ଶ୍ରାବଣ
ଚନ୍ଦ୍ରକଳା ଦେବୀ
ଶ୍ରାବଣ ଆସନ୍ତେ ଧରଣୀ ବକ୍ଷରେ
ହସ ଖୁସି ଯାଏ ଭରି,
ଶୁଷ୍କ ନଦ ନଦୀ ଗାଡ଼ିଆ ପୋଖରୀ
ପାଣିରେ ଯାଏତ ପୂରି ||
ଲାଲ ଟୁକୁ ଟୁକୁ ସାଧବ ବୋହୂଟି
ମଥାରେ ଓଢଣୀ ଦେଇ,
ସବୁଜ ରଙ୍ଗର ଦୁବ ଘାସ ପରେ
ଚାଲେ ଥିରି ଥିରି ହୋଇ ||
ଝର ଝର ବର୍ଷା ଆକାଶ ମାର୍ଗରୁ
ପ୍ରୀତିର ଅମୃତ ଧାରା,
ସୁଲୁ ସୁଲୁ ବାଆ ବହି ଆସି ଥାଏ
ପୁଲକିତ ବସୁନ୍ଧରା ||
କଳାମେଘ ଦେଖି ପୁଚ୍ଛମେଲି ନାଚେ
ଆତ୍ମହରା ହୋଇ କେକୀ,
ସପ୍ତ ରଙ୍ଗଧାରୀ ଇନ୍ଦ୍ରଧନୁ ଶୋଭା
ଉଲ୍ଲସିତ ସର୍ବେ ଦେଖି ||
ଶ୍ରାବଣ ମାସରେ ଚିତାଲାଗି ପର୍ବ
ରକ୍ଷା ବନ୍ଧନ ଝୁଲଣ,
ଶ୍ରାବଣ ମାସଟି ମହାଦେବଙ୍କର
ପ୍ରିୟମାସ ଭାଇ ଜାଣ ||
ଶ୍ରାବଣ ମାସରେ ଶଇବ ପୀଠରେ
କାଉଡିଆଙ୍କର ଭିଡ଼,
କାନ୍ଧେ ଜଳଭାର ଶିବଙ୍କ ଚିନ୍ତନେ
ଚାଲିଥାନ୍ତି ବର୍ଷା ଝଡ଼ ||
ଶ୍ରାବଣ ଆସିଲେ ଚାଷୀ ମନ ଖୁସି
ଦିନ ସାରା ତା’ର କାମ,
ଲହୁଲୁହ ଢାଳି ଫଳାଏ ଫସଲ
ଦେଶ ମେରୁଦଣ୍ଡ ଜାଣ ||
ଶ୍ରାବଣ ମାସରେ ପିଲା ମନ ଖୁସି
ପାଣିରେ ଭସାଏ ଡ଼ଙ୍ଗା,
ଅଗଷ୍ଟ ପନ୍ଦର ପାଳନ କରନ୍ତି
ଉଡାନ୍ତି ଜାତୀୟ ଧ୍ବଜା ||
ବର୍ଷାରାଣୀ ପରା ଶ୍ରାବଣୀର ମିତ
ହସୁଥାଏ ମନ ଖୋଲି,
ଜଗତ ମଙ୍ଗଳେ ଶ୍ରାବଣ ଆଗତ
ଖେଳୁଥାଏ ଲୁଚକାଳି ||
ଧନ୍ୟ ତୁ ଶ୍ରାବଣ ଧନ୍ୟତୋ ମହିମା
ସଦା ପର ଉପକାରେ,
ଅନ୍ତର ବେଦନା ମନ ମଧ୍ୟେ ଚାପି
ବୁହାଏ ଲୋତକ ଧାରେ ||
ସେ ଲୋତକ ଧାର ମଙ୍ଗଳ ଧାରାର
ସୁଖ ଐଶ୍ଚର୍ଯ୍ୟରେ ଭରା,
ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ହୋଇ
ହସୁଥାଏ ବସୁନ୍ଧରା ||
ବନ୍ଧୁଗାଁ,କୋରାପୁଟ