_ ରାତ୍ର ଅଭିସାର _
ଅଭିସାର ଜାର ମନର ମିଳନ
ମୈଥୁନରେ ନୁହେଁ ପ୍ରାପ୍ତି
ପ୍ରିତିର ଫଲ୍ଗୁ ରେ ବିଞ୍ଚିଦେଇଅଛି
ଅସାମିକା ପରିବ୍ୟାପ୍ତି।
ପରିବ୍ୟାପ୍ତି ଜାର ତୁଳୀର ଅଙ୍କନ
ଅସ୍ପଷ୍ଟ ନେତ୍ରର ଦୃଶ୍ୟ
ବିଦିଶାରଣ୍ୟର ରମ୍ୟ ରୂପ କାନ୍ତି
ନେପଥ୍ୟରେ ହୁଏ ଭାସ୍ୟ।
ଭାସ୍ୟ ବଉଦର ବିସ୍ଛିର୍ଣ୍ଣ ଅଙ୍ଗରେ
ଗୋଧୁଳିର ଶେଷ ବେଳା
ଅଳସ ଅଙ୍ଗରେ ଲାବଣ୍ୟ କୁ ମାଖୀ
ବୋଳି ଦିଏ ରାତ୍ର କଳା।
କଳା କଉତୁକ ତୁଠ ପଥରରେ
ଘଷନାଁ ଅଳତା ପାଦ
ପଲ୍ଲବୀନି ସାଜି ସିଂଥି ସିନ୍ଦୁରରେ
ଗଣୁଥାଏ ପରମାଦ।
ପରମାଦ ଜାର ବିଧିର ନିର୍ଦେଶ
ଦିନ ଯାଏ ରାତି ଆସେ
ଆସର୍ଣ୍ଣ ଆସର ଆରତୀ ଦାନିରେ
ଜୀବନର ଅଙ୍କ କସେ।
କସି ବୟସର ସୀମା ସରହଦ
ମାପିକେ ପାରିବ ଆଉ
ଟିକେ ଖସିଗଲେ ଫେରିଆସିବନି
ଦେଖିବାକୁ ଆଉ ଭାଉ।
ଭାଉଜ ଜାହାର ସତୀ ଶିରୋମଣୀ
ଅଗ୍ନିରେ ଆହୁତି ଦେଲା
ଆଲିଙ୍ଗନ ମୁଦ୍ରା ମନ୍ମୟ ହୃଦୟେ
ଧରିତ୍ରୀ ଆଦରି ନେଲା।
ନୈଶ ଭୋଜୀ ଯଦି ଦେହ ହେଇଥିବ
ପ୍ରାରବ୍ଧ ସଙ୍ଗୀତ ଗାଇ
ଗାଡିଯାଉଥିବ ପଲଙ୍କ ଉପରେ
ଦେହକୁ ସମର୍ପି ଦେଇ।
ସମର୍ପଣ ଜାର ଅଙ୍ଗ ଆଭରଣ
ଅଳିକ ଜୀବନ ପାଇଁ
ଅଭିସାର ରଚି ରଙ୍ଗ ପସରାରେ
ଛପାଇଲ କାହିଁ ପାଇଁ।
କାଚକୁ କାଞ୍ଚନ କି ସୁନ୍ଦର ଦିଶେ
ନରକୁ ସୁନ୍ଦର ନାରୀ
ନିରବଧି ନୁହେଁ କଷଣ ସହିବା
ସଂସାର ପାଇଁକି ଭାରୀ।
ଭାରିଜା ଯାହାର ପଡି ଦାତ୍ରୀ ହୋଇ
କୀଟଠୁ ବ୍ରହ୍ମ।ଣ୍ଡ ପାଳେ
ସେଇ ନାରୀ ଶକ୍ତି ଶକ୍ତିଦା ଶ୍ୟାମଳା
ଜାତନା ଜଉରେ ଜଳେ।
ଜଳି ଯାଲୋ ତୁହି ପାଉଁଶ ପାଲଟି
ମଶାଣୀ ବୁକୁରୁ ଉଠି
କଥା କହିବସେ ମାତୃଶକ୍ତି ହୋଇ
ରଖୁ କେହି ଜଗଜେଠି।
ଜଗତ ପାଇଁକି ନିଜକୁ ଅର୍ପିତା
ଐସାନ ବାଦିନୀ ହୋଇ
ମୁଣ୍ଡ ମୋଡି ହିଆ ଫାଡ଼ି ଖାଇଯାଲୋ
ରକତ ମାଉଁସ ଥୋଇ।
ରାତ୍ରୀ ନୁହେଁ ଖାଲି ପ୍ରଣୟ ପ୍ରାବଲ୍ୟ
ପାଉଁଜିର ଛୁମୁ ଶବ୍ଦ
ସିକ୍ତ ହୃଦୟ ମନ୍ଦିର ଦ୍ୱାରର
ମହା ପୁଣ୍ୟମୟୀ ସିଦ୍ଧ।
ସିଦ୍ଧି ଯାହାର ପରାକାଷ୍ଠା ନେଇ
ଜଗତେ ହୋଇଛି ଶ୍ରେଷ୍ଠା
ଅନୁକୂଳ ହେଉ ସର୍ବ କର୍ମ ତାର
ଧର୍ମର ହେଉ ତାର ନିଷ୍ଠା।
ପୋଛି ଦିଅ ସବୁ ରାତ୍ରୀ କାରଷାଦି
କୌମଦକୀ ହେଉ ପ୍ରାପ୍ୟ
ଯୌବନର ଏହି ଅଭିସାର ନୁହେଁ ତାରୁଣ୍ୟର ହେବ ଗୋପ୍ୟ।
ଗୁର୍ଜ୍ଜରି ଉଠୁ ନବ ଓଲ୍ହାସ ରେ
ଉମ୍ମେହି ଉମ୍ମେହି ସୁଖ
ସୁରୁଜ ଆସନ୍ତୁ ସିମନ୍ତି କପାଳେ
ବିନ୍ଦୁ ସାଜି ନାସୀ ଦୁଃଖ।
ରାତ୍ରୀ ବିରାଜୁ ବିକଶିତ ହୋଇ
ଶାନ୍ତିର ସ୍ତବକ ଗାଇ
ନିର୍ଲଜ ପଣର ପଣତ ତଳରେ
ପାପ ଭାରା ଆଉ ନାଇଁ।
ପୀରତି ପ୍ରତିମା ନ ସାଜ ଗୋ ରାତ୍ରୀ
ତୁମେ କୃଷ୍ଣ।କୃଷ୍ଣ ବେଣୀ
ବିଜ୍ଞ ସାଜ ଗୋ ଗୁରୁରୂପା ହୋଇ
ପାର୍ବଣ ର ଶୁଭ କ୍ଷଣି।
ସିତାଂଶୁ ଜେନା
ସହ ସଂପାଦକ
ଓଡ଼ିଆ ଭାଷା ସାହିତ୍ୟ ପରିଷଦ, ଓଡ଼ିଶା



