ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବେନ୍ଦ୍ର ଦାଶ ଥିଲେ ପ୍ରଚଣ୍ଡ ପ୍ରତିଭାର ବିସ୍ଫୋରଣ। ପ୍ରଗତି ଉତ୍କଳ ସଂଘରେ ଦେବେନ୍ଦ୍ର ଦାଶଙ୍କ ପ୍ରଥମ ସ୍ମାରକୀ ବକ୍ତୃତା ମାଳା ଆୟୋଜିତ

ଦେବେନ୍ଦ୍ର ଦାଶ ଥିଲେ ପ୍ରଚଣ୍ଡ ପ୍ରତିଭାର ବିସ୍ଫୋରଣ। ପ୍ରଗତି ଉତ୍କଳ ସଂଘରେ ଦେବେନ୍ଦ୍ର ଦାଶଙ୍କ ପ୍ରଥମ ସ୍ମାରକୀ ବକ୍ତୃତା ମାଳା ଆୟୋଜିତ.

ରାଉରକେଲା: ପ୍ରୟାତ ପ୍ରଜ୍ଞାପୁରୁଷ ଦେବେନ୍ଦ୍ର କୁମାର ଦାଶଙ୍କ ପ୍ରଥମ ସ୍ମାରକୀ ବକ୍ତୃତା ମାଳା ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାକୁ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ସହ ଦେବେନ୍ଦ୍ରଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ କରିଥିଲେ। ଡଃ ନଗେନ କୁମାର ଦାସ ମଞ୍ଚ ପରିଚାଳନା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଲେ ଯେ, ଦେବେନ୍ଦ୍ର ଦାଶ କେନ୍ଦ୍ର ଅପେକ୍ଷା ପରିଧିରେ ବିଶ୍ବାସୀ ଥିଲେ। ତାଙ୍କର ପ୍ରଜ୍ଞା ଓ ବଳିଷ୍ଠ ବ୍ୟକ୍ତିତ୍ବ ତଥା ସାହିତ୍ୟକୁ ନୂଆ ଭାବେ ବିଜ୍ଞାନ ସମ୍ମତ ରୂପେ ଆଲୋଚନା କରି ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ।

