ଡାବୁଗାଁ, ୧୭/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ପରଶୁବେଢା ଗ୍ରାମ ନିକଟସ୍ଥ ନଦୀ ପୋଲ ଉପରେ ସୋମବାର ରାତ୍ରିରେ ଏକଅଜଣା ଗାଡି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ପରଶୁବେଢା ଗ୍ରାମ ନିକଟରେ ଥିବା ଭାରତମାଳା କ୍ୟାମ୍ପ-୧ ରେ କାର୍ଯ୍ୟରତ ମେଞ୍ଜର ଗ୍ରାମର ଦିବାନ ହରିଜନ (୨୦) ସୋମବାର ରାତ୍ରିରେ କାମ ସାରି ମୋଟରସାଇକେଲ ନଂ ଓଡି ୨୪ ସି ୬୩୭୦ ଯୋଗେ ନିଜ ଘରକୁ ଫେରୁଥିଲେ | ଫେରୁଟିବା ସମୟରେ ଭାସ୍କେଲ ନଦୀ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ସହ ଧକ୍କା ହୋଇଥିଲା | ଧକ୍କା ହେବା ଫଳରେ ଦିବାନ ଆହତ ହୋଇ ସେହି ସ୍ଥାନରେ ପଡିରହିଥିଲେ | ଦିବାନ ଆହତ ହୋଇ ରାତି ସାରା ଅତ୍ୟଧିକ ଥଣ୍ଡାରେ ପଡି ରହିବାରୁ ତାଙ୍କର ମୃତ୍ୟୁ ଘଟିଛି | ମଙ୍ଗଳବାର ସକାଳୁ ଗ୍ରାମର ଲୋକେ ରାସ୍ତା କଡରେ ମୋଟରସାଇକେଲ ସହ ଜଣେ ଲୋକ ପଡିଥିବା ଦେଖି ଥାନାକୁ ଖବର ଦେଇଥିଲେ | ଖବରପାଇ ଡାବୁଗାଁ ଆଇଆଇସି ସୁନୀଲ କୁମାର ପ୍ରଧାନ ଓ ସିଂସାରି ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ | ପରେ ପରିବାର ବର୍ଗଙ୍କୁ ଖବର ଦେଇଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଏନେଇ ମୃତକର ପିତା ଖଗୁ ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୦/୨୩ ରେ ଏକ ମାମଲା ରୁଜୁ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