ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ହେଉଥିବା ଦୁର୍ନୀତି ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ 

ବାଲେଶ୍ଵର,୨୮/୯/୨୨- ବିଦ୍ୟାଳୟ ହେଉଛି ମନ୍ଦିର, ମଣିଷ ତିଆରି କାରଖାନା । ଏହା ସର୍ବଦା ସ୍ବଚ୍ଛ, ନିର୍ମଳ ଓ ଦୁର୍ନୀତି ମୁକ୍ତ ରହିବା ଆବଶ୍ୟକ । ହେଲେ ବିଦ୍ୟାଳୟରେ ହେଉଥିବା ଦୁର୍ନୀତି ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ଶିକ୍ଷା ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁଥି ପାଇଁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ ଓ ଗ୍ରାମବାସୀ କରିଛନ୍ତି ଅଭିଯୋଗ ।  ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତର ପଳସା ଗ୍ରାମରେ । ଉକ୍ତ ଗ୍ରାମର ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ଏବଂ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ସହଯୋଗରେ ୧୯୮୨ ମସିହାରେ ଶ୍ରୀ ପଣ୍ଡାଙ୍କ ପିତା ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ନାମରେ ହାଇସ୍କୁଲ ଖୋଲା ଯାଇଥିଲା । ସରଳ ନିଷ୍କପଟ ଗ୍ରାମବାସୀ ଶ୍ରୀ ପଣ୍ଡାଙ୍କୁ ସଂପାଦକ ଦାୟିତ୍ୱ ପ୍ରଦାନ କରି ବିଦ୍ୟାଳୟର ସମସ୍ତ ଦାୟିତ୍ୱ ଅର୍ପଣ କରିଥିଲେ । ମାତ୍ର ଦୁଃଖ ଓ ପରିତାପର ବିଷୟ ଶ୍ରୀ ପଣ୍ଡା ବିଦ୍ୟାଳୟରେ ଶିକ୍ଷାଦାନ ନିମନ୍ତେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତ କରି ମୋଟା ଅଙ୍କରେ ଅର୍ଥ ଆଦାୟ କରିବା ଏକ ବ୍ଯବସାୟରେ ପରିଣତ ହୋଇଛି । ଆହୁରି ମଧ୍ୟ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ବାହାର କରିବା, ଗୋଟିଏ ଗୋଟିଏ ପଦବୀରେ ଏକାଧିକ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବା, ଗ୍ରାମବାସୀଙ୍କ ଅଗୋଚରରେ ମିଥ୍ୟା ତଥା ମନମୁଖି ପରିଚାଳନା କମିଟି ତିଆରି କରିବା, ଦ୍ବିତୀୟ ଥର ପରିଚାଳନା ସମିତିରେ ସଭ୍ୟ ରୂପେ କାର୍ଯ୍ୟ କରିଥିଲେ ସେମାନେ ସଭ୍ୟ ଓ ସଭ୍ୟା ଭାବେ ରହିପାରିବାର ନିୟମ ନଥିଲେ ମଧ୍ୟ ସେ ତାକୁ ବେଖାତିର ନକରି ପୁନଃ ଅବସ୍ଥାପିତ କରିବା, ବିଦ୍ୟାଳୟକୁ ଠିକ୍ ଢଙ୍ଗରେ ପରିଚାଳନା ନ କରିବା, ନିଜର ଜ୍ବାଇଁକୁ ପ୍ରଧାନ ଶିକ୍ଷକ ତଥା ନିଜର ପୁଅକୁ ସହକାରୀ ଶିକ୍ଷକ ରୂପେ ନିଯୁକ୍ତି ଦେବା, ଏଠାରେ ପ୍ରକାଶ ଥାଉକି- ଉକ୍ତ ଦୁଇ ଜଣଙ୍କର ଶିକ୍ଷାଗତ ଯୋଗ୍ଯତା ନଥାଇ ମିଥ୍ୟା ପ୍ରମାଣ ପତ୍ର ଦେଇ ନିଯୁକ୍ତି ପାଇଛନ୍ତି । ପ୍ରଧାନ ଶିକ୍ଷକ କେବେ ବିଦ୍ୟାଳୟ ଦେଖି ନାହାନ୍ତି କି ଆସନ୍ତି ନାହିଁ, ସହକାରୀ ଶିକ୍ଷକ ଶ୍ରୀ ପଣ୍ଡାଙ୍କର ପୁତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରନ୍ତି, ଉଭୟ ବାପ ପୁଅ ମିଶି ବିଦ୍ୟାଳୟର କାର୍ଯ୍ୟ କରୁଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ଦିଅନ୍ତି ନାହିଁ, ପ୍ରତ୍ୟେକ ବର୍ଷ ବିଦ୍ୟାଳୟ ନବୀକରଣ ଫର୍ମରେ ଶିକ୍ଷକ ଓ କର୍ମଚାରୀଙ୍କ ନାମକୁ ସଂଯୋଗ ନକରି ମନଇଚ୍ଛା ନାମ ସଂଯୋଗ କରନ୍ତି । ଯାହାଦ୍ୱାରା ବିଦ୍ୟାଳୟଟି ସରକାରୀ ଅନୁଦାନରୁ ବଞ୍ଚିତ ହେଉଛି । ବଡ଼ ଆଶ୍ଚର୍ଯ୍ୟର କଥା ଶ୍ରୀ ପଣ୍ଡା ଏକ ଏସସି/ଏସଟି ଛାତ୍ରାବାସ ଖୋଲି ବିନା କାଗଜପତ୍ରରେ ଚଳାଉଛନ୍ତି, ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ମାନେ ଏକା ଏକା ଛାତ୍ରାବାସରେ ରହୁଛନ୍ତି, ସେମାନେ ପାଉଥିବା ଷ୍ଟାଇପେଣ୍ଡ ଟଙ୍କାକୁ ସେମାନଙ୍କର ଆକାଉଣ୍ଟକୁ ନଦେଇ ନିଜେ ନିଜେ ଅସଦ୍ ଉପାୟରେ ଉଠାଇ ଆତ୍ମସାତ କରୁଛନ୍ତି । ଏବିଷୟରେ ବିଭିନ୍ନ ସମୟରେ ଡିଇଓ ବାଲେଶ୍ଵରଙ୍କୁ ଜଣା ଯାଇଥିଲେ ମଧ୍ୟ କେତେକ ଲାଞ୍ଚୁଆ କିରାଣୀ ଏହାକୁ ଚାପି ଦେବାରେ ସକ୍ଷମ ହୋଇଥାନ୍ତି । ଯାହାଦ୍ବାରା ଅଭିଯୋଗକାରୀ ନ୍ଯାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଶ୍ରୀ ପଣ୍ଡାଙ୍କର ଏତାଦୃଶ୍ଯ କାର୍ଯ୍ୟରେ ଅତିଷ୍ଠ ହୋଇ ଗ୍ରାମର ସମସ୍ତ ପିଲା ସୁଦୂର ଖଇରା ହାଇସ୍କୁଲରେ ଅଧ୍ଯୟନ କରୁଛନ୍ତି । ଏଠାରେ ବ୍ଯବସାୟିକ ଢଙ୍ଗରେ ସୁଦୂର ମୟୂରଭଞ୍ଜ ଜିଲ୍ଲାରୁ ପିଲା ମାନଙ୍କୁ ଆଣି ନାମ ଲେଖାଯାଉଛି, ଯେଉଁମାନେ କି ସଦାସର୍ବଦା ଘରେ ରହୁଛନ୍ତି । ଏହାର ସୁଯୋଗ ନେଇ ଶ୍ରୀ ପଣ୍ଡା ପିଲା ମାନଙ୍କର ଷ୍ଟାଇପେଣ୍ଡ ଟଙ୍କାକୁ ହଡପ କରୁଥିବାର ଅଭିଯୋଗକାରୀଙ୍କ ଅଭିଯୋଗରୁ ଜଣାପଡିଛି । 

