ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚର୍ଚ୍ଚାର ଶୀର୍ଷରେ ଆଞ୍ଚଳିକ ବିକାଶ ପରିଷଦ 

ଚର୍ଚ୍ଚାର ଶୀର୍ଷରେ ଆଞ୍ଚଳିକ ବିକାଶ ପରିଷଦ 

ସ୍ଥିତି ନଥିବା ସଂଗଠନ ଦେଇଛି ୩ କୋଟି ଟଙ୍କାର ବିଜ୍ଞାପନ 
ପ୍ରଶ୍ନ ଉଠାଇଲେ ବିଧାୟକ ଅରୁଣ ସାହୁ, ପ୍ରଦୀପ ଦିଶାରୀ 

ଲାଞ୍ଜିଗଡ,୦୬/୦୪(ମନିସ)-ନା ଅଛି ନାଁ, ନା ଅଛି ଗାଁ। ନାମକୁ ମାତ୍ର ସଂଗଠନ। କର୍ମକର୍ତ୍ତା କେହି ବୋଲି କେହି ନାହିଁ। ଜଣେ ମାତ୍ର ଲୋକ, ସବୁକିଛି। ଏପରିକି ଦୀର୍ଘ ବର୍ଷ ହେଲା ସଂଗଠନ ନାଁରେ କୌଣସି ଖାତା ଖତିୟାନ ଛାଡ଼ ବ୍ୟାଙ୍କ ଏକାଉଣ୍ଟଟିଏ ବି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା ସେଇ ସଂଗଠନ ବେଦାନ୍ତକୁ ନିୟମଗିରି ଖଣି ଖୋଳିବାକୁ ଅନୁମତି ଦେବାକୁ ଆନ୍ଦୋଳନ କରୁଛି ଭୁବନେଶ୍ୱରରେ। ପୁଣିଥରେ ଗ୍ରାମସଭା କରିବା ସହିତ ବେଦାନ୍ତକୁ ନିୟମଗିରି ଖଣି ଯୋଗାଇଦେବାକୁ ହଜାରେରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ ଶୋଭାଯାତ୍ରା କରୁଛି ରାଜଧାନୀରେ। ଏଇଥିପାଇଁ ଖର୍ଚ୍ଚ କରିଛି ଲକ୍ଷଲକ୍ଷ ଟଙ୍କା। କେଉଁଠୁ ଆସିଲା ଏତେ ଟଙ୍କା, ବେଦାନ୍ତକୁ ସମର୍ଥନ କରିବାକୁ ତାକୁ ନେଇ ପ୍ରଶ୍ନ ଉଠିଥିଲା। ରାତିଅଧିଆ ଗଢି ଉଠିଥିବା ଏହି ସଂଗଠନ ଭଡାରେ ଲୋକଙ୍କୁ ନେଇ ରାଜଧାନୀରେ ନିୟମଗିରି ଖଣି ଦାବି କରିବା ଚର୍ଚ୍ଚାରେ ଥିବାବେଳେ ଏବେ ସେଇ ଅନାମଧ୍ୟେୟ ସଂଗଠନ ରାଜ୍ୟର ବଡ଼ବଡ଼ ଖବରକାଗଜର ପ୍ରଥମ ପୃଷ୍ଠାରେ ପୁରାପୃଷ୍ଠାର ବିଜ୍ଞାପନ ଦେବା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। ନିୟମଗିରି ଖଣି ଖନନ ପାଇଁ ପୁଣିଥରେ ଗ୍ରାମସଭା କରିବା ଓ ଏଥିପାଇଁ ଅନୁମତି ଦେବାକୁ ଦାବି କରି ବିଜ୍ଞାପନ ଦେବାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ରାଜ୍ୟର ବଡ଼ବଡ଼ ଖବରକାଗଜଗୁଡିକର ବିଜ୍ଞାପନ ଦର ଅନୁଯାୟୀ, ମୁଖ୍ୟପୃଷ୍ଠାରେ ବିଜ୍ଞାପନ ପାଇଁ ପାଞ୍ଚରୁ ସାତ ଲକ୍ଷ ଟଙ୍କା ସହିତ ଜିଏସଟି ଆଦି ରହିଛି। ଏପରି ହେଲେ ୨୦ରୁ ଅଧିକ ଖବରକାଗଜ ପାଇଁ ତିନିକୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡିଛି। ତେବେ ସାଧାରଣ ବ୍ୟାଙ୍କ ଏକାଉଣ୍ଟଟିଏ ନଥିବା ସଂଗଠନ କୋଟି କୋଟି ଟଙ୍କାର ବିଜ୍ଞାପନ ଦେଲା କେମିତି ? ସଂଗଠନର ଆୟର ସ୍ରୋତ କ’ଣ ? ସଂଗଠନ ଆୟକର ପୈଠ କରୁଛି କି ? ସଂଗଠନ ଜିଏସଟି ପଞ୍ଜିକୃତ ହୋଇଛି କି ? ସେନେଇ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ନୟାଗଡ଼ ବିଜେଡି ବିଧାୟକ ଅରୁଣ କୁମାର ସାହୁ ଏହି ବେନାମୀ ସଂଗଠନର ସ୍ଥିତି ଓ ଗତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ଆଞ୍ଚଳିକ ବିକାଶ ପରିଷଦ ଓ ଏହାର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ କରିବା ସହିତ ବେଦାନ୍ତ ଛତ୍ରଛାୟା ତଳେ କିଛି ବ୍ୟକ୍ତି ଓ ସଂଗଠନ ଦଲାଲି କରିବା ସହିତ ଆଦିବାସୀଙ୍କ ହକ ଓ ଅଧିକାରକୁ ହଡ଼ପ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି। ସଂଗଠନ ଆଦୌ ପଞ୍ଜିକୃତ ନୁହେଁ ବୋଲି ସେ କହିବା ସହିତ ଏହାର ଆର୍ଥିକ କାରବାର, ଆୟର ସ୍ରୋତ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ନିଜକୁ ଆଞ୍ଚଳିକ ବିକାଶ ପରିଷଦର ସଭାପତି ବୋଲି ଦାବି କରୁଥିବା ଶ୍ରୀଧର ପେସନିଆ ଏହି ବିଜ୍ଞାପନ ସମ୍ପର୍କରେ କିଛି ଜାଣିନଥିବା ଓ ତାଙ୍କ ନାଁକୁ କେହି ଅଯଥା ବ୍ୟବହାର କରିଥିବା ପ୍ରକାଶ କରିଛନ୍ତି। ସେହିପରି ଆବଶ୍ୟକ ହେଲେ ସେ ଆଇନ ଅଦାଲତର ଆଶ୍ରୟ ନେବେ ବୋଲି କହିଛନ୍ତି। ଅପରପକ୍ଷରେ, ଆଞ୍ଚଳିକ ବିକାଶ ପରିଷଦର ଆର୍ଥିକ କାରବାର, ଆୟର ସ୍ରୋତ ଓ ତାର ସାଂଗଠନିକ ସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ଅଡିଟ କରାଇବା, ଆୟକର ବିଭାଗ, ଇଓଡବ୍ଲ୍ୟୁ କିମ୍ବା ଇଡି ଦ୍ୱାରା ତଦନ୍ତ କରାଇବାକୁ ଦାବି ହେଉଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିସ୍ମୟକର ଶିଶୁ କନ୍ଯାର ବାଲ୍ୟ ପ୍ରତିଭା

Sunil Chandra Nayak

ଲକ୍ଷପତି ଦିଦିଙ୍କୁ ରାଜନଗର ବ୍ଲକ ଜୀବିକା ମିଶନ ପକ୍ଷରୁ ମାନପତ୍ର ପ୍ରଦାନ

masiha

ପୂଜାରିଗୁଡା ଧାନ ମଣ୍ଡି ରୁ ଆଜିବି ଧାନ ଉଠି ପାରିନାହିଁ

masiha

Leave a Comment

error: Content is protected !!