ସଭାପତିଙ୍କ ସ୍ବାଗତ ଅଭିଭାଷଣ ପରେ ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ ସହ ଦେବେନ୍ଦ୍ର ଦାଶଙ୍କ କୃତି ଓ ସୃଷ୍ଟି ସମ୍ପର୍କରେ ଆଲୋକପାତ କରି କହିଲେ ଯେ, ଦେବେନ୍ଦ୍ର ଥିଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ପ୍ରଗତି ଉତ୍କଳ ସଂଘର ପ୍ରକାଶନ ଉପଦେଷ୍ଟା ଭାବରେ ସେ ଗଙ୍ଗାଧର ମେହେର, ମଧୁସୂଦନ ଦାସ, ଫକୀର ମୋହନ ସେନାପତି ପ୍ରଭୃତିଙ୍କ ସଂକଳନ ପ୍ରକାଶ କରି ସେ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି। ତାଙ୍କର ତିରୋଧାନରେ ଓଡ଼ିଶା ମାଟିରେ ଯେଉଁ ବୌଦ୍ଧିକ ଶୂନ୍ୟତା ସୃଷ୍ଟି ହୋଇଛି ତାହା ଅପୂରଣୀୟ।ମୁଖ୍ୟବକ୍ତା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାକ୍ତନ ପ୍ରଫେସର ଡଃ କାଳିଦାସ ମିଶ୍ର ସାମ୍ପ୍ରତିକ କାଳରେ ଗଙ୍ଗାଧରଙ୍କ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଗଙ୍ଗାଧରଙ୍କ କାବ୍ୟ କବିତା ସହ ସଂସ୍କୃତ କବି କାଳିଦାସ, ବ୍ୟାସ ଏପରିକି ପାଶ୍ଚାତ୍ୟ କବି ମାନଙ୍କ ସହ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି କହିଲେ ଯେ, ଗଙ୍ଗାଧରଙ୍କ ସୃଷ୍ଟିରେ ପ୍ରକୃତି ଜୀବନ୍ତ। ସେ ନିରାଶାବାଦ ବଦଳରେ ସକାରାତ୍ମକ ଚିନ୍ତା ଧାରା ନେଇ କାବ୍ୟ ରଚନା କରୁଥିଲେ। ଗଙ୍ଗାଧରଙ୍କୁ ସମାଲୋଚକ ମାନେ ସ୍ବଭାବ କବି ଭାବେ ଅଭିହିତ କରିଥିଲେ ମଧ୍ୟ ବାସ୍ତବରେ ତାଙ୍କର ଅଧିକାଂଶ କାବ୍ୟରେ ବୌଦ୍ଧିକ ପ୍ରଭାବ ପରିଲକ୍ଷିତ ହୁଏ ବୋଲି ଉଦାହରଣ ସହ ଅନୁଶୀଳନ କରି ଗଙ୍ଗାଧରଙ୍କୁ ନୂତନ ଭାବେ ଚିହ୍ନାଇବାର ପ୍ରୟାସ କରିଥିଲେ। ଏହି ଅବସରରେ ଦୁଇଟି ପୁସ୍ତକ – ଦେବେନ୍ଦ୍ର ଦୃଷ୍ଟି ୨ୟ ଭାଗ ଏବଂ ଦେବେନ୍ଦ୍ର ଦାଶଙ୍କୁ ସମର୍ପିତ ନଗେନ କୁମାର ଦାସଙ୍କ ବୋହେମିଆନ କାଉଲ ଓ ଅନ୍ୟାନ୍ୟ ପ୍ରବନ୍ଧ ଅତିଥି ମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଏହି ଅବସରରେ ପ୍ରଫେସର ଗୌରାଙ୍ଗ ଦାଶ ଏବଂ ପିତବାସ ପ୍ରଧାନଙ୍କୁ ଦେବେନ୍ଦ୍ର ବନ୍ଧୁ ସମ୍ମାନ ଏବଂ ତ୍ରିନାଥ ସିଂହଙ୍କୁ ଦେବେନ୍ଦ୍ର ଛାତ୍ର କଵି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ। ଦେବେନ୍ଦ୍ର ଦାଶଙ୍କ ସହଧର୍ମିଣୀ ଗୀତାଞ୍ଜଳି ଦାଶ, ପୁତ୍ର ଶ୍ରୀୟାଂଶ ଓ ସଙ୍କେତ ଏବଂ ପୁତ୍ରବଧୂ ସୁପ୍ରିୟା ଓ ନିବେଦିତା ଓ ନାତୁଣୀ ନୁମା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଧାମୋହନ ନାୟକ, ଘନଶ୍ୟାମ ଧଳ, ଅଶୋକ କୁମାର ପଟ୍ଟନାୟକ, ସ୍ମିତା ମିଶ୍ର, ରଶ୍ମି ସାହୁ, ଶୁଭ୍ରାଂଶୁ ଶେଖର ମହାପାତ୍ର, ଅରବିନ୍ଦ ପାତ୍ର, ଧରଣୀଧର ସାମଲ, ଇନ୍ଦ୍ରମଣି ମହାପାତ୍ର, ପରୀକ୍ଷିତ ଗୁରୁ, ଲକ୍ଷ୍ମଣ ଦାସ,ସତ୍ୟନାରାୟଣ ଦାଶ ପ୍ରମୁଖ ସହାୟତା କରିଥିବାବେଳେ ଭାରତ ଭୂଷଣ ମହାନ୍ତି, ଡା. କୃପାସିନ୍ଧୁ ନାୟକ, ଶର୍ମିଷ୍ଠା କବି ଶତପଥୀ, ପ୍ରଶାନ୍ତ ପତି, ମୀନକେତନ ପଶାୟତ, ଅକ୍ଷୟ ଦାସ, ପଶୁପତିନାଥ ଚାଟାର୍ଜୀ, ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀପୂଜା ମଣ୍ଡପ ନିର୍ମାଣ ବିଲ୍ ପାଇନଥିବା ଅଭିଯୋଗ ନେଇ ଠିକାଦାରଙ୍କ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ 

masiha

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ବୃନ୍ଦାବାହାଲ ଠାରେ ବାର୍ଷିକ ମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!