ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

ଗୀତାଞ୍ଜଳି ପୃଷ୍ଟି

ଋତୁ ଚକ୍ରର ଦ୍ୱିତୀୟ ସ୍ତବକ
ବର୍ଷା ଆସିଛି ଧୀରେ
ବଜାଇ ମାଦଳ ଭସାଇ ବାଦଲ
ଶୁଭ୍ର ନୀଳ ଅମ୍ବରରେ |
ନଭ ନୀଳିମାର ନୟନ ଯୁଗଳୁ
ସତେକି ଝରୁଛି ଜଳ
ସିକ୍ତ କରୁଛି ବସୁମତୀ ମାତା
ସୁଶୀତଳ ଅନ୍ତଃ ସ୍ଥଳ |
ଆସିଛି ବର୍ଷା ଆଦ୍ୟ ଆଷାଢ଼ରେ
ଗିରି, ବନ, ନଦୀ ନାଳେ
ବର୍ଷା ଆସିଛି ପୁଷ୍ପ ଵାଟିକାରେ
ଭିଜୁଛି ସ୍ନିଗ୍ଧ ଜଳେ |
ବର୍ଷା ଜଳର ପହିଲି ପରଶେ
ମାଟିର ସୁଗନ୍ଧେ ହଜି
ପୁଲ୍ଲକେ ପୁଲ୍ଲକେ ପଲ୍ଲବିତ ହେଲେ
ପାଦପେ ପତ୍ର ରାଜି |
ତପ୍ତ ଧରଣୀ ଉର୍ବରା ହେଲା
ହସିଲା ଶସ୍ୟ କ୍ଷେତ
ଧାନ୍ୟ ପତ୍ରରେ ଶୀତଳ ସମୀର
ହେଲା ଯହିଁ ପ୍ରବାହିତ |
ରୌଦ୍ରର ଅନ୍ତେ ବର୍ଷା ଆସିଛି
ଅସହ୍ୟ ଯନ୍ତ୍ରଣା ପରେ
ଅଂଶୁଘାତରୁ ମୁକୁଳି ମଣିଷ
ହସୁଛି ତୃପ୍ତି ଭରେ |
ବର୍ଷା ଆସିଛି ମଣ୍ଡୁକ ରଡ଼ିରେ
ଝିଙ୍କାରିର କଟୁ ସ୍ଵରେ
ସବୁଜ ବସ୍ତ୍ରରେ ହସୁଛି ଧରଣୀ
ଦୋଳୟିତ ସୁଷମାରେ |
କ୍ରୀଡା ପ୍ରାନ୍ତରେ ଆସିଛି ବର୍ଷା
ଖେଳିବ ପିଲାଙ୍କ ସାଥେ
ଭସାଇ ଖୁସିରେ କାଗଜ ଡଙ୍ଗା
ଚାଲିବେ ସଜଳ ପଥେ |
ଚାରୁ ଚନ୍ଦ୍ରୟିତ ଚକ୍ଷୁରେ ଚାତକ
ଚାହିଁଛି ଚକିତ ହୋଇ
ବୃଷ୍ଟି ଜଳରେ ମେଣ୍ଟାଇବ ତୃଷ୍ଣା
ମିଳନ ସଙ୍ଗୀତ ଗାଇ |
ଗିରି ଶିଖରରେ ଶିଖି ନାଚୁଅଛି
ଦେଖି ମେଘ ଆଗମନ
ଖୁସିର ମୁହୂର୍ତ୍ତ କରୁଛି ସ୍ୱାଗତ
ଆସ ଆହେ ପ୍ରିୟ ଘନ |
ଇନ୍ଦ୍ରଧନୁର ସପ୍ତ ରଙ୍ଗରେ
ରଙ୍ଗାୟିତ ହେବ ଧରା
ଚମକି ଚପଳା ବଜ୍ର ନିନାଦେ
ହେବ ପୁଣି ଆତ୍ମହରା |
ଏମିତି ବରଷା ଝରି ପଡୁଅଛି
ପତ୍ର ଗହଳି ମାଳେ
ଝରି ବି ପଡୁଛି ଓଳିରୁ ଆମ୍ବୁଦ
ଝରୁଛି ନିର୍ଝର ଜଳେ |
ବୃଷ୍ଟି ଜଳର ଧାରଟିଏ ଯେବେ
ଧରାପରେ ଯାଏ ବହି
ସପନ ବଣିକ ସ୍ମୃତି ସାଗରରେ
ଆସେ ମନ ତରୀ ବାହି |
ନିୟୁତ ପ୍ରାଣର ପ୍ରୀତି ପ୍ରତିଶ୍ରୁତି
କଳ୍ପନା କଟାକ୍ଷ ରାଜି
ମଉସୁମୀ ଅବା କାଳ ବୈଶାଖୀରେ
ପଡୁଛିକି ସତେ ଭାଜି |
ବର୍ଷା ଆଣିଛି ଦୈନ୍ୟତା କା’ର
ଭଗ୍ନ କୁଟୀର ଠାରେ
ଦୁଃଖୀ ନିଆଶ୍ରୀର ଚୁଲିରେ ପ୍ରବେଶି
କେବେ ପୁଣି ବ୍ୟଙ୍ଗ କରେ |
ଏମିତି ବରଷା ଦୁଃଖ ସୁଖ ନେଇ
ଆସି ପୁଣି ଯାଉଥିବ
ଅପେକ୍ଷା ରେ ତାର ରହିବୁ ବରଷେ
ଆଗମନେ ଅନ୍ତ ହେବ |
ପ୍ରଧାନ ଶିକ୍ଷୟିତ୍ରୀ,
ସଫିପୁର ପ୍ରାଥମିକ ବିଦ୍ୟାଳୟ, କଟକ ସଦର

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ପୁରୁଷ

Sunil Chandra Nayak

ୱାରାଂଚିତି ପ୍ରବର୍ତ୍ତକ ଗୁରୁ ଲାକୋ ବୋଦ୍ରାଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରା ରେ ବାର୍ଷିକୀ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!