ଠାକୁର
ଓଡିଆ ମନର ଓଡିଆ ପ୍ରାଣରେ
ତୁମେ କାଳିଆ ଠାକୁର
ବିଜେ କରିଅଛ ଶିରି କ୍ଷେତରରେ
ରତ୍ନସିଂହାସନ ପର।।
ହାତ ନାହିଁ ଗୋଡ ନାହିଁ ଦାରୁ ଦିଅଁ
ମଉନରେ ବସିଅଛ
ଚକା ଚକା ଆଖି ମେଲାଇ ପ୍ରଭୁ ହେ
ଜଗତକୁ ଦେଖୁଅଛ।।
ଭକତର ବନ୍ଧୁ ଭକତ ବାନ୍ଧବ
ତୁମେ ଭାବର ଠାକୁର
ଭକତ ଭାବରେ ବନ୍ଧା ହୋଇ ପ୍ରଭୁ
ଭକ୍ତଙ୍କୁ କର ଉଦ୍ଧାର।।
ଗଜ ଡାକଦେଲା ଆକୁଳେ ଜଳରେ
ଚକ୍ରପେଶି ନକ୍ର ନାଶିଲ
କୁରୁ ସଭା ସ୍ଥଳେ କୋଟି ବସ୍ତ୍ର ଦେଇ
ପାଞ୍ଚାଳିର ମାନ ରଖିଲ।।
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
ଆକୁଳ ଡାକ ଶୁଣିଲ
ହସ୍ତୀର ଗଳାରୁ ଘଣ୍ଟ ଛିଡିଗଲା
ଘଣ୍ଟ ଘୋଡାଇଣ ରଖିଲ।।
ବାରମାସେ ତେର ପରବ ତୁମରି
ରଥ ଯାତ୍ରା ଅଟେ ସାର
ପତିତ ଜନଙ୍କୁ ଉଦ୍ଧରିବା ପାଇଁ
ଦେଉଳୁ ହୁଅ ବାହାର।।
ମାଉସୀ ଗୁଣ୍ଡିଚା ମମତାରେ ବନ୍ଧା
ମାଉସୀ ଘରକୁ ଯାଅ
ଜନମ ବେଦୀରେ ନବଦିନ ଲୀଳା
କରି ପ୍ରଭୁ ଫେରିଥାଅ।।
ଜଗତ ଠାକୁର ବୋଲି ଉଡୁଥାଏ
ପତିତପାବନ ବାନା
ତେବେ କିଆଁ ପ୍ରଭୁ ଭକତର ଡାକ
ତୁମ କର୍ଣ୍ଣରେ ବାଜେନା।।
ଅଧର୍ମ ଅନୀତି କରୁଛି ରାଜୁତି
ଧରମ ପାଦରେ ବେଡି
ଧରମରେ ଚାଲି ତୁମରି ଭକତ
ତଳେ ପଡେ ମୁହଁ ମାଡି।।
ବାରେ ଦୟାକର କାଳିଆ ଠାକୁର
ଜଗତର ଦୁଃଖ ହର
ସବୁରି ପରାଣେ ଭରିଦିଅ ପ୍ରଭୁ
ସ୍ନେହ ଶାନ୍ତି ସୁଧା ଝର।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ , କେନ୍ଦ୍ରାପଡ଼ା