ରାଉରକେଲା /ସେକ୍ଟର ପାଞ୍ଚ ଗୁଣ୍ଡିଚା ମନ୍ଦିର ପାଖରେ ରାଉରକେଲା ବିକାଶ ମଞ୍ଚର ଏକ ବୈଠକ ର ଆୟୋଜନ କରାଯାଇଥିଲା l ହକି ବିଶ୍ବ କପ ପୂର୍ବରୁ ବିମାନବନ୍ଦର ଛକରେ ତିଆରି ହୋଇଥିବା ହକି କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କର ପ୍ରତିମୂର୍ତ୍ତି ଭାଙ୍ଗି ପଡିବା, ହକି ଷ୍ଟାଡିଅମରେ ପାଣି ପଡିବା, ବିଭିନ୍ନ ରାସ୍ତା ଦବିଯିବା ଆଦି ବିଷୟରେ ମଞ୍ଚ ତରଫରୁ ଗଭୀର ଉଦବେଗ ପ୍ରକାଶ ପାଇଥିଲା l କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ନିମ୍ନ ମାନର କାମ ହୋଇଥିବାରୁ ବିଶ୍ୱକପ୍ ସୁନାମରେ ଆଞ୍ଚ ଆସିଛି ବୋଲି ମତ
ପ୍ରକାଶ ପାଇଥିଲା l ଏତଦବ୍ୟତୀତ ବିମାନ ବନ୍ଦର ଆରମ୍ଭଠାରୁ ଆଇଏଲଏସ ସିଷ୍ଟମ ନ ଥିବାଯୋଗୁଁ ପାଞ୍ଚଥର ରାଉରକେଲାରୁ ବିମାନ ଉଡାଣ ରଦ୍ଦ ହୋଇଥିବାରୁ ଉଦବେଗ ପ୍ରକାଶ ପାଇଥିଲା l ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଖଣିଖାଦାନରେ ଭରପୁର ଥିଲାବେଳେ, ଏନଆଇଟି ଓ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ମାନ ଅଛି l ରାଉରକେଲା ସହରରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରର ବାସିନ୍ଦା ମାନେ ଏଠାରେ ବସବାସ କରନ୍ତି, ସେମାନଙ୍କ ପାଇଁ ଯୋଗାଯୋଗର ପର୍ଯାପ୍ତ ସୁବିଧା ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି l ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ରାଉରକେଲା ବିମାନ ବନ୍ଦରକୁ ଦିବାରାତ୍ର ପୂର୍ଣ୍ଣକାଳୀନ ବିମାନ ବନ୍ଦରରେ ପରିଣତ କରାଇବା, ଏଠାରେ ଏକ ନୂତନ ରେଳବାଇ ଡିଭିଜନ ପ୍ରତିଷ୍ଠା କରିବା,ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଇବା, ଉନ୍ନତ ସ୍ୱାସ୍ଥ୍ୟସେବା ଆରଜିଏଚ ଓ ଆଇଜିଏଚରେ ଉପଲବ୍ଧ କରାଇବା, ବିମଳାଗଡ଼ -ତାଳଚେର ରେଳଲାଇନକୁ ସମ୍ପୂର୍ଣ୍ଣ କରାଇବା,ବନ୍ଦ ହୋଇଯାଇଥିବା ଟ୍ରେନର ପୁନଃ ପ୍ରଚଳନ କରାଇବା ଆଦିକୁ ସମ୍ପୃକ୍ତ କର୍ତୃପକ୍ଷ ଅଣଦେଖା କରୁଛନ୍ତି l ବିମାନବନ୍ଦରରେ ଆଇଏଲଏସ ସିଷ୍ଟମ ନଥିବାରୁ ଆଗକୁ ଆସୁଥିବା ବର୍ଷାଋତୁରେ ବିମାନ ଚଳାଚଳ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହେଉଛି l ଜିଲ୍ଲା ଖଣିଜ ଫଣ୍ଡରୁ ଦଶକୋଟି ଟଙ୍କା ମଞ୍ଜୁର କଲେ ରାଉରକେଲାକୁ ସବୁଦିନିଆ ବିମାନବନ୍ଦରରେ ପରିଣତ କରି ଯୋଗାଯୋଗକୁ ସୁଗମ କରିହୁଅନ୍ତା l ଉନ୍ନତ ସ୍ୱାସ୍ଥ୍ୟସେବା ମିଳୁନଥିବାରୁ ଜିଲ୍ଲାବାସୀ ହଇରାଣ ହରକତ ହୋଇ ପାଞ୍ଚଶହ କିଲୋମିଟର ଦୂର କଟକ ଭୁବନେଶ୍ୱର ଯିବାକୁ ପଡୁଛି l ଚକ୍ରଧରପୁର ରେଳବାଇ ଡିଭିଜନର ସିଂହଭାଗ ଓଡିଶାରୁ ଯାଉଥିବାରୁ ରାଉରକେଲା ଠାରେ ଏକ ନୂତନ ଡିଭିଜନ ପ୍ରତିଷ୍ଠା କରିବା ଶହ ବନ୍ଦ ହୋଇଯାଇଥିବା ଟ୍ରେନର ପୁନଃ ପ୍ରଚଳନ ଅତିଶୀଘ୍ର କରିବା ଦରକାର ବୋଲି ମତପ୍ରକାଶ ପାଇଥିଲା l ଏ ବିଷୟରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ମଧ୍ୟ ବିକାଶ ମଞ୍ଚର ଦାବି ସହ ଏକମତ ହୋଇସ୍ୱର ଉତ୍ତୋଳନ କରୁଛନ୍ତି l ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱରେଏହି ସଭାରେ ବରିଷ୍ଠ ଉପଦେଷ୍ଟା ହରିହର ରାଉତରାୟ, ଆନଂଦଚନ୍ଦ୍ର ମହାନ୍ତି, ଅମୂଲ୍ୟ ବରାଳ, ଇଂ ଉତ୍ତମ କୁମାର ସାମଲ, ଦେବାଶିଷ ପାଣିଗ୍ରାହୀ, କୁଞ୍ଜବିହାରି ରାଉତ,ଇଂ ସୁପ୍ରତିକ ମିଶ୍ର, ନିରଞ୍ଜନ ଦାସ, ହରିହର ବେହେରା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ l
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ


