ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ ଆରମ୍ଭ
ବାଲେଶ୍ଵର,୧୨/୧୨/୨୩- ବିଭିନ୍ନ ଦାବି ନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବାଲେଶ୍ଵର ଶାଖାର ସମସ୍ତ ଡାକ ସେବକ ମାନେ ଧର୍ମଘଟକୁ ଉହ୍ଲାଇଛନ୍ତି । ଏହି ଦାବିରେ ଜିଲ୍ଲାର ବିଭିନ୍ନ ସବ୍ ପୋଷ୍ଟ ଅଫିସ ଆଗରେ ଧର୍ମଘଟ ଆରମ୍ଭ ହୋଇଛି । ସେମାନଙ୍କର ଦାବି ଗୁଡିକ ମଧ୍ୟରେ ଗ୍ରାମୀଣ ଡାକ ସେବକ ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ଦେଇ ୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ କରିବା ସଂଗେ ସଂଗେ ପେନସନ ବ୍ଯବସ୍ଥା, ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ବ୍ଯବସ୍ଥା, ୫ ଲକ୍ଷ ଟଙ୍କାର ଗୃପ୍ ଇନସୁରାନସ୍ ବ୍ଯବସ୍ଥା, ୫ ଲକ୍ଷ ଟଙ୍କାର ଗ୍ରାଚୁଇଟି ବ୍ଯବସ୍ଥା, ୧୮୦ ଦିନର ସବୈତନିକ ଛୁଟି ଦେବା ବ୍ଯବସ୍ଥା, କମଳେଶ ଚନ୍ଦ୍ରା କମିଟି ଦେଇଥିବା ୧୨ ବର୍ଷ, ୨୪ ବର୍ଷ ଓ ୩୬ ବର୍ଷରେ ପଦୋନ୍ନତି ବ୍ଯବସ୍ଥା, କମଳେଶ ଚନ୍ଦ୍ରା କମିଟି ତା ୦୧/୭/୧୮ ରିଖ ପରିବର୍ତ୍ତେ ତା ୦୧/୦୧/୧୬ ରିଖରୁ କାର୍ଯ୍ୟକାରୀ ବ୍ଯବସ୍ଥା, ଅବସର ନେଇଥିବା ଡାକ ସେବକ ମାନଙ୍କୁ ପେନସନ ବ୍ଯବସ୍ଥା, ଟାର୍ଗେଟ ଦେବା ଆଳରେ ଗ୍ରାମୀଣ ଡାକ ସେବକ ମାନଙ୍କୁ ହଇରାଣ ହରକତ କରିବା ବନ୍ଦ ବ୍ଯବସ୍ଥା ଓ RICT device ପରିବର୍ତ୍ତେ ଲାପଟପ୍, ପ୍ରିଣ୍ଟର ଦେବା ସଂଗେ ସଂଗେ ବ୍ରୋଡବ୍ଯାଣ୍ଡ ନେଟୱାର୍କ ବ୍ଯବସ୍ଥା ଅନ୍ତର୍ଭୁକ୍ତ । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦାବି ଗୁଡିକ ପୂରଣ ନ କରିଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଏ ଧର୍ମଘଟ ଚାଲୁ ରହିବ ବୋଲି ଖଇରା ସବ୍ – ପୋଷ୍ଟ ଅଫିସ ଆଗରେ ଧାରଣାରେ ବସିଥିବା ଗ୍ରାମୀଣ ଡାକ ସେବକମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଖଇରା ସବ୍ ପୋଷ୍ଟ ଅଫିସ ଅଧିନରେ ମୋଟ ୮ ଗୋଟି ଗ୍ରାମୀଣ ଡାକ ସେବକ କେନ୍ଦ୍ର ଅଛି । ଏହି ଧର୍ମଘଟ ଦ୍ବାରା ସାଧାରଣ ଜନତା ଡାକ ସେବା ନପାଇ ଫେରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଡାକ ସେବାରୁ ବଞ୍ଚିତ ହେଉଥିବା ଲୋକ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଡାକ ସେବକ ମାନଙ୍କ ଦାବି ଗୁଡିକୁ ବିଚରକୁ ନେଇ ସମସ୍ୟାର ସମାଧାନ କରନ୍ତୁ ବୋଲି ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।।