ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଲୋକକଳାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ,ବଢିଲା ଲୋକକଳା କଳାକାରଙ୍କ ପାରିଶ୍ରମିକ

ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି।

କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାରମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଲୋକକଳା ଜରିଆରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାର ପ୍ରସାର କରାଯାଇଥାଏ ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ । ଏହାସହିତ, କଳାକାର ମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ ।

ଏହି ନୂତନ ପାରିଶ୍ରମିକ ଅନୁଯାୟୀ, ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୨୦୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ଏକ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ ।

ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ଏବେ ଏକ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ ।ଘୋଡାନାଚ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ ।

ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୪୦୦ ଟଙ୍କା ଦିଆଯାଉଥିଲା । ଏବେ ଏକ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ । ଲୋକକଳାର ସୁରକ୍ଷା ତଥା କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ଦ୍ଵିତୀୟ ଥର ପାଇଁ ଜନ୍ମ ମାଟିରେ ମହାମହିମ ରାଷ୍ଟ୍ରପତି

masiha

ଓଡ଼ିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ ନେଇ ସଚେତନ ନାଗରିକ ମଞ୍ଚର ଉଦବେଗ 

masiha

ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ‘ମୋ ବସ୍‌’ , କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ସାମିଲ

Leave a Comment

error: Content is protected !!