ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ଶରତ ବର୍ଣ୍ଣାଳୀ – ମାଆ ପାଦେ ଅଳି 

ଶରତ ବର୍ଣ୍ଣାଳୀ – ମାଆ ପାଦେ ଅଳି 

            {ରାଗ -କାମୋଦୀ}

               ବାଲାଜି ସେଠୀ

         
 ଶରତ ସୁସମ୍ଭାରେ କାଶତଣ୍ଡି ବିଭୋରେ
           ଅତୁଳ ଅବନୀର ଶୋଭା
 ଶିଶିର ଟୋପା ଟୋପା ହୀରା ଲୀଳା ମୁକୁତା
        ବର୍ଣ୍ଣାଳୀ କେଡେ ମନଲୋଭା
                   ପାର୍ବଣ ଋତୁ
           ଜଗତ କଲ୍ୟାଣର ହେତୁ
           ପାପପଙ୍କ ଉଦ୍ଧାର ସେତୁ
 ଭକ୍ତଙ୍କ ଆବାହନେ ଦେବୀଙ୍କ ଆଗମନେ 
         ଲୁଚିଲେଣି ରାହୁ ଓ କେତୁ ।।
 କାଦମ୍ବିନୀ କଳିକା ଝୁଙ୍କାଇ ତା ଅଳିକା
           ସ୍ୱାଗତ କରେ ପରସନ୍ନେ 
 ଜଗତ ଜନେ ସାହା ଦେଖାଇ ମୁକ୍ତି ରାହା
            ବାସକୁ ପବିତ୍ର ବିତାନେ
                   ଗନ୍ଧ ଚନ୍ଦନ
            କର୍ପୂର କୁଙ୍କୁମ ପ୍ରସୂନ
           ପ୍ରସାରେ ଗଗନ ପବନ
 କରୁଣାର ପାବନୀ ଅରାତି ବିନାଶିନୀ
           ଆସନ୍ତେ ଲାଘବ କଷଣ ।।
 ବହ୍ନି ଶିଖା ସମ୍ଭୁତା ସହସ୍ର ଶସ୍ତ୍ର ହସ୍ତା
            ମହିମା ତାହାରି ଅପାର
 ଛଦ୍ମ ଖୋଳପା ତଳ ପ୍ରବୃତ୍ତି ବିକଟାଳ
          ଫେଡ଼ି ଦେବେ ସେ ସୁବିଚାର
                   ସିଂହ ପୃଷ୍ଠରେ
            ବିରାଜି ସଂହାରି ଦୁଷ୍ଟରେ
            ପ୍ରଶାନ୍ତି ବିରାଜେ ଧରାରେ
 ଭ୍ରଷ୍ଟାଚାରୀ ରହିତ ହେଉ ମୋର ଭାରତ
           ଭାଇଚାରା ଭାବ ଧାରାରେ ।।
 କରିବେ ସେ ଅନ୍ତର ପାପ କଳସ ଭାର
         ଅନ୍ତରେ ଯାଇଛି ମୋ ବସି
 ନକରିଲେ ଅନ୍ତର ଅନ୍ତେ ହୋଇବ ଛାର
           ଅନନ୍ତ ପାପେ ଯିବି ଭାସି 
                  ବିଶ୍ୱଭାରତୀ
          ଶାକମ୍ବରୀ ଶୋକ ହାରିଣୀ
           ଦଶଭୂଜା ଦର୍ପ ଦଳିନୀ
 ଶଶ ଅଙ୍କ ଶେଖର ତନୁ ଅଂଶୀ ଯାହାର
          ସେ ପଦ ପଙ୍କଜେ ଦୟିନି ।।

     ଚିତ୍ରକୋଣ୍ଡା, ମାଲକାନଗିରି

Related posts

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସାଧବ ବୋହୂ

Sunil Chandra Nayak

ଜବାହର ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!