ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତି ସମାଜର ମୁଖ୍ୟମାନଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ 

ନବରଙ୍ଗପୁର(ମସିହା) ୧୫/୧୦  ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ଦିଗରେ ଉଲ୍ଲେଖନୀୟ ଭାବରେ କାର୍ଯ୍ୟ କରିଥିବା ଜାତି ସମାଜର ମୁଖ୍ୟ ମାନଙ୍କୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିବା ସହିତ, ବାଲ୍ୟ ବିବାହ ପରି ସାମାଜିକ ବ୍ୟାଧି କୁ ରୋକିବା ନିମନ୍ତେ ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନେ ମିଳିତ ଭାବରେ ଗ୍ରାମ ସ୍ତରରେ ବ୍ୟାପକ ଭାବରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଇଛନ୍ତି । ଏଥି ନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ, ୟୁନିସେଫ , ଆକ୍ସନଏଡ ଓ ବିଭିନ୍ନ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଲେଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲା ପ୍ରଶାସନ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେବା ସହିତ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜିଲ୍ଲାରେ ୪୫୦ ଗୋଟି ବାଲ୍ୟ ବିବାହ ରୋକାଯିବା ସହିତ ୮୮୧ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାର ସୂଚନା ଦେଇଥିଲେ। ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ପରେ ଜିଲ୍ଲାପାଳଙ୍କ ଅନୁରୋଧରେ ଉପସ୍ଥିତ ଥିବା ୨୮ ଟି ଜାତିସମାଜର ମୁଖ୍ୟ ମାନେ ଜିଲ୍ଲାରେ ବାଲ୍ୟ ବିବାହ ଘଟୁଥିବାର କାରଣ ଓ ଏହାର ନିରାକରଣ ନିମନ୍ତେ ନିଜ ନିଜ ସମାଜ ତରଫରୁ କିଭଳି ପଦକ୍ଷେପ ନେଇଛନ୍ତି ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ , ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ , ସହାୟକ ଆରକ୍ଷୀ ବବିତା ତ୍ରିପାଠୀ , ମଣ୍ଡଳ ଶ୍ରମଆୟୁକ୍ତ କୁବେର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ , ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ , ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମଳୟ କୁମାର ତ୍ରିପାଠୀ , ଜିଲ୍ଲା ନିଯୁକ୍ତି ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ ,ସହାୟକ ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ , ବାଲ୍ୟବିବାହ ନିଷେଧ ଅଧିକାରୀ, ଏସ ଗୀତା, ସୁନିତା ଦେବୀ ତ୍ରିପାଠୀ ,ଗୀତା ମହାରଣା , ଶୈଳେନ୍ଦ୍ରି ମହାନନ୍ଦ , ଯମୁନା ଭତ୍ରା , ସଞ୍ଜୁକ୍ତା ବେହେରା , ଗୀତା ମିଶ୍ର , ବିରଜା ମୋହିନୀ ପାଙ୍ଗି ,ସୁରମା ମହାପାତ୍ର , ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ , ୱାନଷ୍ଟପ ସେଣ୍ଟର ପରିଚାଳିକା ରଞ୍ଜିତା ସାହୁ ଓ ଜିଲ୍ଲାରେ ଥିବା ବିଭିନ୍ନ ଜାତି ସମାଜର ର କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରି ବାଲ୍ୟ ବିବାହ ର ସମାପ୍ତ ଦିଗରେ ଜାତି ସମାଜର ମୁଖ୍ୟଙ୍କର ଭୂମିକା ଓ ସାମାଜିକ ଦାୟିତ୍ଵ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ସହାୟକ ସମାଜ ମଙ୍ଗଳ ଅଧିକାରୀ ମଧୁସୂଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ରାଉରକେଲା – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସ ଙ୍କର ପରଲୋକ

Sunil Chandra Nayak

କରଚଲା ଠାରେ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ଚାଷୀମାନଙ୍କୁ ନୂଆଖାଇ ଭେଟି: ୪୧ ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

Sunil Chandra Nayak

Leave a Comment

error: Content is protected !!