Uncategorizedକବି : ରାଧାମୋହନ ପୂଜାହାରୀ ଙ୍କ କବିତା ଶୁଣ ସରକାର ! by Sunil Chandra NayakAugust 25, 2022081 Share0 ଶୁଣ ସରକାର ! କ’ଣ ବା କହିବି ସରକାର ତୁମ ଓଡ଼ିଶା ଶାସନ ନୀତି ! ଅସହ୍ୟ ହେଉଛି ଦେଖି ଶୁଣି ତୁମ ପୂର୍ବାଞ୍ଚଳ ପ୍ରିୟା-ପ୍ରୀତି l *(୧)* ଉଚ୍ଚ ନ୍ୟାୟାଳୟ କଟକେ ରଖିଲ ସବୁ ଓଡ଼ିଆଙ୍କ ପାଇଁ, ଅଭାବେ ଥାଇ ବି ନ୍ୟାୟ ପାଇଁ ଲୋକେ ଆସନ୍ତି ଏଠାକୁ ଧାଇଁ l *(୨)* କୋରାପୁଟ କଳାହାଣ୍ଡି ବଲାଙ୍ଗୀର ବଉଦ ସମ୍ବଲପୁର, କଟକ ନଗରୁ ଏ ସବୁ ସହର ଶହ ଶହ କୋଶ ଦୂର l *(୩)* ପଶ୍ଚିମ ଓଡ଼ିଶା ଲୋକଙ୍କ ଦୁର୍ଦ୍ଦଶା ନ କହିବା ଏଠି ଭଲ, ନ୍ୟାୟ ପାଇଁ କଟକକୁ ଧାଇଁ-ଧାଇଁ ହେଉଛନ୍ତି କଲବଲ l *(୪)* କେବିକେର ଉନ୍ନୟନ ପରିଷଦ ଗଢ଼ି ଦେଲ ଓଡ଼ିଶାରେ, କିନ୍ତୁ ମୁଖ୍ୟାଳୟ ରଖିଲ ଆଣିକି ରାଜଧାନୀ ଇଲାକାରେ l *(୫)* ଚାକିରିଆ ଅବା ଦିନ ମଜୁରିଆ ହେଉ ବା ଶ୍ରମିକ ଚାଷୀ, ନ୍ୟାୟ ପାଇଁ ଲଢ଼େ ପଶ୍ଚିମାଞ୍ଚଳରୁ କଟକ ନଗରେ ଆସି l *(୬)* ପଶ୍ଚିମାଞ୍ଚଳରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ କରିବା ପାଇଁ, କହି କହି ଲୋକେ ଥକି ସାରିଲେଣି ଧୈର୍ଯ୍ୟ ଆଉ ତାଙ୍କ ନାହିଁ l *(୭)* ଦୀର୍ଘଦିନ ଧରି ସ୍ଥାୟୀ ବେଞ୍ଚ୍ ପାଇଁ ଲୋକେ କରୁଛନ୍ତି ଦାବି, କିନ୍ତୁ ଦୁଃଖ ଲାଗେ ତୁମ ତାଙ୍କ ପ୍ରତି ଅଣଦେଖା କଥା ଭାବି l *(୮)* ଆମ ଦେଶେ ହାଇକୋର୍ଟ ବେଞ୍ଚ୍ ହେବା କିଛି ନୂଆ କଥା ନୁହଁ, ଏ ବିଷୟେ ସବୁ ଜାଣି ବି ଛାମୁ ହେ ଚୁପ୍ ଆଜି ତୁମ ମୁହଁ ! *(୯)* ଓଡ଼ିଶା ବାହାରେ ବିଭିନ୍ନ ପ୍ରଦେଶେ ବିଭିନ୍ନ ସହରେ ଜାଣ, ସ୍ଥାପନ ହୋଇଛି