ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା (ରମ୍ୟ ରଚନା,ନିଶା ନିବାରଣ) ଗଣେଶଙ୍କ ମର୍ତ୍ତ୍ଯପୁର ଟୁର୍ 

 ଗଣେଶଙ୍କ ମର୍ତ୍ତ୍ଯପୁର ଟୁର୍ 

    ଅପର୍ତ୍ତି ସେଠୀ

(ରମ୍ୟ ରଚନା,ନିଶା ନିବାରଣ) 
ପ୍ରଭୁ ଅଗ୍ରପୂଜ୍ୟ ଦେବ ବିଘ୍ନରାଜ 
       ମୂଷିକକୁ ଡକାଇଲେ,
ମର୍ତ୍ତ୍ୟପୁର ଟୁର୍ ଆଜି ସେ କରିବେ
        ରୋକ୍ ଠୋକ୍ କହିଦେଲେ।
ଗଣେଶ ଚତୁର୍ଥୀ ଆଜି ପରା ଅଛି
         ବହୁତ ଲଡ଼ୁ ମିଳିବ,
ମରତ ପୁରର ସୁସ୍ଵାଦୁ ଲଡୁ ଯେ
        କୈଳାସେ କୋଉ ସମ୍ଭବ?
ଗଣେଶଙ୍କ କଥା ଶୁଣି ମୂଷିକର
        ହାଲୁକ ଯେ ଶୁଖିଗଲା,
ପ୍ରଭୁଙ୍କର ଯେଉଁ ଥନ୍ତଲ ପେଟଟି
       ତା’ଆଖିରେ ନାଚିଗଲା।
ପ୍ରଭୁ ଗଜାନନ ଗଜର ଓଜନ
        ମୁଁ କ୍ଷୁଦ୍ର ମୂଷିକଟିଏ,
କେମିତି ବୋହିବି ଏ ବିଶାଳ ତନୁ
      ଏହି ଚିନ୍ତା ତାକୁ ହୁଏ।
ଏହି ଡର ପାଇଁ ପ୍ରଭୁ ବର ଦେଇ
       ମୂଷିକ ଭୟ ଛଡାଇ,
ତେଣୁ କ୍ଷୁଦ୍ର ମୂଷା ପିଠିରେ ଗଣେଶ
       ବୁଲୁଥାନ୍ତି ଇଚ୍ଛା ଯହିଁ।
ଆଜି ବି ସେମିତି ମୂଷିକର ଭୟ 
       ପ୍ରଭୁ ଦୂର କରିଦେଲେ,
ମୂଷିକ ବାହନେ ମରତ ପୁରରେ
       ପ୍ରଭୁ ଆସି ବିରାଜିଲେ।
ଦେଖିଦେଲେ ସ୍କୁଲ୍ କଲେଜରେ ଆଜି
      ଗଣେଶ ପୂଜା ହେଉଛି,
କରୋନା ଭୟର କଟକଣା ନାହିଁ
       ଧୁମ୍ ଧାମ ଚାଲୁଅଛି।
ମାଇକିରେ ଖାଲି ନୂଆ ଆଲବମ୍ 
        ଗୁଆ ଘିଅ ଗୀତ ବାଜେ,
ଭେଙ୍ଗେଣାଡ୍ଯାନ୍‌ସ ଜାଗାଜାଗାଚାଲେ
        କମ୍ପମାନ ହୁଏ ଡିଜେ‌।
ବୁଲି ବୁଲି ଦୁହେଁ ହାଲିଆ ହେଲେଣି
      ପେଟେ ତାଙ୍କ ଭୋକ ଭାରି,
କେଉଁଠି ମିଳିବ ଲଡ଼ୁ ପ୍ରସାଦଟି
      ମନରେ ହୁଅନ୍ତି ଭାଳି।
ସବୁଠିଁ ଦେଖିଲେ ଭୋଗ ଖାଇବାକୁ
       ଲାଗିଅଛି ଠେଲାପେଲା,
ଗଣେଶ ମୂଷିକ‌ ଭାଗରେ ଗୋଟିଏ
       ଲଡୂଟି କିବା ପଡ଼ିଲା?
ଦେଖିଲେ ଶଙ୍କର ମିଷ୍ଟାନ୍ନ ଭଣ୍ଡାର
      ବୋର୍ଡରେ ଲେଖାଅଛି,
ଭଳିଭଳି ଲଡୁ ସେହି ଦୋକାନର
     ଥାଳୀରେ ସଜ୍ଜା ହୋଇଛି।
ଗଣେଶ କହିଲେ ଶୁଣରେ ମୂଷିକ
      ବାପାଙ୍କର ଭକ୍ତ ଏହି,
ତୁ ଷଣ୍ଢରୂପେ ଯା’ ତା’ ପାଖକୁ
