ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବେଦାନ୍ତ ହସ୍ପିଟାଲକୁ ମିଳିଲା ଇଏସ୍‌ଆଇ ହସ୍ପିଟାଲ ମାନ୍ୟତା

ଇଏସ୍‌ଆଇ ଏବଂ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ହେଲା ଏମ୍‌ଓୟୁ 

ଲାଞ୍ଜିଗଡ,( ମ ନି ସ)- କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଲାଞ୍ଜିଗଡସ୍ଥିତ ବେଦାନ୍ତ ହସ୍ପିଟାଲ ସଫଳତାର ଆଉ ଏକ ପାହାଚ ଚଢିବା ସହିତ ଆଜିଠାରୁ ଇଏସ୍‌ଆଇ ହସ୍ପିଟାଲର ମାନ୍ୟତା ଲାଭ କରିଛି । ଏଥିପାଇଁ ଆଜି ବେଦାନ୍ତ ହସ୍ପିଟାଲ ପରିସରରେ ଆୟୋଜିତ ଏକ ସମାରୋହରେ ଇଏସ୍‌ଆଇ ଏବଂ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱରସ୍ଥିତ ଇଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା ଓ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଗୋପାଳ ପାଲଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ଇଏସ୍‌ଆଇ ରାଜ୍ୟ ଚିକିତ୍ସାଧିକାରୀ ଡା. ଲାଲମୋହନ ମିଶ୍ର, ମେଡିକାଲ ରେଫରୀ ଡା. ଏସ୍‌. ଦତ୍ତା, ରାୟଗଡା କେଜେପୁରସ୍ଥିତ ମେଡିକାଲ ଅଧୀକ୍ଷକ ଡା. ବି.ଏନ୍ ପଣ୍ଡା ଏବଂ ଜେକେପୁର ଇଏସ୍‌ଆଇ ଶାଖା ପରିଚାଳକ ରାଜେନ୍ଦ୍ର ବେହେରାଙ୍କ ସହିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଏଚ୍‌ଆର୍ ମୁଖ୍ୟ ବିଶାଳ ସିଂହ, ଏଚ୍‌ଏସ୍‌ଇ ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେ, ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ସିଏଲ୍‌ଏମ୍ ମୁଖ୍ୟ ଆଲୋକ ଗୟା, ଏଡମିନ୍ ମୁଖ୍ୟ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ସିଏସ୍‌ଆର୍ ବିଭାଗ ଉପମୁଖ୍ୟ ଦିଲିପ ପ୍ରଜାପତି, ଏଡମିନ୍ ଶ୍ରୀକାନ୍ତ ବହିଦାର, ଲୋକସଂପର୍କ ବିଭାଗର ଋଷଭ ଗର୍ଗ, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ଅଶୋକ ଖୋରାଙ୍କ ସହିତ ବେଦାନ୍ତ ଲିମିଟେଡ ଏବଂ ବେଦାନ୍ତ ହସ୍ପିଟାଲ କର୍ମଚାରୀମାନେ ଉପସ୍ଥିତ ଥିଲେ । କଳାହାଣ୍ଡି ଜିଲ୍ଲାର ପ୍ରଥମ ହସ୍ପିଟାଲ ଭାବେ ବେଦାନ୍ତ ହସ୍ପିଟାଲ ଏହି ମାନ୍ୟତା ପାଇଥିବାବେଳେ ଏହାକୁ ନେଇ ଶ୍ରମିକ ଓ ଇଏସ୍‌ଆଇ ଅନ୍ତର୍ଭୁକ୍ତ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ଇଏସ୍‌ଆଇ ବା କର୍ମଚାରୀ ରାଜ୍ୟ ବୀମା ନିଗମ ଦ୍ୱାରା ଶ୍ରମିକ ଓ କର୍ମଚାରୀମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ମାଗଣାରେ ପାଇପାରିବେ । ସୂଚନାଯୋଗ୍ୟ, ୨୦୦୩ ମସିହାରେ ଲାଞ୍ଜିଗଡଠାରେ ବେଦାନ୍ତ କଂପାନୀ ଆଲୁମିନା ରିଫାଇନେରୀ କାରଖାନା ସ୍ଥାପନ କରିଥିବା ଶ୍ରମିକ ଓ ଅଞ୍ଚଳବାସୀଙ୍କୁ ନିଶୁଲ୍କରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ୨୦୧୦ ରେ ମାତ୍ର ଚାରିଜଣ ଡାକ୍ତରଙ୍କୁ ନେଇ ଆରମ୍ଭ ହୋଇଥିଲା ବେଦାନ୍ତ ହସ୍ପିଟାଲ । ସେତେବେଳେ ଏଥିରେ କେବଳ ବାହ୍ୟରୋଗୀ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ହେଉଥିଲା । ତେବେ ଲାଞ୍ଜିଗଡ ବ୍ଲକ ଓ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକର ଆଭ୍ୟନ୍ତରୀଣ ଇଲାକାରେ ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ବେଦାନ୍ତ ଲିମିଟେଡ ପଦକ୍ଷେପ ନେବା ଆରମ୍ଭ କରିଥିଲା । ବର୍ତ୍ତମାନ ଏହି ହସ୍ପିଟାଲରେ ୮ ଜଣ ନିୟମିତ ଡାକ୍ତର ଥିବାବେଳେ ଭେଷଜ, ସ୍ତ୍ରୀରୋଗ, ଶିଶୁରୋଗ, ଶୈଲ୍ୟ ଚିକିତ୍ସା ପାଇଁ ଚାରିଜଣ ବିଶେଷଜ୍ଞ ଡାକ୍ତର ଓ ଚାରିଜଣ ଏମ୍‌ବିବିଏସ୍ ଡାକ୍ତର ନିଯୁକ୍ତ ଅଛନ୍ତି । ସେହିପରି ହସ୍ପିଟାଲ ଦ୍ୱାରା ଦୈନିକ ୨୦୦ରୁ ଅଧିକ ରୋଗୀଙ୍କୁ ଓପିଡି ସେବା ମିଳୁଥିବାବେଳେ ଆଇପିଡି ରୋଗୀଙ୍କ ପାଇଁ ୨୦ଟି ଶଯ୍ୟା ଉପଲବ୍ଧ ରହିଛି । ପ୍ରତିମାସର ନିୟମିତ ଅନ୍ତରରେ ଚର୍ମ, ଦାନ୍ତ, ଚକ୍ଷୁ, ନାସା କର୍ଣ୍ଣ ଓ ଗଳା ବିଶେଷଜ୍ଞଙ୍କ ସମେତ ହୋମିଓପାଥି ଡାକ୍ତର ପରିଦର୍ଶନରେ ଆସୁଛନ୍ତି । ଗୋଟିଏ ମୋବାଇଲ ହେଲ୍‌ଥ ୟୁନିଟ୍ ପ୍ରତିଦିନ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ରୋଗୀସେବା କରୁଛନ୍ତି । ସେହିପରି ସାରା ବ୍ଲକର ରୋଗୀମାନଙ୍କୁ ନେବା ଆଣିବା ପାଇଁ ୫ଟି ଅତ୍ୟାଧୁନିକ ସୁବିଧା ସଂପନ୍ନ ଆମ୍ବୁଲାନ୍ସ ରହିଛି । ହସ୍ପିଟାଲରେ ଫିଜିଓଥେରାପି ଚିକିତ୍ସା ସହିତ ରକ୍ତ, ମଳ, ମୂତ୍ର ପରୀକ୍ଷା ସହିତ ଇସିଜି, ଏକ୍ସରେ ଆଦି ସୁବିଧା ରହିଛି । ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି । ସେହିପରି  ବର୍ଷା ତମାମ ମୋତିଆବିନ୍ଦୁ ଚିହ୍ନଟ ଓ ଅସ୍ତ୍ରୋପଚାର, ପ୍ରତିମାସର ୯ ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ, ମ୍ୟାଲେରିଆ, ଡାଇରିଆ, ଋତୁସ୍ରାବ ସଚେତନତା, ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ ଜାରି ରହିଛି । ଏହାସହିତ କମୁନିଟି ହେଲ୍‌ଥ ଟିମ୍ ବିଭିନ୍ନ ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରୁଥିବାବେଳେ ସ୍ୱାସ୍ଥ୍ୟସେବା ସଂପର୍କିତ ଦିବସଗୁଡିକୁ ଆଗ୍ରହର ସହିତ ପାଳନ କରାଯାଇଥାଏ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

Sunil Chandra Nayak

ଦେଶରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ; ୨୪ ଘଣ୍ଟାରେ ୩୨୦୭ ଆକ୍ରାନ୍ତ ଚିହ୍ନଟ, ୨୯ ମୃତ

ମାନସିକ ବିକୃତ ରୋଗୀଙ୍କ ସ୍ୱାସ୍ଥ୍ୟ ଶିବିରରେ ୪୩ ରୋଗୀଙ୍କୁ ମାଗଣାରେ ଚିକିତ୍ସା 

Sunil Chandra Nayak

Leave a Comment

error: Content is protected !!