ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ/ଅନନ୍ୟ ପରମ୍ପରା-ଚତୁର୍ମାସ୍ୟା ବ୍ରତ

    ଅନନ୍ୟ ପରମ୍ପରା-ଚତୁର୍ମାସ୍ୟା ବ୍ରତ

ଆର୍ଯ୍ୟ ଭୂମି ଭାରତର ସନାତନ ସଂସ୍କୃତି ବିଶ୍ୱବାସୀ ପାଇଁ ଏକ ଅନବଦ୍ୟ ଦାନ। ଆଧ୍ୟାତ୍ମିକ ଚେତନା ଓ ସଂଯମତା ଆଚରଣ ଦ୍ଵାରା ଏହି ବସ୍ତୁବାଦୀ ଦୁନିଆରେ ମଣିଷ କେମିତି ମାନସିକ ଦୁଶ୍ଚିନ୍ତା ରୁ ମୁକ୍ତି ପାଇ ଆତ୍ମତୃପି ଲାଭ କରିପାରିବ ଓ ସୁଖ ଶାନ୍ତି ଜୀବନ ଯାପନ କରିପାରିବ ସେଥି ନିମନ୍ତେ ସନାତନ ସଂସ୍କୃତି ରେ ଅନେକ ବ୍ରତ, ପର୍ଵ ପର୍ବାଣୀ ଓ ଉତ୍ସବର ବ୍ୟବସ୍ଥା ରହିଛି। ସାଂସାରିକ ଜଞ୍ଜାଳରୁ ମୁକ୍ତି ପାଇ ମାନବ ସମାଜ କିଭଳି ଆତ୍ମିକ ଶାନ୍ତି ପାଇପାରିବ ସେହିପରି ପରମ୍ପରା ହଜାର ହଜାର ବର୍ଷ ଧରି ଭାରତରେ ପ୍ରଚଳିତ ହୋଇଆସିଛି। ସେହିଭଳି ଏକ ଆଧ୍ୟାତ୍ମିକ ପରମ୍ପରା ହେଉଛି “ଚତୁର୍ମାସ୍ୟା ବ୍ରତ”। ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ(ହରି ଶୟନ ଏକାଦଶୀ)ରୁ ଆରମ୍ଭ କରି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ(ହରି ଉତ୍ଥାପନ ଏକାଦଶୀ) ପର୍ଯ୍ୟନ୍ତ ଦୀର୍ଘ ଚାରି ମାସ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ ପରମ୍ପରା କୁ ଚତୁର୍ମାସ୍ୟା ବ୍ରତ କୁହାଯାଏ। ସାଧାରଣତଃ ବର୍ଷା ଋତୁ ରେ ପଡୁଥିବା ଏହି ଚାରିମାସ କୃଷକ କୃଷିକାର୍ଯ୍ୟ ରେ ମାତିଥାଏ। ଏହି ଚତୁର୍ମାସ୍ୟା ଚାରିମାସ ଭଗବାନ ବିଷ୍ଣୁ ଶୟନ କରିଥାନ୍ତି ତେଣୁ ଏହିସମୟରେ ବ୍ରତ,ବିବାହ, ଗୃହ ପ୍ରବେଶ, ଗୃହାରମ୍ଭ ଆଦି ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ହୋଇନଥାଏ। ଏହି ସମୟରେ ଆୟୋଜିତ ହୋଇଥାଏ ଚତୁର୍ମାସ୍ୟା ଵ୍ରତ।

   କଳାହାଣ୍ଡି ଜିଲ୍ଲା ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ ଛତ୍ରପୁର, ଦଶପୁର ସ୍ଥିତ ସ୍ଵାମୀ ରାମ ହିମାଲୟାନ ଯୋଗ ଆଶ୍ରମ ଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ହେଉଛି “ଚତୁର୍ମାସ୍ୟା ବ୍ରତ”। ଗତ ଜୁଲାଇ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଚତୁର୍ମାସ୍ୟା ବ୍ରତ ଆସନ୍ତା ନଭେମ୍ବର ୧୦ ତାରିଖରେ ପୂର୍ଣ୍ଣାହୁତି ହେବ। ଅଂଚଳର ଜଣାଶୁଣା ଜ୍ୟୋତିଷ ଓ କର୍ମକାଣ୍ଡ ବିଶାରଦ ମଧୁ ସୂଦନ ପୁରୋହିତ ଏହି ଚତୁର୍ମାସ୍ୟା ବ୍ରତର କର୍ତ୍ତା ହୋଇଥିବା ବେଳେ ଗୋଲାମୁଣ୍ଡା ବ୍ଳକ ବ୍ରାହ୍ମଣ ସମାଜ ସହଯୋଗରେ ଓ ସ୍ଵାମୀ ରାମ ହିମାଲୟାନ ଯୋଗ ଆଶ୍ରମର ସୁଧୀର ଚୈତନ୍ୟ ବ୍ରହ୍ମଚାରୀ ଙ୍କ ପ୍ରତକ୍ଷ୍ୟ ତତ୍ୱବାଧାନ ରେ ଅନୁଷ୍ଠିତ ହେଉଛି ଏହି ଚତୁର୍ମାସ୍ୟା ବ୍ରତ। ଏଥିରେ ୩୮ ଜଣ ବ୍ରତୀ ଅଂଶଗ୍ରହଣ କରି ଦୀର୍ଘ ଚାରିମାସ ଧରି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବ୍ରତ ଆଚରଣ କରୁଛନ୍ତି। ଛତ୍ରପୁର ର ସ୍ଵାମୀ ରାମ ହିମାଲୟାନ ଯୋଗ ଆଶ୍ରମରେ ନିର୍ମିତ ପର୍ଣ୍ଣ କୁଟୀରରେ ଅବସ୍ଥାନ କରି ଦୀର୍ଘ ଚାରିମାସ ଧରି ସମ୍ପୂର୍ଣ୍ଣ ଆଶ୍ରମ ଜୀବନ ଯାପନ କରୁଛନ୍ତି। ବ୍ରାହ୍ମ ମୁହୂର୍ତ୍ତରୁ ଉଠି ନିତ୍ୟକର୍ମ ସାରି ପୂଜା ପାଠ, ପାରାୟଣ, ପୁରାଣ ପାଠ ଆଦି ଆଧ୍ୟାତ୍ମିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏହି ଚତୁର୍ମାସ୍ୟା ବ୍ରତରେ ଅଷ୍ଟାଦଶ ପୁରାଣ, ଭାଗବତ ପାଠ ସହ ଭଜନ ଓ ଜଣାଣ କାର୍ଯ୍ୟକ୍ରମ ରେ ସମଗ୍ର ପରିବେଶ ଅଧ୍ୟାତ୍ମମୟ ହୋଇ ଉଠିଛି। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏହି ଚତୁର୍ମାସ୍ୟା ବ୍ରତ ପରିଦର୍ଶନ ରେ ଆସିବା ସହ ଏଠାକାର ଆଧ୍ୟାତ୍ମିକ ପରିବେଶରେ କିଛି ସମୟ ବିତାଇ ପାଉଛନ୍ତି ଆତ୍ମିକ ଶାନ୍ତି।

    ଆଜିର ଏହି ବସ୍ତୁବାଦୀ ଭୌତିକ ଦୁନିଆରେ ପୁରାଣ ଯୁଗୀୟ ଆଶ୍ରମ ବ୍ୟବସ୍ଥା ର ଏକ ଅଲୌକିକ ଏବଂ ଅଧ୍ୟାତ୍ମମୟ ପରିବେଶର ଏକ ନିଆରା ଅନୁଭୂତିରେ ଚତୁର୍ମାସ୍ୟା ବ୍ରତ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ପୁଲକିତ ହୋଇଉଠୁଛନ୍ତି। ଆତ୍ମିକ ଶାନ୍ତି ସହ ଆଧ୍ୟାତ୍ମିକ ଚେତନା ଦ୍ୱାରା ଏକ ସୁନ୍ଦର ଅନୁଭୂତି ସାଉଁଟୁଛନ୍ତି।

   ସନାତନ ସଂସ୍କୃତି ର ଏ ନିଆରା ପରମ୍ପରା କୁ ସ୍ୱଚକ୍ଷୁରେ ଦେଖିଲେ ଓ ସ୍ଵାମୀ ରାମ ହିମାଲୟାନ ଯୋଗ ଆଶ୍ରମରେ ଆୟୋଜିତ ହେଉଥିବା ଏହି “ଚତୁର୍ମାସ୍ୟା ବ୍ରତ” କିଛି ସମୟ ବିତାଇଲେ ଯେକେହିବି ଆତ୍ମବିଭୋର ହୋଇପଡିବେ।

ସତ୍ୟ ନାରାୟଣ ମହାପାତ୍ର, ଭବାନୀପାଟଣା 

Related posts

କାର୍ଯ୍ୟରତ ଥିବାବସ୍ଥାରେ ମୃତ୍ୟୁବରଣ କରିଥିବା ଶିକ୍ଷକ ମାନଙ୍କ ପରିବାର କୁ ପୁନର୍ବାସ ଯୋଜନାରେ ଚାକିରି ନିଯୁକ୍ତି ନିମନ୍ତେ ଦାବିପତ୍ର

Sunil Chandra Nayak

ବର୍ଷା ଓ ପବନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ିଲା : ଘର ଭାଙ୍ଗିଲା

Sunil Chandra Nayak

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିଦାୟୀ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!