_ _ ମାୟା ବଜାର _ _
ଜୟ କୁମାର ମିଶ୍ର
ହୋଏ ପରିବ୍ୟାପ୍ତ, ସେତ ଅଭିଶାପ
ସ୍ଵଭାବେ ଅଭାବ କରେ,
ମାୟା ବଜାରର, ମାୟା ଯାଦୁକର
ଏଠି ସେଠି ନିରନ୍ତର ll
ହୁଅ ହୁସିଆର, ହୋଇଣ ଚତୁର
ସରଳ ବିଶ୍ୱାସ ମତି ,
ହାତେ ମାପି ଚୁପି, ଚାଖଣ୍ଡରେ ଚାଲ
ପାଦ ଚାପି ଚାପି ଗତି ll
ସମୟ ଗଡୁଛି, ବିପଦ ବଢ଼ୁଛି
ନୁଆଁ ତରିକାର ଖେଳ,
ମୂରୁଖ ଅଜ୍ଞନ, ମୂଢ଼ମତି ଜନ
ଫସେ, ଧରି ମାୟା ଜାଲ ll
ମାୟା ବଜାରର, ମାହୋଲ ଖବର
ନିରେଖି ନିରେଖି ଦେଖ,
ବିଶ୍ୱାସରେ ବିଷ, କରେ ସର୍ବ ନାଶ
ସlରିଦିଏ ଶିରୀ, ସୁଖ ll
ଭୟ ଓ ଭକତି, ଆପେ ଆପେ ଇତି
କଳୁଷିତ କଳଙ୍କରେ,
ପ୍ରୀତି ପ୍ରତାରଣା, ନିତି ଜଣାଶୁଣା
ଘରେ ଦାଣ୍ଡେ ବାହାରରେ ll
ଯଉବନ ଏଠି, ଘୁମେଇ ସୁଇଛି
ଅଭାବ ଚାଦର ପାରି,
କେତେବେଳେ ସିଏ, ଅନୁଗାମୀ ହୁଏ
ଆଶା, ଭରସାଟି କରି ll
ସଜ ଫୁଟା କଳି, ଯାଉଛି ମଉଳି
ଜୀବନ ସଂଗ୍ରାମେ ଯୁଝି,
ରୂପର ସୁଷମା, ଫିକା ଓ ରୋଗୀଣା
ଧୂଳି ଧୂଆଁ ବାଜି ବାଜି ll
ସପନ ଅଂକୁର,ପଚି ଶଢ଼ି ଯାଏ
ହୁଏନା ସାକାର କେବେ,
ପାଣି ପାଗ ଯୋଗ, ତାର ଭୋଗ ଭାଗ୍ୟ
ପ୍ରତିକୂଳତାଟି ସାଙ୍ଗ ll
(ଘିଅ )ହାଣ୍ଡିଧରେ ଘିଅ, ଧନ ଆଣି ଦିଏ ଧନ
ଶୌଚାଳୟ ଶେଜ ଠାରେ,
ଟଙ୍କାଟିଏ ପାଇଁ, କେତେ ଧଇଁ ସଇଁ
ଖଟି ଖଟି ମନ ମରେ ll
ବଞ୍ଚିଥିବା ରୋଗୀ, ଯାତନାକୁ ଭୋଗି
ଯମପୁର ଦେଖା କରେ,
ଜିଇଁ ଥାଉଁ ଥାଉଁ, ଜମ ଦୂତ ଘେନେ
ଅନ୍ତର ଅଙ୍ଗକୁ ବାରେ ll
ମାନବିକତା ଭାବ, ଶିଷ୍ଟତା ସ୍ୱାଭାବ
ବନ୍ଧା ପଡେ ମୋହ ବାସେ,
ପୈଶାଚିକି ଲୀଳା, ଦଇତ୍ୟର ଖେଳା
ବିକଟାଳ ଭାବେ ହସେ ll
ଆଇନର ନେତ୍ର, ପଟି ବନ୍ଧା ସେତ
ମିଛ ସାକ୍ଷୀପତ୍ର ଛୁଏଁ,
ଦିନ ରାତି କୁହେ, ରାତି ଦିନ ହୁଏ
ନ୍ୟାୟ, ନୀତି କାନ୍ଦୁ ଥାଏ ll
ସମ୍ପର୍କ କାଟୁଛି, କଳେ ବଳେ ଗୋଛି
ନିଃସଂଖକୋଚ ତନୁ ମନେ,
ବିଶ୍ୱାସ ଭାବନା, ହଟି ତୁଟି ଯାଏ
ଅବିଶ୍ୱାସ ପ୍ରତିଦାନେ ll
ଧରମର ଭାଇ, ସରମ ପୁଛଇ
ମରମକୁ ଛୁଇଁ ଛୁଇଁ,
ରାକ୍ଷୀ ହୁଏ ସାକ୍ଷୀ, ସମ୍ପର୍କକୁ ଯୋଖି
ପ୍ରଣୟରକୁ ଡାକ ଦେଇ ll
ଭାଇ ଭଉଣୀର, ପବିତ୍ର ସଂସ୍କାର
କଳଙ୍କ କାଳିରେ ଭିଜା
କଥାକୁହା ପାଟି, ସଫେଦ ମୁହିଁଠି
ସଫେଇ ସଫେଦ ରୋଗ ll
ସାଇବର ଠକ, ପ୍ରତାରଣା ଦେଖ
ସରୁ ସୁତା ଶଂଖୀ କାଟେ,
ହେଉଛି ଉଦଣ୍ଡ, ଚିଟି ଫଣ୍ଡ କାଣ୍ଡ
କାଟେ ଚିତା ପଟେ ପଟେ ll
ପ୍ଲାଟ ଦେବା ପାଇଁ, ଟଙ୍କା ଗୋଛେ ନେଇ
କରେ ହଟହଟା ଠକ,
ଦିନ ମାସ କାଳ, ବିତଇ ଚଞ୍ଚଳ
ଉପଭୋକ୍ତା କରେ ଶୋକ ll
ହନିଟ୍ରେପ ରାସ, କରୁଛି ବେହୋସ
ଧନ, ମାନ ସାରି ଦିଏ
ଉତ୍କଚର ମିଠା, କରେ ହଟହଟା
ଦାଣ୍ଡେ, ବାଟେ ଘାଟେ ସିଏ ll
ରୂପ ନିଏ କିଣି, ମନ ବଣା ପୁଣି
ଭାଷାଟି କୋକିଳ ଜିଣା,
ସଂସ୍କାରଟି ଖଲି, ଚୂନକାଳି ବୋଳି
କରେ କେତେ ବାଟବଣା ll
ଏଠି ସେଠି ଖଲି, ମାୟା ଝିଲ୍ଲୀମିଲି
ଭରା କେତେ ମରୁବାଲି,
କିଏ ବାଟବଣା, କିଏ ଖାଏ ହଣା
ହୋଇ ସର୍ବହରା ଖାଲି ll
ଜୟ କୁମାର ମିଶ୍ର
ଗ୍ରାମ-ବୁଦୁରା , ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି , ଓଡିଶା, 761206



