ଟେମରୀ(ମନିସ): ୦୬/୦୧:-ପଶ୍ଚିମ ଓଡ଼ିଶାର ଗଣପର୍ବଗୁଡିକ ମଧ୍ୟରେ ପୁଷପୁନି ତିଆର ଅନ୍ୟତମ । ଚାଷୀ ଭାଇ ନୂଆଁଖାଇ ପର୍ବ ନୂଆଁ ଫସଲ ଅମଳ ହେବା ସମୟରେ ପାଳନ କରି ଥିବା ବେଳେ ପୁଷପୁନି ପର୍ବ ଚାଷ କାର୍ଯ୍ୟ ସମାପନ କରିଥିବା ବେଳେ ପାଳନ କରାଯାଇ ଥାଏ । ଏହି ଦିନରେ ଘରେ ଘରେ ବିଭିନ୍ନ ପ୍ରକାର ପିଠାପଣା ଯଥା- ମଣ୍ଡା, ଆରିସା, କାକରା ଆଦି ଅନ୍ୟାନ୍ୟ ପିଠା ତିଆରି କରି କୁକୁଡା, ଛେଳି, ମେଣ୍ଢା ଇତ୍ୟାଦି ଆମିଷ ଖାଦ୍ୟ ଭୋଜନ କରିଥାନ୍ତି । ପୌଷ ପୂର୍ଣ୍ଣମୀରେ ଲୋକମାନେ ପାହାଡ଼, ପର୍ବତ , ପର୍ଯ୍ୟଟନ ସ୍ଥଳ ମାନଙ୍କୁ ଯାଇ ବଣଭୋଜି କରିଥାନ୍ତି । ଏହି ଦିନରେ ଛେରଛେରା ମାଗିବା ପରମ୍ପରା ଅତ୍ୟନ୍ତ ନିଆରା । ଲୋକମାନଙ୍କର ବିଶ୍ୱାସ ଯେ, ଏହି ଦିନରେ ଛୋଟ ଛୋଟ ପିଲା ଓ ଗରିବ ଲୋକମାନଙ୍କୁ ଧନ, ସମ୍ପତି ଦାନ କଲେ ଦ୍ଵିଗୁଣ ହୋଇଯାଏ , ସେଥିପାଇଁ ଲୋକେ ଛେର ଛେରା ମାଗିଥିବା ପିଲା ବୁଢ଼ାଙ୍କୁ ଅମଳ ଫସଲ ଓ କିଛି ଟଙ୍କା ଦାନ କରିଥାନ୍ତି । ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବରଗଡ଼, ସମ୍ବଲପୁର ସମେତ ଅନ୍ୟ ଜିଲ୍ଲା ଗୁଡ଼ିକରେ ପୁଷପୁନି ତିଆର ମାନୁ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ମାନୁଛନ୍ତି । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ , ଲିମସେର, ପଣ୍ଡକୁଲ, କୁମ୍ଭାରି, ଟେମରୀ, ଫରଙ୍ଗ ତଥା ଅନ୍ୟାନ୍ୟ ଗ୍ରାମରେ ଛୋଟ ପିଲା ଠାରୁ ବୟସ୍କ ବୁଢ଼ା ଯାଏଁ ସମସ୍ତେ ଛେର ଛେରା ମାଗିଥିବା ଥିବା ଦେଖାଯାଇଛି । ଏହି ଦିନରେ ବିଭିନ୍ନ ସ୍ଥାନରେ ସଂକୀର୍ତ୍ତନ, ବାଜା, ନୃତ୍ୟ ଆଦି ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଜଗଜ୍ଜୀବନ ସା ଙ୍କ ରିପୋର୍ଟ