ଋଷିଆ ବିଶ୍ୱ ଯୁବ ସମ୍ମିଳନୀରେ ଯୋଗ ଦେବେ ଓଡ଼ିଆ ପୁଅ ମହେନ୍ଦ୍ର
ନବରଙ୍ଗପୁର:(୨୭|୨) ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ମହେନ୍ଦ୍ର କୁମାର ନାୟକଙ୍କୁ ଆସନ୍ତା ମାର୍ଚ୍ଚ ୧ ରୁ ୭ ପର୍ଯ୍ୟନ୍ତ ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ଆଦେଶରେ ଅନୁଷ୍ଠିତ ୟୁଥ ସିଟି “ସୋଚି” ଠାରେ ହେବାକୁ ଥିବା ବିଶ୍ୱର ସବୁଠାରୁ ବଡ ଯୁବ କାର୍ଯ୍ୟକ୍ରମ “ବିଶ୍ୱ ଯୁବ ସମ୍ମିଳନୀ-୨୦୨୪” ରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବାକୁ ରୁଷିଆ ସରକାର ତଥା ଫେଷ୍ଟିଭାଲ ଡାଇରେକ୍ଟୋରେଟ ପକ୍ଷରୁ ନିମନ୍ତ୍ରଣ ଆସିଛି I ସ୍ବେଛାସେବୀ, ଆନ୍ତର୍ଜାତିକ ସହଯୋଗ, ବ୍ୟବସାୟ, ଗଣମାଧ୍ୟମ, ଶିକ୍ଷା, ସଂସ୍କୃତି, କ୍ରୀଡା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ୧୮୮ଟି ଦେଶରୁ ଆସିଥିବା ୩୦୯୫୪୨ ଆବେଦନ ପତ୍ରରୁ ଚୟନ ହୋଇଥିବା ଜଣାପଡିଛି I ୧୮ ରୁ ୩୫ ବୟସର ୧୮୮ଟି ଦେଶରୁ ୧୦ ହଜାର ଓ ରୁଷିଆରୁ ୧୦ ହଜାର ଯୁବ ପ୍ରତିଭାଙ୍କୁ ନେଇ ଉତ୍ସବ ଆୟୋଜିତ ହେଉଥିବା ଏହି ଉତ୍ସବରେ ମହେନ୍ଦ୍ର ଆନ୍ତର୍ଜାତୀୟ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, କୃଷି, ମାନବିକ ଅଧିକାର ଓ ସ୍ଥାୟୀ ବିକାଶ ଲକ୍ଷ୍ୟର ଉନ୍ନତି ଉପରେ ବିଶେଷ ଆଲୋଚନାରେ ଯୋଗଦେବେ “ଆନ୍ତର୍ଜାତୀୟ ବ୍ୟବସାୟରେ ଭାରତୀୟ ଯୁବକଙ୍କ ଅବଦାନ ଓ ବିଶ୍ୱଶାନ୍ତି ନିମନ୍ତେ ଯୁବସମାଜର ଭୂମିକା” ଉପରେ ନିଜର ବକ୍ତବ୍ୟ ରଖିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି I ଏହି କାର୍ଯ୍ୟକ୍ରମରେ ୧୦୦ଟି ଦେଶର ଆର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଯୁବ ରାଜନୀତିଜ୍ଞ, ଶିଳ୍ପପତି, କ୍ରୀଡ଼ାବିତ, ସମାଜସେବୀ, ସେଲିବ୍ରିଟି ଯୋଗଦେବେ ବୋଲି ସୂଚନା ମିଳିଛି I ‘ବସୁଧୈବ କୁଟୁମ୍ବକମ୍’ ବିଷୟବସ୍ତୁକୁ ନେଇ ଭାରତୀୟ ଯୁବଗୋଷ୍ଠୀ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନା ମାଧ୍ୟମରେ ଏହି ସମ୍ମିଳନୀରେ ଯୁବପିଢିଙ୍କ ମାଧ୍ୟମରେ ବିଶ୍ୱରେ ଶାନ୍ତିପ୍ରତିଷ୍ଠା ପାଇଁ ବାର୍ତ୍ତା ଦେବେ ଏବଂ ବର୍ତ୍ତମାନର ପିଢି ଓ ଆଗାମୀ ପିଢି କିଭଳି ସମାଜରେ ନିରନ୍ତର ଶାନ୍ତି ଓ ସୌହାର୍ଦ୍ଧ୍ୟ ଆଣିପାରିବେ ତାହା ଉପରେ ସ୍ବତନ୍ତ୍ର ସେସନ୍ ମାଧ୍ୟମରେ ବାର୍ତ୍ତା ଦେବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟଯେ, ମହେନ୍ଦ୍ର ପୂର୍ବରୁ ଭାରତର ୨୦ଟି ରାଜ୍ୟରେ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକରିବା ସହ ସଂଯୁକ୍ତରାଷ୍ଟ୍ର ସଙ୍ଘର ସ୍ବେଛାସେବୀ ରୂପେ ୬ ବର୍ଷ କାର୍ଯ୍ୟ କରିସାରିଛନ୍ତି ।ବର୍ତ୍ତମାନ ସେ ଆଦିବାସୀ ଅଂଚଳର ଜୀବନ ଜୀବିକା, ଲୋକନୀତି ଉପରେ ହରିୟାଣା ଠାରେ ଗବେଷଣାରତ I ଭାରତ ସରକାରଙ୍କ ସଂଖ୍ୟାଲଘୁ କମିସନର ଚେୟାରମ୍ୟାନ ଇକବଲ ସିଂ ଲାଲପୁରା, ସାଂସଦ ତେଜସ୍ୱି ସୂର୍ଯ୍ୟା, ବରୁଣ କାଶ୍ୟପଙ୍କୁ ମଧ୍ୟ ଦିଲ୍ଲୀ ଠାରେ ଭେଟିଥିବା ସୂଚନା ମିଳିଛି I