ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି : ରାଧାମୋହନ ପୂଜାହାରୀ ଙ୍କ କବିତା ଶୁଣ ସରକାର !

  ଶୁଣ ସରକାର !

କ’ଣ ବା କହିବି ସରକାର ତୁମ  
ଓଡ଼ିଶା ଶାସନ ନୀତି !
ଅସହ୍ୟ ହେଉଛି ଦେଖି ଶୁଣି ତୁମ  
ପୂର୍ବାଞ୍ଚଳ ପ୍ରିୟା-ପ୍ରୀତି l *(୧)*
ଉଚ୍ଚ ନ୍ୟାୟାଳୟ କଟକେ ରଖିଲ  
ସବୁ ଓଡ଼ିଆଙ୍କ ପାଇଁ,
ଅଭାବେ ଥାଇ ବି ନ୍ୟାୟ ପାଇଁ ଲୋକେ 
ଆସନ୍ତି ଏଠାକୁ ଧାଇଁ l *(୨)*
କୋରାପୁଟ କଳାହାଣ୍ଡି ବଲାଙ୍ଗୀର 
ବଉଦ ସମ୍ବଲପୁର,
କଟକ ନଗରୁ ଏ ସବୁ ସହର 
ଶହ ଶହ କୋଶ ଦୂର l *(୩)*
ପଶ୍ଚିମ ଓଡ଼ିଶା ଲୋକଙ୍କ ଦୁର୍ଦ୍ଦଶା 
ନ କହିବା ଏଠି ଭଲ,
ନ୍ୟାୟ ପାଇଁ କଟକକୁ ଧାଇଁ-ଧାଇଁ
ହେଉଛନ୍ତି କଲବଲ l *(୪)*
କେବିକେର ଉନ୍ନୟନ ପରିଷଦ 
ଗଢ଼ି ଦେଲ ଓଡ଼ିଶାରେ,
କିନ୍ତୁ ମୁଖ୍ୟାଳୟ ରଖିଲ ଆଣିକି  
ରାଜଧାନୀ ଇଲାକାରେ l *(୫)*
ଚାକିରିଆ ଅବା ଦିନ ମଜୁରିଆ 
ହେଉ ବା ଶ୍ରମିକ ଚାଷୀ,
ନ୍ୟାୟ ପାଇଁ ଲଢ଼େ ପଶ୍ଚିମାଞ୍ଚଳରୁ 
କଟକ ନଗରେ ଆସି l *(୬)*
ପଶ୍ଚିମାଞ୍ଚଳରେ ହାଇକୋର୍ଟ ବେଞ୍ଚ୍‌ 
ସ୍ଥାପନ କରିବା ପାଇଁ,
କହି କହି ଲୋକେ ଥକି ସାରିଲେଣି 
ଧୈର୍ଯ୍ୟ ଆଉ ତାଙ୍କ ନାହିଁ l *(୭)*
ଦୀର୍ଘଦିନ ଧରି ସ୍ଥାୟୀ ବେଞ୍ଚ୍‌ ପାଇଁ
ଲୋକେ କରୁଛନ୍ତି ଦାବି,
କିନ୍ତୁ ଦୁଃଖ ଲାଗେ ତୁମ ତାଙ୍କ ପ୍ରତି 
ଅଣଦେଖା କଥା ଭାବି l *(୮)*
ଆମ ଦେଶେ ହାଇକୋର୍ଟ ବେଞ୍ଚ୍‌ ହେବା 
କିଛି ନୂଆ କଥା ନୁହଁ,
ଏ ବିଷୟେ ସବୁ ଜାଣି ବି ଛାମୁ ହେ 
ଚୁପ୍ ଆଜି ତୁମ ମୁହଁ ! *(୯)*
ଓଡ଼ିଶା ବାହାରେ ବିଭିନ୍ନ ପ୍ରଦେଶେ
ବିଭିନ୍ନ ସହରେ ଜାଣ,
ସ୍ଥାପନ ହୋଇଛି ହାଇକୋର୍ଟ ର ସେ 
କେତେ ସ୍ଥାୟୀ ବେଞ୍ଚ୍‌ ମାନ l *(୧୦)*
ଜବଲ୍‌ପୁର ଏବଂ ଲକ୍ଷ୍ନୌ ସହରେ
ମଦୁରାଇ ନାଗପୁରେ,
ସହଜେ ସୁଲଭେ ନ୍ୟାୟ ପାଉଛନ୍ତି 
