ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଦାଗଦା ପ୍ରତିଶ୍ରୁତି, ଦାବି ପୂରଣ ଶୂନ୍‌ , ଆଉ କେତେ ଦିନ ଅପେକ୍ଷା କରିବେ ଲାଞ୍ଜିଗଡ଼ବାସୀ

ଗଦାଗଦା ପ୍ରତିଶ୍ରୁତି, ଦାବି ପୂରଣ ଶୂନ୍‌

ଆଉ କେତେ ଦିନ ଅପେକ୍ଷା କରିବେ ଲାଞ୍ଜିଗଡ଼ବାସୀ

ଲାଞ୍ଜିଗଡ଼,୨୪ା୧୨(ମନିସ)-ନିର୍ବାଚନ ଆସୁଛି, ଯାଉଛି । ନେତା ଆସୁଛନ୍ତି, ଯାଉଛନ୍ତି । ତେବେ ଯେତେଥର ନିର୍ବାଚନ ଆସୁଛି ସେତେଥର ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଉଛି । ସେତେଥର ଦାବି ପୂରଣର କଥା କୁହାଯାଉଛି କିନ୍ତୁ ବର୍ଷବର୍ଷ ବିତିଯାଉଛି ସିନା ଲୋକଙ୍କ ଦାବି ପୂରଣ ହେଉନାହିଁ । ଲୋକେ ଦାବି କରି କରି ଥକିଗଲେଣି କିନ୍ତୁ ନା ସମସ୍ୟାର ସମାଧାନ ହେଉଛି, ନା ହେଉଛି ଦାବିପୂରଣ । ଏହିପରି ଭାବେ ବର୍ଷବର୍ଷ ଧରି ଲଗାତାର ଅବହେଳା ସହିତ ଦହଗଞ୍ଜର ଶିକାର ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଂଚଳବାସୀ । ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଭାବେ ପରିଚିତ ଲାଞ୍ଜିଗଡ଼ଠାରେ ଗତ ୨୦୦୩ ମସିହାରେ ଶିଳ୍ପାୟନର ସ୍ୱପ୍ନ ନେଇ ସ୍ଥାପିତ ହୋଇଥିଲା ବେଦାନ୍ତ ଲିମିଟେଡ । କିନ୍ତୁ କଂପାନୀ ସ୍ଥାପନ ହେବାର ୨୦ ବର୍ଷ ବିତିସାରିଥିଲେ ହେଁ ଧୂଳିଧୂଆଁ ଓ ପ୍ରଦୂଷଣ ବ୍ୟତୀତ ଲାଞ୍ଜିଗଡ଼ବାସୀଙ୍କ ଭାଗ୍ୟରେ ଆଉ କିଛି ମିଳିନାହିଁ । ଆଜି ପର୍ଯ୍ୟନ୍ତ ଲାଞ୍ଜିଗଡ଼ ସମେତ କଂପାନୀ ସଂଲଗ୍ନ ରାସ୍ତା ଅବହେଳିତ ହୋଇ ପଡ଼ିରହିଥିବାବେଳେ ଆଜି ପର୍ଯ୍ୟନ୍ତ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ହୋଇପାରିନାହିଁ । ସେହିପରି ଡିଏଭି ସ୍କୁଲ ସ୍ଥାପନ ଜରିଆରେ କଂପାନୀ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଯାଏଁ କିଛି ଛାତ୍ରଛାତ୍ରୀ ପାଠ ପଢିବାକୁ ସୁଯୋଗ ପାଉଛନ୍ତି ସତ କିନ୍ତୁ ଉଚ୍ଚଶିକ୍ଷା ପାଇଁ କେନ୍ଦୁଗୁଡ଼ା ଛକ ନିକଟରେ ପ୍ରସ୍ତାବିତ ଡିଗ୍ରୀ କଲେଜ ଆଜି ପର୍ଯ୍ୟନ୍ତ ସ୍ଥାପନ ହୋଇପାରିଲା ନାହିଁ । ବିସ୍ଥାପିତ ପରିବାରମାନେ ଆଜି ବି ନିଜର ହକ୍ ଓ ଅଧିକାର ପାଇଁ ଲଢେଇ କରୁଥିବାବେଳେ କଂପାନୀ କର୍ତ୍ତୃପକ୍ଷ ବାସିପାଣିରେ ପଚାରୁନାହାନ୍ତି । ସେହିପରି ସରକାର ଓ ପ୍ରଶାସନ ଦ୍ୱାରା ମଧ୍ୟ ବିଭିନ୍ନ ସମୟରେ ପ୍ରତାରଣାର ଶିକାର ହୋଇ ଆସୁଛନ୍ତି ଲାଞ୍ଜିଗଡ଼ ଅଂଚଳବାସୀ । ଲାଞ୍ଜିଗଡ଼ଠାରେ ଜେଏଫ୍‌ଏମ୍‌ସି କୋର୍ଟ ସ୍ଥାପନ ଦିନ ଗଡ଼ି ଚାଲିଥିବାବେଳେ ନ୍ୟାୟାଳୟ ସ୍ଥାପନର ଲଢେଇ ଲଢୁଥିବା ଅଂଚଳବାସୀ ଏବେ ଅତିମାତ୍ରାରେ ନିରାଶ ହୋଇପଡ଼ିଲେଣି । ସେହିପରି ଲାଞ୍ଜିଗଡ଼ ନିକଟସ୍ଥ ଜଗନ୍ନାଥପୁର ମୌଜାରେ ଆଇଟିଆଇ ସ୍ଥାପନ ପାଇଁ ଜାଗା ଚିହ୍ନଟ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ବାଟ ଫିଟିନାହିଁ । ଅପରପକ୍ଷରେ ଧର୍ମଗଡ଼ ଓ ଜୁନାଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ରାଜ୍ୟ ସରକାର ଚଟାପଟ ଘୋଷଣା କରିଥିବାବେଳେ ଲାଞ୍ଜିଗଡ଼ ଆଜି ବି ସେଥିରୁ ବଂଚିତ ହୋଇରହିଛି । ସେହିପରି ଶିଳ୍ପାୟନ ପରେପରେ ଲାଞ୍ଜିଗଡ଼ ଏକ ନବ୍ୟ ସହର ଭାବେ ପରିଗଣିତ ହୋଇଥିବାବେଳେ ଲାଞ୍ଜିଗଡ଼କୁ ଏନ୍‌ଏସି ଭାବେ ଘୋଷଣା କରାଯିବାକୁ ଦାବି ହେଉଥିଲେ ହେଁ ସରକାର କିମ୍ବା ପ୍ରଶାସନ ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି । ସହରାଂଚଳ ବଢିବା ଫଳରେ ଅଂଚଳବାସୀଙ୍କ ଅବସର ବିନୋଦନ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସୁବିଧା ନଥିବାବେଳେ ଲାଞ୍ଜିଗଡ଼ ଆଖପାଖ ଅଂଚଳରେ ପାର୍କଟିଏ ନିର୍ମାଣ କରାଯିବା, ଟାଙ୍ଗନକନା ଡ୍ୟାମ୍‌ର ଉନ୍ନତିକରଣ ସହିତ ବୋଟିଂ ବ୍ୟବସ୍ଥା କରାଯିବା ଭଳି ଦାବି ଉଠୁଥିଲେ ବି ଏହାକୁ ଶାସନ, ପ୍ରଶାସନ ଓ ଜନପ୍ରତିନିଧି ଆଦୌ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ଲାଞ୍ଜିଗଡ ଅଂଚଳର ଅନେକ ପ୍ରତିଭା ତୀରନ୍ଦାଜ, ଫୁଟବଲ, କରାଟେ, ବ୍ୟାଡମିଣ୍ଟନ ଆଦି ଖେଳରେ ରାଜ୍ୟ ଓ ଜାତୀୟସ୍ତରରେ ଭାଗ ନେଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣି ଦେଉଥିବାବେଳେ ସେମାନଙ୍କ ପାଇଁ ଏକ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ପରିକଳ୍ପନା କରାଯାଉଥିଲେ ହେଁ ଏଥିପ୍ରତି ଆଦୌ ଗୁରୁତ୍ୱ ଦିଆଯାଉନାହିଁ । ସେହିପରି ବର୍ଷ ତମାମ ନାତିଶୀତୋଷ୍ଣ ବାତାବରଣ ଥିବା ଲାଞ୍ଜିଗଡ ଅଂଚଳକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା ସହିତ ଉନ୍ନୟନ ପାଇଁ ଦାବି ଉଠୁଥିଲେ ହେଁ ଏହା ମଧ୍ୟ ଦାବିରେ ରହିଯାଇଛି । ଲାଞ୍ଜିଗଡକୁ ଏକ ଆଦର୍ଶ ସହର ଭାବେ ପରିଗଣିତ କରିବା ସହିତ ଏକ ସମୃଦ୍ଧ ଓ ବିକଶିତ ଲାଞ୍ଜିଗଡର ସ୍ୱପ୍ନ ଦେଖୁଥିବା ଲାଞ୍ଜିଗଡ ଅଂଚଳବାସୀ ଏନେଇ ବାରମ୍ବାର ଦାବି କରୁଥିବାବେଳେ ନିର୍ବାଚନ ପରେ ନିର୍ବାଚନ ଆସୁଛି ଓ ଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ ଦାବିଗୁଡିକ କେବଳ ପ୍ରତିଶ୍ରୁତିରେ ରହିଯାଇଛି । ତେବେ ଆଗାମୀ ନିର୍ବାଚନରେ ଲାଞ୍ଜିଗଡ ଅଂଚଳବାସୀଙ୍କ ପାଇଁ ବକେୟା ତାଲିକାରେ ଆଉ କେତେ ପ୍ରତିଶ୍ରୁତି ସାମିଲ ହେବ ଦେଖିବାକୁ ବାକି ରହିଲା ।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ରାଉରକେଲା ଗୁରୁଦ୍ଵାର ପକ୍ଷରୁ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ

Sunil Chandra Nayak

ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍‌ଏସ୍‌ଏମ୍‌ଇ : ନୂଆପଡ଼ାରେ ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ 

Sunil Chandra Nayak

୭ରେ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକୋତ୍ସବ  କବି ସୁଶାନ୍ତ ରଣା ପାଇବେ ଅ’ ପ୍ରତିଭା ସମ୍ମାନ

masiha

Leave a Comment

error: Content is protected !!