ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଅଭିଯାନ

ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଅଭିଯାନ

୨ ଲକ୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ସାମୁହିକ ଶପଥପାଠ

ଭବାନୀପାଟଣା,୨୦/୦୨( ମ ନି ସ)-ଏକବିଂଶ ଶତାବ୍ଦୀର ଏହି ଆଧୁନିକ ଯୁଗରେ ଆମ ଦେଶ ବିକାଶ ପଥରେ ଯାତ୍ରୀ ହୋଇଛି । ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ନିଜର ଉପସ୍ଥିତି ଜାହିର କରିବା ସହିତ ବିଶ୍ୱର ଏକ ମହାଶକ୍ତି ଭାବେ ଉଭା ହେବାକୁ ଯାଉଛି । କିନ୍ତୁ ଏହି ସମୟ ମଧ୍ୟରେ ଦେଶରେ ଆଜି ବି କେଉଁଠି ନା କେଉଁଠି କୋମଳମତି ଶିଶୁଟିଏ ଯୌନ ନିର୍ଯାତନାର ଶିକାର ହେଉଛି । କଢିଟିଏ ଫୁଲ ହୋଇ ଫୁଟିବା ଆଗରୁ ଅକାଳରେ ଝଡିପଡୁଛି । ଦେଶରେ ପ୍ରତି ସେକେଣ୍ଡରେ ୫୨.୯୪ ପ୍ରତିଶତ ଶିଶୁ ଓ ୪୭.୦୬ ପ୍ରତିଶତ ଶିଶୁକନ୍ୟା ନିର୍ଯାତନାର ଶିକାର ହେଉଥିବା ଜଣାପଡିଛି । କେବଳ ସେତିକି ନୁହେଁ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ଗତ ୨୦୨୨ ବର୍ଷରେ ସାରା ଦେଶରେ ୧.୬୨ ଲକ୍ଷ ଶିଶୁ ନିର୍ଯାତନା ମାମଲା ସାମ୍ନାକୁ ଆସିଥିବାବେଳେ ୨୦୨୧ ବର୍ଷରୁ ଏହା ପ୍ରାୟ ୯ ପ୍ରତିଶତ(୧.୪୯ ଲକ୍ଷ) ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ସେହିପରି ୟୁନିସେଫର ତଥ୍ୟ ଅନୁଯାୟୀ, ଦେଶରେ ଆଜି ବି ୩୪ ପ୍ରତିଶତ ମହିଳା ନିଜ ବିବାହ ବୟସ ହେବା ପୂର୍ବରୁ ବିବାହ କରୁଛନ୍ତି । ଯାହାର ଫଳସ୍ୱରୂପ, ଦେଶରେ ବିଭିନ୍ନ ଯୋଜନା ସତ୍ୱେ ମାତୃ ଓ ଶିଶୁ ମୃତ୍ୟୁହାରକୁ ସଂପୂର୍ଣ୍ଣ ଭାବେ ରୋକାଯାଇପାରିନାହିଁ । ଏପରିକି ଦେଶରେ ପ୍ରାଥମିକ ଶିକ୍ଷାକୁ ଏକ ମୌଳିକ ଅଧିକାରର ମାନ୍ୟତା ମିଳିଥିଲେ ହେଁ ଆଜି ପର୍ଯ୍ୟନ୍ତ ଦେଶରେ ଶିଶୁ ଶ୍ରମିକ ଭଳି କୁପ୍ରଥାକୁ ଉଚ୍ଛେଦ କରାଯାଇପାରିନାହିଁ । ୨୦୨୨ ବର୍ଷ ସୁଦ୍ଧା ଦେଶର ୪.୪ ପ୍ରତିଶତ ଶିଶୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଥିବାବେଳେ ପ୍ରାୟ ୩ ପ୍ରତିଶତ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି । ଆଜି ବି ବିଭନ୍ନ କ୍ଷେତ୍ରରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିବାକୁ ମିଳୁଛି । ଖେଳିବା, ବୁଲିବା ଓ ପାଠ ପଢିବା ବୟସରେ ଶିଶୁମାନେ କଠିନରୁ କଠିନ କାର୍ଯ୍ୟ କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଓଡିଶାରେ ଶିଶୁ ଯୌନ ନିର୍ଯାତନା, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ କରିଛି ସ୍ୱେଚ୍ଛାସେବୀ ସଂସ୍ଥା ଶକ୍ତି ଅନୁଷ୍ଠାନ । ଅନୁଷ୍ଠାନର ରାୟଗଡାସ୍ଥିତ ମୁଖ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ୨୦୨୩ ଜୁନ ମାସରୁ କଳାହାଣ୍ଡି ଜିଲ୍ଲାର ସଦର ବ୍ଲକର ୩୬ ଗ୍ରାମପଞ୍ଚାୟତର ୧୫୦ଟି ଗାଁରେ ଶକ୍ତି ଅନୁଷ୍ଠାନ ଏହି ସମସ୍ୟାର