ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା // ଦୁଷ୍ଟ ବୟସ 

     ଦୁଷ୍ଟ ବୟସ 

      ଅପର୍ତ୍ତି ସେଠୀ

        (ରମ୍ୟ ରଚନା)
ପଚାଶ ଫଗୁଣ ମୋ ଦେହେ ବାଜିଲା
       ମଳୟ ଦୂରେଇ ଗଲା,
ବାର୍ଦ୍ଧକ୍ୟଟା ଆସି ମୋ ଦ୍ଵାର ନିକଟେ
       ଗେଟ୍ ଠକ୍ ଠକ୍ କଲା।
ସ୍ଵାଗତ କରିବ ଫୁଲଗୁଚ୍ଛ ଦେବ
      ବରିଷ୍ଠ ବ୍ୟକ୍ତିତ୍ଵ କହି,
ଜରାଶ୍ରମ ପାଇଁ ଦରଖାସ୍ତଟିଏ
      ଲେଖିଦେବ ମୋ ପାଇଁ।
ଯମକାର୍ଯ୍ଯାଳୟେ ନାଁ ଟିକୁ ମୋର
       କଲାଣି ପଞ୍ଜିକରଣ, 
ତେଣୁ ବନ୍ଧୁ ପଣେ କରୁଛି ବରଣ
       ତାଙ୍କୁ ମୋ ଶତ ପ୍ରଣାମ।
ବାର୍ଦ୍ଧକ୍ୟ ଭତ୍ତା ମୋ ଶୀଘ୍ର ମିଳିବାକୁ
       ବୟସ ମୁଁ ବଢେଇଛି ,
ପ୍ରେମ କରିବାକୁ ସୁନ୍ଦରୀଙ୍କ ପାଖେ
       ବୟସକୁ କମ‌ଉଛି।
ବାର୍ଦ୍ଧକ୍ୟର ଛାପ ବୋଳିଦେଇଗଲା
       ସେଦିନୁଁ ଦୁଷ୍ଟ ବୟସ,
ମ‌ଉସା ଡାକଟା ଉପହାର ଦେଲା
       ସେ ଡାକ ଲାଗୁଛି ବିଷ।
ମୁଁ କିନ୍ତୁ ରସିକ ଏତେ ସହଜରେ
      ବାର୍ଦ୍ଧକ୍ୟକୁ ଚାହେଁ ନାହିଁ,
ଚୂଳକଳା କରି ବରମୁଣ୍ଡା ପିନ୍ଧି
      ନିଶ ଡେଲି ଚାଞ୍ଛେ ମୁହିଁ।
ହାଇସ୍ପିଡ୍‌ରେ ମୁଁ ବାଇକି ବି ଚଢେ
      ବିନା ଚଷମାରେ ପଢେ,
ସତର ବୟସ ଝିଅ ଫସୁଛନ୍ତି
      ଯେବେ ତାଙ୍କୁ ଆଖିମାରେ।
ଆଜିକା ଝିଅଙ୍କୁ ମୋହଠାରୁ କିଏ 
       ଅଧିକା ବା ଚିହ୍ନିଛନ୍ତି,
ଆଗେଆଗେ ମିଠା ପଛକୁ ଯେ ଅଠା 
       ଚୂଇଁଗମ୍ ଟି ଯେମିତି।
 ସପନ ଦେଖୁଛି ଦିନରେ ମୁଁ ପୁଣି
       ରସିକ ଶେଖର ପଣେ,
ଫେସବୁକ୍ ଦେଖି ସୁନ୍ଦରୀ ମାନଙ୍କୁ
       ଲାଇକ୍ କରେ ଜଣେ ଜଣେ।
ମୋ ହାତେ ପାୱାର ଯଦିବା ଥାଆନ୍ତା
       ମୋଟେ ବୁଢ଼ା ହୁଅନ୍ତିନି,
ବୟସକୁ ମୋର ଆଗକୁ ଯିବାକୁ
       ଆଉ କେବେ ଦିଅନ୍ତିନି।
ତଣ୍ଟିଆ ମାରିକି ଦୁଷ୍ଟ ବୟସକୁ
       ପାଖୁଁ ଦୂରେଇ ଦିଅନ୍ତି,
ହାତ ଧରି ତା’ର ଦରିଆ ସେପାଖେ
       ନେଇ ଛାଡ଼ି ଆସିଥାନ୍ତି।
ଆଜିକାଲି ପୁଣି ଛକ ବଜାରରେ
       ଡିମାଣ୍ଡ ମୋ କମିଲାଣି,
ମ‌ଉସା ଡାକଟା ବାରମ୍ବାର ମୋର
