଧି ଟାହିଆ‌ ହେବେ ବାଇଆ

       ଭକତ ପ୍ରେମେ ପଡ଼ି,

ରସିକ ରଜା କରିବ ମଜା

       ଓଠରେ ହସ ଭରି।

ଘଣ୍ଟ କାହାଳୀ ମୃଦଙ୍ଗ ତୂରୀ

        ଶବଦ କମ୍ପମାନ,

ଓଡ଼ିଶୀ ନାଚ ଦେଖିବ ନାଥ

        ଖୁସି କରିବ ମନ।

କର୍ମବେଦୀରୁ‌ ଜନମ‌ ବେଦୀ

       କରିବେ ପ୍ରଭୁ ବିଜେ,

ମନ ଉଚ୍ଛନ୍ନ ଚକାନୟନ

       ଅଧିର ଆଜି ନିଜେ।

ମାଉସୀ ଘର ଯିବେ ଠାକୁର

       ଖାଇବେ ପୋଡ଼ ପିଠା,

ଗୁଣ୍ଡିଚା ମାଆ ଚାହିଁଛି ଯାହା

       କହିବ ମିଠା କଥା।

ବଡ଼ଦାଣ୍ଡରେ ଭାବ ପ୍ରେମରେ

       ଭକତ ଭଗବାନ,

ମହା ମିଳନ ଦେଖି ନୟନ

       ଧନ୍ୟ ହୋଇବ ପ୍ରାଣ।

ଭକ୍ତ ବତ୍ସଳ କଳା ଠାକୁର

       ଭକତେ କରି କୋଳ,

ଭୂଜ ଟେକିବେ କୃପା କରିବେ

        ପାପ ହୋଇବ ଦୂର।

ରଥ ପ୍ରସ୍ତୁତ ପଥ ପ୍ରସ୍ତୁତ

        ପ୍ରସ୍ତୁତ ବଡ଼ ଦାଣ୍ଡ,

ସରଗୁଁ ଦେବ ହେଲେଣି ରୁଣ୍ଡ

       ନୁଆଁଇଲେଣି ମୁଣ୍ଡ।

ଚାହିଁ ଅଛନ୍ତି ହାତକୁ ପାତି‌

      ସଚରାଚର ପ୍ରାଣୀ,

ପହଣ୍ଡି ହୋଇ ଆସେ କହ୍ନେଇ‌

      ଆନନ୍ଦେ ଝୁଲିଲାଣି।

ମନ ସରାଗ ଖାଇବ ଭୋଗ

       ଭୁଜ ସେ ଟେକିଥିବ,

ବାମନ ରୂପ ଦେଖି ଭକତ

      ଭବୁଁ‌ ନିସ୍ତରୀ ଯିବ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

ବେଣୁଧର ସୂତାର ଙ୍କ କବିତା ନୀଳ ନିଶୀଥର ସ୍ଵପ୍ନ

Sunil Chandra Nayak

ଲଡୁଗାଁ କଲେଜରେ ସମ୍ବିଧାନ ଦିବସ ପାଳନ

Sunil Chandra Nayak

ନିଃଶୁକ୍ଳ ଶ୍ରବଣ ଯାଞ୍ଚ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!