ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଯୁବ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ବିଶେଷ ସହାୟକ ହେବ ‘ନୂଆ-ଓ’ କାର୍ଯ୍ୟକ୍ରମ

ଯୁବ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ବିଶେଷ ସହାୟକ ହେବ ‘ନୂଆ-ଓ’ କାର୍ଯ୍ୟକ୍ରମ

 ରାଉରକେଲାରେ ଆରମ୍ଭ ହେଲା ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା
୬ କ୍ରୀଡ଼ାରେ ଭାଗ ନେବେ ୨୨ ଶହରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ

ରାଉରକେଲା, ୧୩ ଡିସେମ୍ବର ୨୦୨୩: ତୃଣମୂଳସ୍ତରରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତରଫରୁ ‘ନୂଆ-ଓ ଯୁବ ଓଡ଼ିଶା ନବୀନ ନବୀନ ଓଡ଼ିଶା ‘ କାର୍ଯ୍ୟକ୍ରମ ଅଧୀନରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ରାଉରକେଲା ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରତିଯୋଗିତାର ପ୍ରଥମ ଦିନରେ ସ୍ଥାନୀୟ ଡିଏଭି ପଡ଼ିଆରେ ମହିଳା ବର୍ଗରେ ୭ଟି ଦଳକୁ ନେଇ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଇସ୍ପାତ କଲେଜ ଖୋ ଆର୍ମି ଚାମ୍ପିଆନ ହୋଇଥିଲା। 

ଏହି କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ଦିବସରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ଉପସ୍ଥିତ ରହି କହିଥିଲେ ଯେ, ” ଯୁବ ଶକ୍ତିଙ୍କୁ ସଶକ୍ତ କରିବା ପାଇଁ ଏହି ‘ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା’ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ଯୁବ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ଏହି ପ୍ରତିଯୋଗିତା ବିଶେଷ ସହାୟକ ହେବ। କ୍ରୀଡ଼ା ତଥା କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ରାଜ୍ୟରେ ଉତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ତିଆରି କରାଯାଉଛି। ଏହା ସହ ଏହି ଭଳି କାର୍ଯ୍ୟକ୍ରମମାନ ମାଧ୍ୟମରେ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭା ଚୟନ କରାଯାଉଛି। କେବଳ ପାଠପଢ଼ା ନୁହେଁ କ୍ରୀଡ଼ା ପ୍ରତିଭା ଦ୍ଵାରା ମଧ୍ୟ ଜଣେ ଚାକିରି କରିପାରିବ ତାହା ସୁନିଶ୍ଚିତ କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମ ଶେଷ ବେଳକୁ ହଜାର ହଜାର ସ୍ଥାନୀୟ କ୍ରୀଡ଼ାବିତ ସେମାନଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ଉଜ୍ଜ୍ଵଳ ତାରକା ଭାବେ ନିଜକୁ ଗଢ଼ି ତୋଳିବେ ବୋଲି ମୋର ବିଶ୍ବାସ ରହିଛି” ବୋଲି କହିଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ। 

ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଅନୁଷ୍ଠିତ ହେଉଥିବା ଏହି କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ରାଉରକେଲା ସହରର ପ୍ରାୟ ୨୨୦୦ରୁ ଉର୍ଦ୍ଧ୍ଵ କ୍ରୀଡ଼ାବିତ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି। ଏହି ପ୍ରତିଯୋଗିତାରେ କ୍ରିକେଟ, ଫୁଟବଲ୍, ଭଲିବଲ୍, ହକି, କବାଡ଼ି ଓ ଖୋ-ଖୋ କ୍ରୀଡ଼ା ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ଦିନ ମହିଳା ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ଯାଚ ଅତ୍ଯନ୍ତ ରୋମାଞ୍ଚକର ହୋଇଥିବା ବେଳେ ଏଥିରେ ଇସ୍ପାତ କଲେଜ ଖୋ ଆର୍ମି ବାଲୁଘାଟ ଆସୋସିଏସନକୁ ହରାଇ ଚାମ୍ପିଆନ ହୋଇଥିଲା। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ଏକ ମ୍ଯାଚରେ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝିରପାଣି ପ୍ରଗତି କ୍ଲବକୁ ହରାଇ ବିଜୟୀ ହୋଇଥିଲା। 