    ଏଥିପାଇଁ ତଦନ୍ତର ଆବଶ୍ୟକତା ରହିଛି । ଖୁବ୍ ଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ କରି ଶିକ୍ଷା ଅନୁଷ୍ଠାନଟିକୁ ବଞ୍ଚାଇବା ସହିତ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କର ସ୍ଥାୟିତ୍ବ ପ୍ରତି ଧ୍ଯାନ ଦେବା ନିମନ୍ତେ ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀ ଶେଷଦେବ ବଳବନ୍ତରାୟ, ପ୍ରଭାକର ପାଣି, ଲକ୍ଷ୍ମୀକାନ୍ତ ଦାଶ, ଗ୍ରାମବାସୀ ଉଦୟ କୁମାର ଘଡାଇ, ଅଭିମନ୍ୟୁ ବେଜ, ମକୁନ୍ଦ ବେଜ, କାଶୀନାଥ ଘଡାଇ, ମୂରଲୀଧର ବାରିକ, ମାୟାଧର ବେଜ, ସନାତନ ମୁଖି, ଅଶୋକ ଦାସମହାପାତ୍ର, କ୍ଷେତ୍ରମୋହନ ବାରିକ, ଅଭିମନ୍ୟୁ ବେହେରା, ଅନନ୍ତ ପ୍ରସାଦ ଦାଶ, ଗଦାଧର ବେହେରା, ନାରାୟଣ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ପ୍ରଧାନ ଓ ନୃସିଂହ ସେନାପତି ପ୍ରମୁଖ ତା ୨୬/୯/୨୨ ରିଖ ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରିଛନ୍ତି ଅଭିଯୋଗ । ଅଭିଯୋଗର ସତ୍ୟାସତ୍ୟ ବିଷୟରେ ଜାଣିବା ପାଇଁ ଡି.ଡବ୍ଲ୍ୟୁ. ଓ. ବିଶ୍ବଦର୍ଶି ସାହୁ(ବାଲେଶ୍ଵର) ଙ୍କୁ ପଚାରିବାରୁ ତଦନ୍ତ କଲେ ଜଣାପଡିବ ବୋଲି କହିଥିବା ବେଳେ ଖଇରା ବ୍ଲକ ଡବ୍ଲ୍ୟୁ. ଓ. ତ୍ରିଦେବ ସୁନ୍ଦର ବରାଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଠନ କଲା ବିଜୁ ଛାତ୍ର ଜନତା ଦଳ

Sunil Chandra Nayak

ବିଷାକ୍ତ ମହୁଲଫାସ ଖାଇ ଗାଈ ଗୋରୁ ରୁଗ୍ଣ , ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

ଶାରୀରିକ ଭିନ୍ନକ୍ଷମ ବାଳିକା ଯାଜ୍ଞାସେନୀ ଙ୍କୁ ସହାୟତା ପାଇଁ ନିବେଦନ

Sunil Chandra Nayak

Leave a Comment

error: Content is protected !!