ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା l l ଆକାଶ କଇଁଆ ଚିଲିକା ମାଛ

ଆକାଶ କଇଁଆ ଚିଲିକା ମାଛ

           ଅପର୍ତ୍ତି ସେଠୀ

କଥାଟି ପୁରୁଣା ସମସ୍ତଙ୍କୁ ଜଣା
      କିନ୍ତୁ ମୂଲ୍ୟବାନ ସିନା,
ଯେ ତତ୍ତ୍ଵ ବୁଝିଛି ଭ୍ରାନ୍ତି ତୁଟିଅଛି
     ହୋଇନି ସେ ବାଟବଣା।
କ‌ଇଁଆ କହୁଛି ଆରେ ମାଛ ଭାଇ
      ତୁ ଅଛୁ ଚିଲିକା ଜଳେ,
ମୁଁ ଆଜି ଅଛି ଗଛ ଡାଳେ କାଲି
      ମିଶିବା ରୋଷେଇ ଶାଳେ।
ମାଛ ଆଉ କଞ୍ଚା ତେନ୍ତୁଳିର ଝୋଳ
       ଯେ ଖାଇଛି ଏକା ଜାଣେ,
ଟକଳ‌ ଫୁଟେଇ ଝୋଳ ହାମ୍ପୁଡେଇ
       ନିଜେ ଭାଗ୍ୟବାନ ମଣେ‌।
ଏ ଗଲା ଉପର ଆଖିଦେଖା କଥା
        ଭିତିରି କଥାଟି ଭିନ୍ନ,
ମାଛ କ‌ଇଁଆର ଭାବକୁ ବୁଝିଲେ
        ଧନ୍ୟ ହୋଇବ ଏ ପ୍ରାଣ।
ଏହି ମାଟିଘଟ ଯଦି ହୁଏ ମଠ
        ମଠରେ ବାବାଜୀ ଥାଏ,
ସେ ବାବାଜୀ ବଡ଼ ରସିକ ନାଗର
        ମାତାଟିଏ ଖୋଜୁଥାଏ।
ଦୁଇ ପ୍ରାଣୀଙ୍କର ଏହି ଖେଳଘର
        ପ୍ରେମ ଚାଲେ ନିରନ୍ତର,
ପ୍ରେମ ଛାଡିଗଲେ ମନ ତୁଟିଯାଏ‌
        ଛିଡେ ସମ୍ପର୍କର‌ ଡୋର।
ମଠଛାଏଁ ମଠ ପଡିରହିଥାଏ
        ବାବା ହୁଅନ୍ତି ଅନ୍ତର,
ଛିଣ୍ଡା ବସନର‌ ନେବାକୁ ଯତନ
        ମାତା ନଥାନ୍ତି ପାଖର।
ଭାଙ୍ଗିଯାଏ ଦିନେ ସେ ଯୁଗଳଲୀଳା
       ବହେ ଅଣଚାଶ ବାଆ,
ଚାଳ ଉଡିଯାଏ ମଠ ଶୋଇଯାଏ
       କାନ୍ଥ ଫାଟି କରେ ଆଁ।
ମାଟି ଘର ପଛେ ମିଶୁ ଏ ମାଟିରେ
       ନ‌ଇ ଗଣ୍ଠି ଛିଡି ଯାଉ,
ପାମ୍ପରା ବତାକୁ ଉଈ ପଛେ ଖାଉ
       ଭାବ କିନ୍ତୁ ବଞ୍ଚିଥାଉ। 
କେଶର କସ୍ତୁରୀ ଅତରର ମୂଲ୍ୟ
      ନ ଥାଉ ପଛେ ସଂସାରେ,
ତଥାପି ପରମ ପୁରୁଷର ଲୀଳା
      ଲାଗିଥାଉ ନିରନ୍ତରେ।
ମାଛ କ‌ଇଁଆର ଭାବେ ଜୀବ ବ୍ରହ୍ମ
      ବାବା ମାତାଙ୍କର ଛଳେ,
ପରମ ପ୍ରକୃତି ଖେଳା ଲୀଳା ଯହିଁ
      ସଦା ଦେହ ମନ୍ଦିରରେ।
ମାୟାରୁ ରହିତ ମୋହରୁ ବର୍ଜିତ‌
      ପବିତ୍ର ରଖିଲେ ମଠ,
ନିତ୍ଯ ବୃନ୍ଦାବନ ରାହାସ କାନନେ
      ନିଶ୍ଚେ ଦିନେ ହେବ ଭେଟ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

   

Related posts

ମିନତି ଦାଶ ଙ୍କ କବିତା = ବସନ୍ତ

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା // ମହାଶିବରାତ୍ରି ମହାଜାଗର

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା l l ସ୍ମୃତିରେ ସ୍ମୃତିରେ ୨୦୨୨ l l

Sunil Chandra Nayak

Leave a Comment

error: Content is protected !!