ଆସନ୍ତା ସପ୍ତାହରେ ଦୀପାବଳି କିନ୍ତୁ ମାଟି ଦୀପ ବିକ୍ରି ନେଇ ଚିନ୍ତାରେ କୁମ୍ଭକାର
ତେନ୍ତୁଳିଖୁଣ୍ଟି , ୦୪/୧୧/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ନବେରୁ ଉର୍ଧ୍ଵ କୁମ୍ଭକାର ପରିବାର ବାସ କରନ୍ତି । ସେଥିମଧ୍ୟରୁ ପ୍ରାୟତଃ ଅଧାରୁ ଅଧିକ କୌଳିକ ବୃତ୍ତି କୁ ମାଟି ନିର୍ମିତ ସାମଗ୍ରୀ ର ବଜାର ଚାହିଦା ନ ଥିବାରୁ ନିଜ ପରିବାର ପ୍ରତିପୋଷଣ ପାଇଁ ବିକଳ୍ପ ବ୍ୟବସାୟ ଆପଣେଇ ଲେଣି। ଦୀପ ର ପର୍ବ ଦୀପାବଳୀ ପାଇଁ କିନ୍ତୁ କୁମ୍ଭକାର ପରିବାର ର ପ୍ରାୟ ସଭିଏଁ ପିଲାରୁ ବୟସ୍କ ଦୀପ ନିର୍ମାଣ କରିଥାନ୍ତି। ଚଳିତ ବର୍ଷ ଦୀପାବଳିକୁ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି କୁମ୍ଭକାର ପରିବାର । ଦିନକୁ ଦିନ ମାଟିରେ ନିର୍ମିତ ଦୀପ ର ଚାହିଦା ହ୍ରାସ ପାଉଥିବା ବେଳେ ଚାଇନା ସାମଗ୍ରୀ ,ତଥା ବିଦ୍ୟୁତ ଆଲୋକ ମାଳା ସ୍ଥାନ ନେଇଗଲାଣି । କୁମ୍ଭାର ପରିବାର ।ପ୍ରତିବର୍ଷ ଅଳ୍ପାଅଳ୍ପୀ ସାମଗ୍ରୀ ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି ।ସେଥିରେ ଅନ୍ୟାନ୍ୟ ଦିନରେ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଛନ୍ତି ।ଆଜିର ଆଧୁନିକ ଦିନରେ ଟେରା କୋଟା ସାମଗ୍ରୀ ପ୍ରସ୍ତୁତ କରି କିଛିଟା ବିକ୍ରିବଟା ବଢିଛି । ପ୍ଲାଷ୍ଟିକ ,ରଙ୍ଗବେରଙ୍ଗ ଆଲୋକର ମାଳ ଓ ଦୀପ ଏବଂ ଅନ୍ୟାନ୍ୟ ଧାତବ ସାମଗ୍ରୀର ଚାହିଦା ବୃଦ୍ଧି ହେତୁ ମାଟି ପ୍ରସ୍ତୁତ ସାମଗ୍ରୀ ଲୋପ ପାଇବାକୁ ବସିଲାଣି । ହିନ୍ଦୁ ରୀତିନୀତି, ଦଶାହ କାର୍ଯ୍ୟ ,ଏବଂ ଦୀପାବଳି ଭଳି କିଛି କାର୍ଯ୍ୟ ହେତୁ କିଛି ମାତ୍ରାରେ ଏହି ବୃତି ଜୀବିତ ଅଛି । ନଚେତ ଡିଜିଟାଲ ଦୁନିଆରେ ଗ୍ରୀଟିଙ୍ଗସ ଲୋପ ପାଇବା ଭଳି ଏହି ବୃତି ମଧ୍ୟ ଲୋପ ପାଇଯାଇସାରନ୍ତା । କୁମ୍ଭକାର ମାନେ ନିଜସ୍ୱ ବୃତ୍ତି ଛାଡି ପାରୁନଥିବା ବେଳେ ଉପଯୁକ୍ତ ମୂଲ ମଧ୍ୟ ମିଳୁନଥିବା କହୁଛନ୍ତି । ତେବେ ପ୍ରଶାସନ ପକ୍ଷରୁ କୁମ୍ଭକାରଙ୍କ ବିକାଶ ତଥା ଏହି ପୁରାତନ କୌଳିକ ବୃତିକୁ ଅଭିନବ ଢଙ୍ଗରେ ପ୍ରକାଶ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।