ଉନ୍ମୁଳନ ପାଇଁ ସାମାଜିକ ସଚେତନତା କାର୍ଯ୍ୟ ଜାରି ରଖିଛି । ସେହିପରି ଜିଲ୍ଲାର୧୩ଟି ବ୍ଲକ ଓ ସହରାଂଚଳର ବିଭିନ୍ନ ସ୍କୁଲ, ବିଭିନ୍ନ ଗାଁରେ ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ନେଇ ସଚେତନତା ସଭାର ଆୟୋଜନ କରିବା ସହିତ ଏଇ ଅପରାଧ ଓ କୁପ୍ରଥା ରୋକିବା, ସାହସର ସହିତ ମୁକାବିଲା କରିବାକୁ ସାମୁହିକ ଶପଥ ପାଠ କରାଯାଉଛି । ବର୍ତମାନ ପର୍ଯ୍ୟନ୍ତ ଅନୁଷ୍ଠାନର ପ୍ରଚ୍ଛନ୍ନ ଉଦ୍ୟମରେ ଜିଲ୍ଲାର ୨ ଲକ୍ଷ ୨୫ ହଜାରରୁ ଛାତ୍ରଛାତ୍ରୀ, ବିଭିନ୍ନ ବର୍ଗର ଜନସାଧାରଣ ଏହି ଶପଥପାଠ କରିବା ସହିତ ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ ସହିତ ବରାବର ସମ୍ମନ୍ୱୟ ରକ୍ଷା କରି ଏ ଦିଗରେ ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ପ୍ରଦାନ ବାବଦରେ କାର୍ଯ୍ୟ କରିଆସୁଛି ଅନୁଷ୍ଠାନ । ଜଣେ ଜିଲ୍ଲା ସଂଯୋଜକଙ୍କ ନେତୃତ୍ୱରେ ଜିଲ୍ଲାରେ ୧୯ଜଣ କ୍ଷେତ୍ରୀୟ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ଦଶନ୍ଧୀ ଧରି ସାରା ବିଶ୍ୱରେ ଶିଶୁ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ଡ. କୈଳାସ ସତ୍ୟାର୍ଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ଡ. କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍ ଫାଉଣ୍ଡେସନର ସହାୟତା ଓ ମାର୍ଗଦଶନରେ ଶକ୍ତି ଅନୁଷ୍ଠାନ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଇଆସୁଛି । ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରେ ଶିଶୁ ସୁରକ୍ଷା ଦିଗରେ ଏକ ମାଇଲଖୁଂଟ ତିଆରି କରିବାକୁ ଅନୁଷ୍ଠାନ ପ୍ରତିଶ୍ରୁତିବଦ୍ଧ ବୋଲି ଏହାର ଜିଲ୍ଲା ସଂଯୋଜକ ସୁଜିତ ସେନ କହିଛନ୍ତି । ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ହୋଟେଲ ରୟାଲ ମିଡଟାଉନ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିବାବେଳେ ଏଥିରେ ଜିଲ୍ଲା ସଂଯୋଜକ ଶ୍ରୀ ସେନ, ସଂଯୋଜିକା ଏସ. ସୁଜାତାଙ୍କ ସମେତ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ସନ୍ତୋଷ ସିଂହଦେଓ, ମନମୋହନ ପ୍ରଧାନ, ବିକାଶ ଷଡ଼ଙ୍ଗୀ, ଆଇନଜୀବୀ ଋଷିସୂଦନ ଛତ୍ରପାଲ, ତଳବେଲଗାଁ ସମିତିସଭ୍ୟ ସରୋଜ ନାଏକ, ଚାଞ୍ଚେର ସମିତି ସଭ୍ୟ ଶୁକୃ ମାଝୀ, ସମାଜସେଵୀ ସୁନିତା ନାଏକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଜିଲ୍ଲାର ବିଭିନ୍ନ ଅଂଚଳରୁ ବିଭିନ୍ନ ବର୍ଗର ଜନସାଧାରଣ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ବାଳକୃଷ୍ଣ ମଲ୍ଲିକ, ନିରାକାର ଦୁର୍ଗା, ଶରତ ବେନୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ 

masiha

ଜମି ମାଫିଆ ଙ୍କ କବଜାରେ ଗୋଚର ଜମି !!!

Leave a Comment

error: Content is protected !!