ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହକ ମାଗି ଜେଲ ଗଲେ ଜମି ମାଲିକ

ଚନ୍ଦାହାଣ୍ଡି,୨/୫(ମସିହା ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବାବୁରିଆ ପ୍ରାଥମିକ ବିଦ୍ୟାଳୟର ଜମି ବିବାଦ କୋର୍ଟରେ ପହଞ୍ଚିଛି। ବିଦ୍ୟାଳୟରେ ତାଲା ଠୁଙ୍କି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ନେଇ ପ୍ରଧାନଶିକ୍ଷକ ଲିମୁ ଚରଣ ଶିରା ଅଭିଯୋଗ କରିବା ପରେ ଚନ୍ଦାହାଣ୍ଡି ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ମଞ୍ଜୁର ହେବା ପରେ ସମସ୍ତେ ମୁକୁଳିଛନ୍ତି। ଅନ୍ୟପଟେ ତହସିଲଦାରଙ୍କ ଉପସ୍ଥିତିରେ ବିଦ୍ୟାଳୟରୁ ଜୋର ଜବରଦସ୍ତ କରି ତାଲା ଖୋଲାଯାଇଛି।

ଅଭିଯୋଗ ଅନୁଯାୟୀ, ବହୁ ବର୍ଷ ହେଲା ବାବୁରିଆ ଗ୍ରାମର ସ୍ବର୍ଗତ ବୈଦର ନାଗଙ୍କ ପଟ୍ଟା ଜମିରେ ଗାଁରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବୈଦରଙ୍କ ପୈତୃକ ଜମିରେ ବିଦ୍ୟାଳୟ ନିର୍ମାଣ ହୋଇଥିବାରୁ ଏହି ବିଦ୍ୟାଳୟରେ ତାଙ୍କ ପରିବାରର ଜଣଙ୍କୁ ପିଅନ ଭାବେ ନିଯୁକ୍ତି ଦେବା ପାଇଁ ପରିବାର ଲୋକ ତଥା ଗ୍ରାମବାସୀ ବହୁ ଦିନ ହେଲା ଦାବି କରି ଆସୁଛନ୍ତି। ଏପରିକି ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା। ଏନେଇ ବୈଦରଙ୍କ ପରିବାର ପକ୍ଷରୁ ବିଦ୍ୟାଳୟ ସମ୍ମୁଖରେ ବହୁବାର ପରିବାର ତରଫରୁ ଧାରଣା ମଧ୍ୟ ଦିଆ ଯାଇଥିଲା। କିନ୍ତୁ ପ୍ରଶାସନ କୌଣସି କଥା ନ ଶୁଣିବାରୁ ମୃତ ବୈଦରଙ୍କ ପୁଅ ଓ ସଂପର୍କୀୟ ଗତ ମାସ ୨୪ ତାରିଖରେ ତାଲା ଠୁଙ୍କି ଦେଇଥିଲେ। ଏଥିଯୋଗୁଁ ବିଦ୍ୟାଳୟ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ନେଇ ସୋମବାର ପ୍ରଧାନଶିକ୍ଷକ ଲିମୁ ଚରଣ ଶିରା ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାକୁ ଆଧାର କରି ପୁଲିସ ବୈଦରଙ୍କ ପୁଅ ପରୀକ୍ଷିତ ନାଗଙ୍କ ସହିତ ସଂପର୍କୀୟ ଜୟରାମ ନାଗ ଓ ରୁପଧର ନାଗଙ୍କୁ ଗିରଫ କରି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତକୁ ପ୍ରେରଣ କରିଥିଲେ। ତେବ‌େ ଜାମିନ ଆବେଦନ ମଞ୍ଜୁର ହେବା ପରେ ସମସ୍ତ ଅଭିଯୁକ୍ତ ମୁକୁଳିଥିଲେ। ଏନେଇ ଚନ୍ଦାହାଣ୍ଡି ଥାନାରେ କେଶ୍‌ ନଂ-୬୨/୨୩ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ କହିଛନ୍ତି।

   ପରୀକ୍ଷିତ ନାଗଙ୍କ କହିବା ଅନୁଯାୟୀ, ବାପା ସ୍ବର୍ଗତ ବୈଦର ନାଗଙ୍କ ପଟ୍ଟା ଜମି ଖାତା ନଂ-୯୭, ପ୍ଲଟ୍‌ ନଂ- ୭୭୪,୮୫୮ ଓ ୮୫୯ରେ ଏହି ବିଦ୍ୟାଳୟ ନିର୍ମାଣ ହୋଇଛି। ଏନେଇ ଚନ୍ଦାହାଣ୍ଡି ତହସିଲଦାରଙ୍କ ଆଦେଶ ପ୍ରକାରେ ପୂଜାରୀଗୁଡା ରାଜସ୍ବ ନିରୀକ୍ଷକ ସରଜମିନ ତଦନ୍ତ କରିବା ପରେ ଉକ୍ତ ସ୍ଥାନ ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିଛନ୍ତି। କିନ୍ତୁ ପ୍ରଶାସନ ଆମକୁ ନ୍ୟାୟ ଦେବା ବଦଳରେ ଜୋରଜବରଦସ୍ତ ପୁଲିସ ଲଗାଇ ମାମଲା ରୁଜୁ କରି ମାମଲାକୁ ଦବାଇ ଦେବାକୁ ଉଦ୍ୟମ କରୁଥିବା ଜମି ମାଲିକ କହିଛନ୍ତି। ଆଗାମୀ ଦିନରେ ଏନେଇ ନ୍ୟାୟାଳୟର ଦ୍ବାରସ୍ଥ ହେବୁ ବୋଲି ପରୀକ୍ଷିତ କହିଛନ୍ତି। ଅନ୍ୟପଟେ ଚନ୍ଦାହାଣ୍ଡି ତହସିଲଦାର ଓ ଆଇଆଇସିଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ପଡ଼ିଥିବା ତାଲା ଖୋଲାଯାଇଥିବା ଜଣାପଡ଼ିଛି। ଏସ୍‌ଆଇ ଖଗେଶ୍ବର ଖୋସଲା ଏହି ମାମଲାର ତଦନ୍ତ କରୁଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ରାଉରକେଲା ପକ୍ଷରୁ ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ଦିବସ ପାଳନ 

masiha

ଶୌଚ ମୁକ୍ତ ପାଇଁ ତିଆରି ହୋଇଥିବା ଶୌଚାଳୟ କେବେ ଜନ ସାଧାରଣ ଙ୍କ ପାଇଁ ବ୍ୟବହାର ହେବ

Sunil Chandra Nayak

Leave a Comment

error: Content is protected !!