       ଛାତିକି ହକ୍ କଲାଣି।
ପୁଉଣି କୁହନ୍ତି ଅଳିହା ବୁଢ଼ା ଏ
       ରସିକ ନମ୍ବର ଓ୍ଵାନ୍,
ଝିଅଙ୍କୁ ଦେଖିଲେ ଅଧାଚନ୍ଦା ମୁଣ୍ଡେ
       କରୁଛି ହସ୍ତ ଚାଳନ। 
ଶାଢୀ ନ ପିନ୍ଧିକି ଆଜିକାଲି ବୁଢି
       ପିନ୍ଧୁଥାନ୍ତି ଚୂଡିଦାର,
ଭେନିଟ୍ ଗଳେଇ ପ୍ରଚାର କରନ୍ତି
       ବୟସ ତାଙ୍କ ଅଠର।
ମୋବାଇଲ ଧରି ଫୁଲେଇ ହୁଅନ୍ତି
       ଲିପିଷ୍ଟିକ୍ ଓଠେ ବୋଳି,
ଚୁଡିଦାର ପିନ୍ଧି ଆସୁଛି ଦେଖିଲି
       ଷାଠିଏ ବର୍ଷର ବୁଢି।
ମୋତେ ଦେଖିଦେଇ ମ‌ଉସା ଡାକିଲା
       ହୋଅସ ଗଲା ମୋ ଉଡି ,
ଚାଲୁଣି କହୁଛି ଛୁଞ୍ଚିକୁ ଦେଖ ହୋ
       ତା ପଛରେ କଣା ବୋଲି?
 କ’ଣ କୁଆଡୁ ଦେଖିଦେଇ ମୋତେ
       ଡାକୁଛ ତୁମେ ମ‌ଉସା,
ଡାଲା ବାଜିଲାଣି ତୁମର ମାଉସୀ
      ଷୋଡ଼ଶୀ ହେବାକୁ ଇଚ୍ଛା।
ଏତିକି କଥାରେ ଚପଲଟା କାଢି
      ମୋ ଗାଲରେ ସେକି‌ ଦେଲା,
ମୋ ମୁଣ୍ଡରେ ଥିବା ରସିକ ଭୂତଟା
      ସାଙ୍ଗେ‌ ସାଙ୍ଗେ ଓହ୍ଲେଇଲା।
ଏଭଳି ବୁଢିଙ୍କୁ ଆଣ୍ଟି ଡାକିଦେଲେ
       ଚିପିଦେବେ ପରା ତଣ୍ଟି,
ଆଇଲଭ ଇୟୁ କହିଦେବ ଯଦି
      ତେବେ ହେବେ ଯାଇ ଶାନ୍ତି।
ଚୂଳରଙ୍ଗ ବୋଳି ମେକପ୍ ହୋଇଲେ
      କି ବା ସବୁଦିନ ଥିବ,
ବୟସର ଦାଗ ଦେହେ ଲାଗିଗଲେ
  ‌‌ ଆପେ ଫୁଟି ଦିଶୁଥିବ।
ଦେହ ସିନା ବୁଢ଼ା ଅବଶ୍ୟଯେ ହୁଏ 
      ମନ ବୁଢ଼ା ହୁଏ ନାହିଁ,
କବିର ମନଟି ସଦା ସବୁଜୀମା
     ସତେ ଚିର ସ୍ରୋତା ନ‌ଈ।
ତେଣୁ ହେ‌ ପଣ୍ଡିତେ ନ ଭାବ କିଞ୍ଚିତେ
      ଦେଖି ଏହି ପରିସ୍ଥିତି,
ଏ ମୂର୍ଖ ଅପର୍ତ୍ତି ଲେଖିଦେଲା‌ କିଛି
       ଧରିବନି ଦୋଷ ତ୍ରୁଟି।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

ରାକେଶ ସାହୁଙ୍କ କବିତା // “ଆଜି ଜାଗର”  

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ll ସ୍ମୃତି ଚିହ୍ନ l l

Sunil Chandra Nayak

ତନ୍ମୟ କିଶୋର ଦାସ ଙ୍କ କବିତା// ନୂଆବର୍ଷ

Sunil Chandra Nayak

Leave a Comment

error: Content is protected !!