ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ଶ୍ରାବଣ

ଶ୍ରାବଣ

ଚନ୍ଦ୍ରକଳା ଦେବୀ

ଶ୍ରାବଣ ଆସନ୍ତେ ଧରଣୀ ବକ୍ଷରେ
ହସ ଖୁସି ଯାଏ ଭରି,
ଶୁଷ୍କ ନଦ ନଦୀ ଗାଡ଼ିଆ ପୋଖରୀ
ପାଣିରେ ଯାଏତ ପୂରି ||
ଲାଲ ଟୁକୁ ଟୁକୁ ସାଧବ ବୋହୂଟି
ମଥାରେ ଓଢଣୀ ଦେଇ,
ସବୁଜ ରଙ୍ଗର ଦୁବ ଘାସ ପରେ
ଚାଲେ ଥିରି ଥିରି ହୋଇ ||
ଝର ଝର ବର୍ଷା ଆକାଶ ମାର୍ଗରୁ
ପ୍ରୀତିର ଅମୃତ ଧାରା,
ସୁଲୁ ସୁଲୁ ବାଆ ବହି ଆସି ଥାଏ
ପୁଲକିତ ବସୁନ୍ଧରା ||
କଳାମେଘ ଦେଖି ପୁଚ୍ଛମେଲି ନାଚେ
ଆତ୍ମହରା ହୋଇ କେକୀ,
ସପ୍ତ ରଙ୍ଗଧାରୀ ଇନ୍ଦ୍ରଧନୁ ଶୋଭା
ଉଲ୍ଲସିତ ସର୍ବେ ଦେଖି ||
ଶ୍ରାବଣ ମାସରେ ଚିତାଲାଗି ପର୍ବ
ରକ୍ଷା ବନ୍ଧନ ଝୁଲଣ,
ଶ୍ରାବଣ ମାସଟି ମହାଦେବଙ୍କର
ପ୍ରିୟମାସ ଭାଇ ଜାଣ ||
ଶ୍ରାବଣ ମାସରେ ଶଇବ ପୀଠରେ
କାଉଡିଆଙ୍କର ଭିଡ଼,
କାନ୍ଧେ ଜଳଭାର ଶିବଙ୍କ ଚିନ୍ତନେ
ଚାଲିଥାନ୍ତି ବର୍ଷା ଝଡ଼ ||
ଶ୍ରାବଣ ଆସିଲେ ଚାଷୀ ମନ ଖୁସି
ଦିନ ସାରା ତା’ର କାମ,
ଲହୁଲୁହ ଢାଳି ଫଳାଏ ଫସଲ
ଦେଶ ମେରୁଦଣ୍ଡ ଜାଣ ||
ଶ୍ରାବଣ ମାସରେ ପିଲା ମନ ଖୁସି
ପାଣିରେ ଭସାଏ ଡ଼ଙ୍ଗା,
ଅଗଷ୍ଟ ପନ୍ଦର ପାଳନ କରନ୍ତି
ଉଡାନ୍ତି ଜାତୀୟ ଧ୍ବଜା ||
ବର୍ଷାରାଣୀ ପରା ଶ୍ରାବଣୀର ମିତ
ହସୁଥାଏ ମନ ଖୋଲି,
ଜଗତ ମଙ୍ଗଳେ ଶ୍ରାବଣ ଆଗତ
ଖେଳୁଥାଏ ଲୁଚକାଳି ||
ଧନ୍ୟ ତୁ ଶ୍ରାବଣ ଧନ୍ୟତୋ ମହିମା
ସଦା ପର ଉପକାରେ,
ଅନ୍ତର ବେଦନା ମନ ମଧ୍ୟେ ଚାପି
ବୁହାଏ ଲୋତକ ଧାରେ ||
ସେ ଲୋତକ ଧାର ମଙ୍ଗଳ ଧାରାର
ସୁଖ ଐଶ୍ଚର୍ଯ୍ୟରେ ଭରା,
ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ହୋଇ
ହସୁଥାଏ ବସୁନ୍ଧରା ||

ବନ୍ଧୁଗାଁ,କୋରାପୁଟ

Related posts

ବିଦ୍ୟୁତ ବିଲ୍ ବକେୟା ଯୋଗୁଁ ଲଇତରାରେ ପାନୀୟ ଜଳ ଯୋଗାଣ ବନ୍ଦ

Sunil Chandra Nayak

ଜଙ୍ଗଲରେ ଭାଲୁ ମଣିଷ ମୁହାଁମୁହିଁ, ଭାଲୁ ସହ ତିନି ମୃତ, ଦୁଇ ଗୁରୁତର

Sunil Chandra Nayak

ଢେଙ୍କାନାଳରେ ପୁଲିସ ଶହୀଦ୍ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!