ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ କୁମାର ମିଶ୍ର  ଙ୍କ କବିତା ଏବେ ବି ତୁମେ ମୋ ମନ ଶ୍ରାବଣୀ

ଏବେ ବି ତୁମେ ମୋ ମନ ଶ୍ରାବଣୀ

ପ୍ରକାଶ କୁମାର ମିଶ୍ର 

ଏବେ ବି ତୁମେ ମୋ ମନ ଶ୍ରାବଣୀ
ଆକାଶରେ ଥାଇ ବରଷ ପାଣି ।
ତୁମେ ମୋ ମନର ବରଷା ରାଣୀ
ଶେଷ ଜୀବନର ଆଶା ଶ୍ରାବଣୀ ।।
ଏବେ ବି ତୁମେ ମୋ ମନ ଶ୍ରାବଣୀ ।।
ଟୁପୁରୁ ଟାପୁରୁ କଥା ହେଲାପରି
ଟିପିରି ଟିପିରି ଟିପିରି ପାଣି ।
ଝୁମୁରୁ ଝୁମୁରୁ ଝୁମୁକା ଶବଦେ
ଝୁପୁରୁ ଝୁପୁରୁ ଝରା ଶ୍ରାବଣୀ ।।
ଏବେ ବି ତୁମେ ମୋ ମନ ଶ୍ରାବଣୀ ।।
ତୁମେ ମୋ ମନର ଭସା ବାଦଲ
ଶୂନ୍ୟ ଆକାଶରେ ଭସାଇ ବୁଲ ।
ଟିକେ ଛାଇ ଟିକେ ଆଲୁଅ ଆଣି
ଦୁଃଖ ସୁଖ ଦେଇ ନେଉଛ ଟାଣି ।।
ଏବେ ବି ତୁମେ ମୋ ମନ ଶ୍ରାବଣୀ ।।
 ନିର୍ମଳ ଝର ମୋ ଝରଣା ରାଣୀ
 ଉପଳ ଛାତିର ଶୀତଳ ପାଣି ।
 ପଥର ହୃଦର ମଧୁ ଯାମିନୀ 
 ଗରଳ ମନର ପୀୟୂଷ ବାଣୀ ।।
ଏବେ ବି ତୁମେ ମୋ ମନ ଶ୍ରାବଣୀ ।।
ଦୁଃଖ ଜୀବନର ଆଶା ଶ୍ରାବଣୀ
ସୁଖ ଚାରାର ମୋ ଜୀବନ ପାଣି ।
ଅଭାବ ମନର ଭାବ କାମିନୀ 
ସ୍ନେହ ସମ୍ପର୍କର ପ୍ରେମ ବନ୍ଧନୀ ।
ଏବେ ବି ତୁମେ ମୋ ମନ ଶ୍ରାବଣୀ ।।
ତୁମେ ମୋ ଜୀବନେ ଶୀତଳ କନ୍ୟା
କ୍ରୋଧରେ ତ ତୁମେ ଶ୍ରାବଣ ବନ୍ୟା ।
ଭାଗ୍ୟ ଡୋରି ତୁମେ ମୋର ଅନନ୍ୟା
ସୁଖେ ହସି ଦୁଃଖେ ଝରାଅ ପାଣି ।
ଏବେ ବି ତୁମେ ମୋ ମନ ଶ୍ରାବଣୀ ।।
ତୁମେ ମୋ ଶ୍ରାବଣୀ ସୁଖର ଚାନ୍ଦ ।
ରିମ୍ ଝିମ୍ କରି ଦିଅ ଶବଦ ।
ସାଇଁ ସାଇଁ ସାଇଁ ପବନ ସାଥିରେ
ନୀଳ ନୟନରୁ ଝରାଅ ବୁନ୍ଦ ।
ଭରିଦିଅ ମୋର ମନ ତଟିନୀ ।
ଏବେ ବି ତୁମେ ମୋ ମନ ଶ୍ରାବଣୀ ।।
ମନ ଶ୍ରାବଣୀ ଗୋ ମୋ ଅଭିମାନୀ
ମନେ ଭରି ଦେଲ ମନେ ବିଷାଦ ।
ଝାଉଁଳି ଯାଉଛି ମନ କୁମୁଦ 
କୁମୁଦ କି ବଞ୍ଚେ ନପାଇ ପାଣି ।।
ହସି ହସାଅ ମୋ ମନର ରାଣୀ ।
ଏବେ ବି ତୁମେ ମୋ ମନ ଶ୍ରାବଣୀ ।।
ପ୍ରକାଶ କୁମାର ମିଶ୍ର 

Related posts

ରେଙ୍ଗାଳପାଲି ଠାରେ କରଣ ସମାଜର ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ

Sunil Chandra Nayak

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

Sunil Chandra Nayak

ପ୍ରଣତି ମହାପାତ୍ର ଙ୍କ କବିତା ଜୟ ବିନାୟକ

Sunil Chandra Nayak

Leave a Comment

error: Content is protected !!