ଏହି କ୍ରୀଡ଼ା ମହାକୁମ୍ଭରେ କ୍ରିକେଟ, ଫୁଟବଲ୍, ହକି, କବାଡ଼ି, ଖୋ-ଖୋ ଓ ଭଲିବଲ୍ ଛଅଟି କ୍ରୀଡ଼ାକୁ ସାମିଲ କରାଯାଇଛି। ୧୩ରୁ ୩୫ ବୟସ୍କ ଖେଳାଳି ଏହି କ୍ରୀଡ଼ା ନିମନ୍ତେ ନିଜ ନାମ ପଞ୍ଜିକରଣ କରିଛନ୍ତି। ରାଉରକେଲା ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୩୩ଟି ଦଳ ଭାଗ ନେଇଥିବା ବେଳେ ଭଲିବଲ୍ ନିମନ୍ତେ ୧୬ଟି ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ। ଏଥି ସହ ଫୁଟବଲ୍ ଓ ହକିରେ ପୁରୁଷ ବିଭାଗରେ ଯଥାକ୍ରମେ ୩୯ ଓ ୧୧ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ମହିଳା ବର୍ଗରେ ୩ ଓ ଗୋଟିଏ ଟିମ୍ ଭାଗ ନେବେ। ସେହିପରି ଭାବେ କବାଡ଼ି ପ୍ରତିଯୋଗିତା ନିମନ୍ତେ ୨୪ଟି ପୁରୁଷ ଦଳ ଓ ୧୦ଟି ମହିଳା ଦଳ ଅଂଶଗ୍ରହଣ କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଖୋ-ଖୋ ପ୍ରତିଯୋଗିତାରେ ୧୪ଟି ପୁରୁଷ ଦଳ ଓ ୮ଟି ମହିଳା ଦଳ ଅଂଶ ଗ୍ରହଣ କରିଛନ୍ତି। ଏହି ମହାକୁମ୍ଭରେ ପ୍ରାୟ ୨୨୦୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କ୍ରୀଡ଼ାବିତ୍ ଅଂଶଗ୍ରହଣ କରି ସେମାନଙ୍କର ସର୍ବଶ୍ରେଷ୍ଠ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବା ପୂର୍ବକ ସର୍ବଶେଷରେ ବିଜୟୀ ଦଳ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହେବେ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ଦଳ ରାଜ୍ଯ ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟ ବିବେଚିତ ହେବେ। ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଚାମ୍ପିଅନ ଟିମ୍ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ସହ ଟ୍ରଫି ପ୍ରଦାନର ବ୍ୟବସ୍ଥା ଥିବା ବେଳେ ରନର୍ସଅପ ଟିମକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଭାବେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୨୦ ହଜାର ଲେଖାଏଁ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି।  

ଏହି ଉଦ୍ଘାଟନୀ ଦିବସରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର, ଡେପୁଟି କମିଶନର ଶ୍ରୀଯୁକ୍ତ ସୁଧାଂଶୁ ଭୋଇ, ଗୌରବମୟ ପ୍ରଧାନ, ଓଏସଡି ଆରଡିଏ ଚନ୍ଦ୍ରକାନ୍ତ ମଲ୍ଲିକ, ଡିଏଭି ସ୍କୁଲ ଅଧ୍ୟକ୍ଷ ଲୋକନାଥ ପ୍ରଧାନ, ବିଭିନ୍ନ କ୍ରୀଡ଼ା ଆସୋସିଏସନର ସଦସ୍ୟ ତଥା ଆରଏମସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୋବରିଆ ଠାରେ ମା ଲଙ୍କେଶ୍ୱରୀ ସପ୍ତମ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଓଡିଶା କ୍ରିକେଟ ସଙ୍ଘ ର ଭିଜନ ୨୦୨୪ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

Sunil Chandra Nayak

ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

Leave a Comment

error: Content is protected !!