ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭବାନୀପାଟଣା ନଗର ଦେବୀ ମା ଗଙ୍ଗା ଦେବୀ ଠାକୁରାଣୀଙ୍କ ଚଇତ୍ରା ଯାତ୍ରା

ଭବାନୀପାଟଣା ର ଲାଲ ବାହାଦୂର ଷ୍ଟାଡିଅମ ସ୍ଥିତ ନଗର ଦେବୀ ମା ଗଙ୍ଗା ଦେବୀ ଠାକୁରାଣୀଙ୍କ ଚଇତ୍ରା ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଚୈତ୍ର ମାସ ଶେଷ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ନିମନ୍ତେ ଚୈତ୍ର ଶେଷ ମଙ୍ଗଳବାର ର ପୂର୍ବ ମଙ୍ଗଳବାର ଦିନ ଗଙ୍ଗା ଦେବୀ ଠାକୁରାଣୀଙ୍କ ମନ୍ଦିରରେ ପୂଜାରୀ ଏକ ମାଟି ନିର୍ମିତ ମାଠିଆ ଆକୃତିର ଘଟ ବା ଘଣ୍ଟ ରେ ବଟା ହଳଦୀ ଲେପନ କରି ତା ଉପରେ ଏକ ସୁସଜ୍ଜିତ ମୁକୁଟ ବାନ୍ଧିବା ସହ ସେଥିରେ ରୂପାର ଆଖି ,ନାକ,କାନ, ଜିଭ ଆଦି ଖଞ୍ଜିଥାନ୍ତି। ଘଟ ପ୍ରସ୍ତୁତି ପରେ ପୂଜାରୀ ଦେବୀଙ୍କ ଘଣ୍ଟ କୁ ମୁଣ୍ଡରେ ବୋହି ପାରମ୍ପରିକ ବାଦ୍ୟର ତାଳେ ତାଳେ ମନ୍ଦିରରୁ ବାହାରି ରାଜପ୍ରାସାଦ କୁ ଯାଇଥାନ୍ତି। ପରମ୍ପରା ଅନୁଯାୟୀ ରାଜପରିବାରର ପକ୍ଷରୁ ଘଣ୍ଟ ରେ ଅରୁଆ ଚାଉଳ ପୂର୍ଣ୍ଣ କରିବା ସହ ଘଣ୍ଟ କୁ ପୂଜାର୍ଚ୍ଚନା କରିଥାନ୍ତି। ରାଜା ଘରେ ପୂଜାର୍ଚ୍ଚନା ପରେ ପୂଜାରୀ ଦେବୀଙ୍କ ଘଣ୍ଟ କୁ ଧରି ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି। ବୁଧବାର ସନ୍ଧ୍ୟାରୁ ରବିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପ୍ରତିଦିନ ସନ୍ଧ୍ୟାରେ ପୂଜାରୀ ଦେବୀଙ୍କ ଘଣ୍ଟ କୁ ମୁଣ୍ଡରେ ବୋହି ଛତ୍ର ବାହକ ସହ ପାରମ୍ପରିକ ବାଦ୍ୟର ତାଳେ ତାଳେ ମନ୍ଦିରରୁ ବାହାରି ବିଳମ୍ବିତ ରାତ୍ରି ଯାଏଁ ନଗର ପରିକ୍ରମା କରିଥାନ୍ତି। ଭବାନୀପାଟଣା ସହରର ପ୍ରତ୍ୟେକ ପଡ଼ା ପରିକ୍ରମା କଲାବେଳେ ଦେବୀଙ୍କୁ ସହର ବାସୀ ନିଜ ନିଜ ଘର ସାମନାରେ ଧୂପ, ଦୀପ, ନୈବେଦ୍ୟ ଦେଇ ବନ୍ଦାପନା ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ସୋମବାର ଦେବୀଙ୍କ ବିଶ୍ରାମ। ଚଇତ୍ର ମାସ ଶେଷ ମଙ୍ଗଳବାର ଚଇତ୍ରା ଯାତ୍ରା ଦେବୀଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ପକ୍ଷରୁ ଦେବୀଙ୍କ ଚଇତ୍ରା ଯାତ୍ରା ପାଇଁ ପୂଜା ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଚଇତ୍ରା ଯାତ୍ରା ଦିନ ସକଳୁ ସଞ୍ଜ ଯାଏଁ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ସମାଗମ ହୋଇଥାଏ। ଶ୍ରଦ୍ଧାଳୁମାନେ ଗଜମୁଆଁ, ପଣା, ନଡ଼ିଆ, ପିଠା ଆଦି ନୈବେଦ୍ୟ ଦେବୀଙ୍କୁ ଅର୍ପଣ କରିଥାନ୍ତି। ଅନେକ ଶ୍ରଦ୍ଧାଳୁ ଦେବୀଙ୍କୁ ମାନସିକ କରି ଛେଳି, କୁକୁଡ଼ା ଓ ପାରା ବଳି ଦେଇଥାନ୍ତି। ଚଇତ୍ରା ଦିନ କଳାହାଣ୍ଡି ରେ ମହୁଲ, ଚାହାଁର ଓ କାନ୍ଦୁଲ ନୂଆ ଦେବୀଙ୍କୁ ଅର୍ପଣ କରାଯାଇଥାଏ। ଭବାନୀପାଟଣା ସମେତ କଳାହାଣ୍ଡି ଜିଲ୍ଲାରେ ଗ୍ରାମ ଦେବୀଙ୍କ ଚଇତ୍ରା ଯାତ୍ରା ଗ୍ରାମାଞ୍ଚଳରେ ଖୁବ ଆଡମ୍ବର ସହକାରେ ପାଳିତ ହୋଇଥାଏ। ଚଇତ୍ରା ନିମନ୍ତେ ସମଗ୍ର କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖରିତ ହୋଇଉଠେ। କଳାହାଣ୍ଡି ରେ ଗ୍ରାମ୍ୟ ଜନ ଜୀବନରେ ଚଇତ୍ରା ଯାତ୍ରା ସାମାଜିକ ସହାବସ୍ଥାନ ଓ ଏକତା ସୂତ୍ରରେ ସମସ୍ତଙ୍କୁ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଠାକୁରଙ୍କ ରଥକାଠ ଅନୁକୂଳ

Sunil Chandra Nayak

ଆଜି ପୌଷ ପୂର୍ଣ୍ଣିମା.. ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ

Sunil Chandra Nayak

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!