ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ର ଦାବି, ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ

 ରାଉରକେଲା/ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ପକ୍ଷରୁ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଦାବି କରିଛନ୍ତି। ସେ କହିଛନ୍ତି ଓଡ଼ିଶାର ଅଧିକାଂଶ ଶ୍ରମିକମାନେ ଘୋର ଦୟନୀୟ ସ୍ଥିତିରେ ଗତି କରୁଛନ୍ତି। ଦେଶର ୯୪ ଭାଗ ଶ୍ରମିକ ମାସକୁ ୧୦ ହଜାର ଟଙ୍କାରୁ କମ୍ ଦରମା ପାଆନ୍ତି ଅଥଚ ଦେଶର ବୃହତ ପୁଂଜିପତି ଅମ୍ବାନୀ ଓ ଆଦାନୀ ଙ୍କ ଦୈନିକ ଆୟ ପ୍ରାୟ ୨ ହଜାର କୋଟି ଟଙ୍କାରେ ପହଂଚିଛି। ବଜାର ଦର ବଢି ବଢି ଚାଲିଛି। ଯାତାୟତ ଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ, ଶିକ୍ଷା ବାବଦ ଖର୍ଚ୍ଚ ଉପରେ କୌଣସି କଟକଣା ନାହିଁ। ଅନ୍ୟ ପଟରେ କେନ୍ଦ୍ର ବିଜେପି ନେତୃତ୍ଵାଧୀନ ମୋଦି ସରକାର ଶ୍ରମିକ ମାନଙ୍କ ଅଧିକାର କୁ ସଂପୂର୍ଣ୍ଣ ଲୋପ କରିବା ସହିତ ଶ୍ରମିକ ଶ୍ରେଣୀକୁ ଚକ୍ରାନ୍ତ କରି ଧର୍ମ ଓ ଜାତି ନାମରେ ବିଭାଜନ କରୁଛି। ଦେଶର ଲକ୍ଷ ଲକ୍ଷ ଶ୍ରମିକ ମାନେ ରୋଜଗାର ସରକାର ଙ୍କ ଭୁଲ୍ ନୀତି ଯୋଗୁଁ ହରାଉଛନ୍ତି। କିନ୍ତୁ ପ୍ରତିବାଦ କରିପାରୁ ନାହାନ୍ତି। ବିଭିନ୍ନ ରାଜ୍ୟରେ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ଢେର୍ ଅଧିକ ହୋଇଥିଲା ବେଳେ ଓଡ଼ିଶାରେ ସର୍ବନିମ୍ନ ମଜୁରୀ ବହୁତ କମ୍ କିନ୍ତୁ ସରକାର ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ କାମ କରୁଥିବା ଡିଣ୍ଡିମ ପିଟୁଛନ୍ତି।ଏହି ପଟ୍ଟଭୂମିରେ ଶ୍ରମିକ ମାନଙ୍କ ମଜୁରୀ ନିର୍ଦ୍ଧାରଣ ପାଇଁ ୧୯୫୭ ମସିହାରେ ୧୫ଶ ଶ୍ରମ ସମ୍ମିଳନୀ ର ହିସାବ ଅନୁସାରେ ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ପକ୍ଷରୁ ଦାବି କରାଯାଇଛି। ପ୍ରତ୍ୟେକ ଶ୍ରମିକଙ୍କୁ ଦୈନିକ ୨୭୦୦ କ୍ୟାଲୋରୀ ଖାଦ୍ୟ, ବାର୍ଷିକ ମୁଣ୍ଡପିଛା ୧୮ ଗଜ କପଡା, ଜାଳେଣି, ଘରଭଡ଼ା, ଶିକ୍ଷା, ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚକୁ ହିସାବ କଲେ ମାସିକ ୨୬ ହଜାର ଟଙ୍କା ମଧ୍ୟ ଯଥେଷ୍ଟ ହେଉନାହିଁ। ତଥାପି ଶ୍ରମିକ ସଂଗଠନ ମାନଙ୍କର ମିଳିତ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ଅଣକୁଶଳୀ ଶ୍ରମିକଙ୍କ ମାସିକ ୨୬ ହଜାର ଟଙ୍କା, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ସେହି ଅନୁପାତରେ ବୃଦ୍ଧି କରିବାକୁ ସି ଆଇ ଟି ୟୁ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ,ଶ୍ରମ ସଚିବ,ଶ୍ରମ ଆୟୁକ୍ତ ଏବଂ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡ ଅଧ୍ୟକ୍ଷ ଙ୍କ ଉଦ୍ଦେଶ୍ୟରେ ଦାବି ଉପସ୍ଥାପନ କରାଯାଇଛି ଏବଂ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ବସନ୍ତ ନାୟକ, ହୃଦୟାନନ୍ଦ ଯାଦବ, ଜିଲ୍ଲା ଉପସଭାପତି ଶ୍ରମନ୍ତ ବେହେରା,ରାଜ୍ୟ କମିଟି ସଦସ୍ୟ ଆଇନଜୀବୀ ରାଜ କିଶୋର ପ୍ରଧାନ, ରତ୍ନାକର ନାୟକ, ଯଯାତି କେଶରୀ ସାହୁ, ଜିଲ୍ଲା ନେତା ବିଶ୍ଵଜିତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ରେ ପଣ୍ଡରାମାଳି ସମାଜର ନୂଆଖାଇ ଭେଟଘାଟ

masiha

ଜୟଦେବ କଳା ବିକାଶ କେନ୍ଦ୍ରର ୮ ମ ବାର୍ଷିକୋତ୍ସବ ସମ୍ପନ୍ନ 

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

Leave a Comment

error: Content is protected !!