      ଲଡୁଆଣ ମୋ ପାଇଁ।
ଷଣ୍ଢ ରୂପଧରି ମୂଷିକ ରାଜ ଯେ
     ଦୋକାନ ପାଖକୁ ଗଲେ,
ନୂଆ ଷଣ୍ଢଟିକୁ ଦେଖି ଦୋକାନୀ ଯେ
     ଗରମ ପାଣି ଛାଟିଲେ।।
ଜୀବନ ନେଇକି ମୂଷିକ ରାଜ ଯେ
      ପ୍ରଭୁ ପାଖେ ପହଞ୍ଚିଲେ,
ପୁଣି ଖଣ୍ଡେ ଦୂର ଦୁହେଁ ଚାଲିଗଲେ
      ଶିବ ମନ୍ଦିର ଦେଖିଲେ।
ଭକ୍ତ କେଇଜଣ ଶିବମନ୍ଦିରରେ
      ଗଞ୍ଜେଇକୁ ଟାଣୁଥିଲେ,
ବ୍ରାହ୍ମଣ ବେଶରେ ଗଣେଶ ମୂଷିକ
       ତାଙ୍କ ପାଖେ ପହଞ୍ଚିଲେ।
କହିଲେ ହେ ଭାଇ କାହିଁକି ଗଞ୍ଜେଇ
      ଶିବ ମନ୍ଦିରେ ଟାଣୁଛ,
ଗଞ୍ଜୋଡିଆ ଦଳ କହିଲେ ହେ ତୁମେ
       ଗାଁ ରୁ କିବା ଆସିଛ?
ଶିବ ମନ୍ଦିରରେ ଟାଣିବୁନି ଆଉ
      କେଉଁଠି ଟାଣିଵୁ କୁହ,
ଶିବଙ୍କର ଏହି ଭାଙ୍ଗ କି ଗଞ୍ଜେଇ
      ଜାଣିନା କି ଅଟେ ପ୍ରିୟ?
ଗଣେଶ କହିଲେ ନାହିଁ ହୋ ଭକତେ
      ଶିବ ଜ୍ଞାନ ଗଞ୍ଜେଇକୁ,
ଖାଇ ଧ୍ୟାନ କରି ଜଗତ ମଙ୍ଗଳେ
       ଜପୁଥାନ୍ତି ସେ ବିଷ୍ଣୁଙ୍କୁ।
ଶିବ କିନ୍ତୁ ଖାଇଥିଲେ ସେତେବେଳେ
        ହଳାହଳ ବିଷ ପରା,
ତୁମେମାନେ କ’ଣ ଦାନାଦାର ଖାଇ
        ସମ୍ଭାଳି ପାରିବ ଭଲା?
ଏହା ଶୁଣି ସେହି ଗଞ୍ଜୋଡିଆ ମାନେ
       ଦୋଅକ୍ଷରୀ ଶୁଣେଇଲେ,
ସେହିଠାରୁ ଦୁହେଁ ମର୍ତ୍ତ୍ୟପୁର ଟୁର୍
       ଶେଷ କରି ବିଦା ହେଲେ।
ଏହାସବୁ ଥିଲା ପ୍ରଭୁଙ୍କ ପରୀକ୍ଷା
        କଳିଯୁଗ ଲୋକ ପାଇଁ,
ଆଜି ଏ ମଣିଷ ନିଜର କରମ
       ପ୍ରଭୁଙ୍କୁ ଦେଲେ ଦେଖାଇ।
ଏଇତ ଆମରି ଜୀବନ ଚଳଣୀ
       ପ୍ରଭୁଙ୍କ ନାଆଁକୁ ନେଇ,
ମଦ ଗଞ୍ଜେଇରେ ସଂସାର ଉଜୁଡେ
        ମୂର୍ଖ ଅପର୍ତ୍ତି କହ‌ଇ।  

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

କୋକସରାରେ ଭାରତ ବନ୍ଦ ପାଳନ

ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ଗଳ୍ପ ଓ ପ୍ରବନ୍ଧକୁ ନେଇ ଚାଲିଛି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା, ସମୀକ୍ଷାରେ ୩ ଜିଲ୍ଲା

Sunil Chandra Nayak

Leave a Comment

error: Content is protected !!