ହାଇକୋର୍ଟ ର ସେ କେତେ ସ୍ଥାୟୀ ବେଞ୍ଚ୍ ମାନ l *(୧୦)* ଜବଲ୍ପୁର ଏବଂ ଲକ୍ଷ୍ନୌ ସହରେ ମଦୁରାଇ ନାଗପୁରେ, ସହଜେ ସୁଲଭେ ନ୍ୟାୟ ପାଉଛନ୍ତି ଥାଇ ଲୋକେ ବହୁ ଦୂରେ l *(୧୧)* ଆଜି ବି କୋର୍ଟରେ ଲକ୍ଷ-ଲକ୍ଷ କେସ୍ ରହିଛି ବିଚାରାଧୀନ, ବାକି କେସ୍ ପାଇଁ ଗଡ଼ୁଛି ସମୟ ଗଡ଼ୁଛି ତାରିଖ ଦିନ l *(୧୨)* କ’ଣ ପାଇଁ ଗୋଟେ ଲୋକ ଏତେ ବାଟ ଆସିବ ବା ନ୍ୟାୟ ପାଇଁ ! ପକ୍ଷପାତଭରା ତୁମରି ନୀତିରେ ତା’ ଭାଗ୍ୟେ ବା ନ୍ୟାୟ କାହିଁ ! *(୧୩)* ଖାଇବା-ରହିବା ଖର୍ଚ୍ଚ ସାଥେ ପୁଣି ଅର୍ଥହାନୀ-ପ୍ରାଣପୀଡ଼ା, ଗରୀବ ଭୋଗେ ତା’ ମୁଣ୍ଡ ପରେ ବୋଝ ଉପରେ ନଳିତା ବିଡ଼ା l *(୧୪)* ଯାଇ-ଆସି ସିଏ ସବୁ ହରାଏ ତା’ ଝାଳବୁହା ଧନରାଶି, ନ୍ୟାୟ ଅପେକ୍ଷାରେ ରହି ରହି ତା’ର କୁଳ ଯାଏ ମୂଳୁ ଭାସି l *(୧୫)* ଲୋକଟି ତ ପୁଣି କଟକକୁ ଆଉ ବୁଲିବାକୁ ଆସୁ ନାହିଁ, ପାଏ ସେ ଅଯଥା ନାନା ଦୁଃଖକଷ୍ଟ ତୁମରି ଅନ୍ୟାୟ ପାଇଁ l *(୧୬)* ଅଳ୍ପ କେତେଜଣ ବ୍ୟବସାୟ ଖୋର ସ୍ୱାର୍ଥୀ ଓକିଲଙ୍କ ପାଇଁ, ପଶ୍ଚିମାଞ୍ଚଳର ନିରୀହ ଜନତା ହନ୍ତସନ୍ତ ହେବେ କାହିଁ ? *(୧୭)* ଆଉ କେତେ ବର୍ଷ ଏମିତି ଅନ୍ୟାୟ ତୁମ ରାଜ୍ୟେ ହେଉଥିବ ? ବିଲୁଆ ନାଟକୁ କେତେ ଦିନ ଯାଏଁ ଏ ପ୍ରଶ୍ରୟ ଦେଉଥିବ ? *(୧୮)* ଗୋଟେ ପରେ ଗୋଟେ ଏଭଳି ଅନ୍ୟାୟ ଚାଲିଲେ ତୁମ ଅଧୀନେ, ଏ ପଶ୍ଚିମାଞ୍ଚଳ ଓଡ଼ିଶା ମାଟିରୁ ବିଚ୍ଛିନ୍ନ ହୋଇବ ଦିନେ l *(୧୯)* ତେଣୁ ସରକାର ପ୍ରିୟା-ପ୍ରୀତି ଛାଡ଼ି ମନ ବଦଳାଅ ଆଜି, ସର୍ବାଞ୍ଚଳ ପ୍ରତି ସମଭାବ ରଖ ନିଜେ ହିଁ ନାୟକ ସାଜି l *(୨୦)* କବି : ରାଧାମୋହନ ପୂଜାହାରୀ ବୀରମହାରାଜପୁର (ସୁବର୍ଣ୍ଣପୁର)