ଜାଳିଛି ଜାଗର
ହେ ! ଶିବ ଶଙ୍କର
ଆହେ! ହର ଶିବ ଭୋଳା ମହାଦେବ
ଓମ୍କାର ଶଶି ଶେଖର
ଜାଳିଛି ଜାଗର ହେ! ଶିବ ଶଙ୍କର
ଆଶୁତୋଷ ବିଶ୍ଵେଶ୍ଵର |(୧)
ପଞ୍ଚାକ୍ଷରୀ ନାମେ ତୁମ ମନ୍ତ୍ର ଧ୍ୟାନେ
ଜାଳିଛି ମୁହିଁ ଜାଗର
ଦୁଦୁରା-ଅରଖ ଚମ୍ପା-କନିଅର
ସାଥେ ଯାଚି ବେଲପତ୍ର |(୨)
ଅର୍ଦ୍ଧନାରୀଶ୍ଵର ଦିବ୍ୟ ରୂପୀ ରୂପ
ନେଇଥିଲ ଏଇ ଦିନେ
ନୀଳକଣ୍ଠ ହେଲ ପିଇ ହଳାହଳ
କ୍ଷୀର ସାଗର-ମନ୍ଥନେ |(୩)
ଗରଳ ପ୍ରଭାବେ ମୂର୍ଚ୍ଛିତ ହୋଇ ଯେ
ଶିବ ଅଚେତ ହୋଇଲେ
ଦେବଗଣ ସାଥେ ଏଇ ତିଥି ଗତେ
ଉମା ଜାଗର ଜାଳିଲେ |(୪)
ଫାଲ୍ଗୁନ ମାସର ଏ କୃଷ୍ଣ ପକ୍ଷର
ଚତୁର୍ଦ୍ଦଶୀ ଏଇ ତିଥି
ନୀଳକଣ୍ଠଙ୍କର ଜ୍ଵଳନ କଣ୍ଠର
ହରିଲେ ମାତା ପାର୍ବତୀ |(୫)
ହର୍ଷେ ଆଶୁତୋଷ ନଟରାଜ ବେଶ
ନାଚ ହେ! ଡମ୍ବରୁଧରୀ
ଫେଡି଼ ତ୍ରି-ନୟନେ ପାପର ସନ୍ଧାନେ
ଜାଳ ହେ! ତାଣ୍ଡବ କରି |(୬)
ଅଷ୍ଟସୁର-ଭସ୍ମାସୁରର ସଂହାର
କରି ରଖିଲ ସଂସାର
ମାତା କାଳୀଙ୍କର ପ୍ରଚଣ୍ଡ ଯେ କ୍ରୋଧ
ଶିବଶମ୍ଭୁ କଲ ଦୂର |(୭)
ହର-ହର-ହର ହର ମହେଶ୍ଵର
ଯେତେ ପାପ ସଂସାରର
ହୁଅ ବାରେ ତୋଷ ଢାଳ ହେ! ଆଶିଷ
ମଙ୍ଗଳ ହେଉ ବିଶ୍ଵର |(୮)
ସ୍ନେହ-ଶ୍ରଦ୍ଧା-ପ୍ରୀତି ରହିଥାଉ ତିଷ୍ଠି
ନିର୍ମଳ ହେଉ ହୃଦୟ
ଆହେ ! ଉମାପତି ଏତିକି ବିନତି
ବିଶ୍ଵ ହେଉ ମଧୁମୟ |(୯)
ଓଁ ନମଃ ଶିବାୟ
ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର
ଜୁନାଗଡ଼:- (କଳାହାଣ୍ଡି)
ଜନ୍ମଭୂମି :- ମଣ୍ଡଳ (ବଲାଙ୍ଗୀର)