ଥାଇ ଲୋକେ ବହୁ ଦୂରେ l *(୧୧)*
ଆଜି ବି କୋର୍ଟରେ ଲକ୍ଷ-ଲକ୍ଷ କେସ୍‌
ରହିଛି ବିଚାରାଧୀନ,
ବାକି କେସ୍‌ ପାଇଁ ଗଡ଼ୁଛି ସମୟ 
ଗଡ଼ୁଛି ତାରିଖ ଦିନ l *(୧୨)*
କ’ଣ ପାଇଁ ଗୋଟେ ଲୋକ ଏତେ ବାଟ
ଆସିବ ବା ନ୍ୟାୟ ପାଇଁ !
ପକ୍ଷପାତଭରା ତୁମରି ନୀତିରେ
ତା’ ଭାଗ୍ୟେ ବା ନ୍ୟାୟ କାହିଁ ! *(୧୩)*
ଖାଇବା-ରହିବା ଖର୍ଚ୍ଚ ସାଥେ ପୁଣି 
ଅର୍ଥହାନୀ-ପ୍ରାଣପୀଡ଼ା,
ଗରୀବ ଭୋଗେ ତା’ ମୁଣ୍ଡ ପରେ ବୋଝ 
ଉପରେ ନଳିତା ବିଡ଼ା l *(୧୪)*
ଯାଇ-ଆସି ସିଏ ସବୁ ହରାଏ ତା’
ଝାଳବୁହା ଧନରାଶି,
ନ୍ୟାୟ ଅପେକ୍ଷାରେ ରହି ରହି ତା’ର
କୁଳ ଯାଏ ମୂଳୁ ଭାସି l *(୧୫)*
ଲୋକଟି ତ ପୁଣି କଟକକୁ ଆଉ 
ବୁଲିବାକୁ ଆସୁ ନାହିଁ,
ପାଏ ସେ ଅଯଥା ନାନା ଦୁଃଖକଷ୍ଟ 
ତୁମରି ଅନ୍ୟାୟ ପାଇଁ l *(୧୬)*
ଅଳ୍ପ କେତେଜଣ ବ୍ୟବସାୟ ଖୋର 
ସ୍ୱାର୍ଥୀ ଓକିଲଙ୍କ ପାଇଁ,
ପଶ୍ଚିମାଞ୍ଚଳର ନିରୀହ ଜନତା 
ହନ୍ତସନ୍ତ ହେବେ କାହିଁ ? *(୧୭)*
ଆଉ କେତେ ବର୍ଷ ଏମିତି ଅନ୍ୟାୟ 
ତୁମ ରାଜ୍ୟେ ହେଉଥିବ ?
ବିଲୁଆ ନାଟକୁ କେତେ ଦିନ ଯାଏଁ 
ଏ ପ୍ରଶ୍ରୟ ଦେଉଥିବ ? *(୧୮)*
ଗୋଟେ ପରେ ଗୋଟେ ଏଭଳି ଅନ୍ୟାୟ
ଚାଲିଲେ ତୁମ ଅଧୀନେ,
ଏ ପଶ୍ଚିମାଞ୍ଚଳ ଓଡ଼ିଶା ମାଟିରୁ 
ବିଚ୍ଛିନ୍ନ ହୋଇବ ଦିନେ l *(୧୯)*
ତେଣୁ ସରକାର ପ୍ରିୟା-ପ୍ରୀତି ଛାଡ଼ି
ମନ ବଦଳାଅ ଆଜି,
ସର୍ବାଞ୍ଚଳ ପ୍ରତି ସମଭାବ ରଖ
ନିଜେ ହିଁ ନାୟକ ସାଜି l *(୨୦)*

କବି : ରାଧାମୋହନ ପୂଜାହାରୀ

ବୀରମହାରାଜପୁର (ସୁବର୍ଣ୍ଣପୁର)

Related posts

ଜୁନାଗଡ଼ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

Sunil Chandra Nayak

ପ୍ରକାଶ କୁମାର ମିଶ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା 

Leave a Comment

error: Content is protected !!