ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ ୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼

କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ

ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ

୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

ଲାଞ୍ଜିଗଡ଼,୦୪/୦୮(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣା ଆଜି ନୂଆମୋଡ଼ ନେଇଛି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ନିଖୋଜ ମାମଲା ରୁଜୁ କରିଥିବା ପୁଲିସ ଆଜି ତତ୍ପରତା ପ୍ରକାଶ କରିଥିଲା। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇ ସନ୍ଦିଗ୍ଧ ନରେଶ ଦୋରା ଓ ସୁଶାନ୍ତ ହରିଜନଙ୍କୁ ଚିହ୍ନଟ କରିଥିଲା କୁକୁର। ଏହାପରେ ନରେଶକୁ ପଚରାଉଚୁରା କରିବା ପରେ ସେ ରଘୁଙ୍କୁ ହତ୍ୟା କରି ବାଇକ ଯୋଗେ ଶବ ନେଇ ଦହିଖାଲ ନିକଟରେ ରେଳ ଧାରଣାରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି। ପୁଲିସ ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ବିଶ୍ୱନାଥପୁର ଥାନାକୁ ନେଇଯାଇଛି। ଅଭିଯୁକ୍ତ ନରେଶର ବାପା ଦୁଃଶାସନ ଦୋରା ଗତ ମାସକ ତଳେ ମୃତ୍ୟୁବରଣ କରିଥିବାବେଳେ ମୃତ ରଘୁ ତାଙ୍କୁ ଗୁଣି କରିଥିବା ନେଇ ନରେଶଙ୍କ ପରିବାର ସନ୍ଦେହ କରିଥିଲେ। ସେଇଦିନଠୁ ରଘୁଙ୍କ ଉପରେ ରାଗ ରଖିଥିଲା ନରେଶ। କେରଳରୁ ସେ ଗାଁକୁ ଆସିବା ସହିତ ଦୁଃଶାସନଙ୍କ ମୃତ୍ୟୁର ଠିକ ମାସେ ପୁରିବା ଦିନ ସନ୍ଧ୍ୟାରେ କୌଣସି କାମରେ ରଘୁ ନିକଟସ୍ଥ ବଣ୍ଡେଲ ଗାଁକୁ ଯାଇ ଫେରୁଥିବାବେଳେ ନିଛାଟିଆ ଦେଖି ଆକ୍ରମଣ କରିଥିଲା। ହତ୍ୟା ପରେ ନିଜର ଅନ୍ୟ ତିନିଜଣ ସହଯୋଗୀ ସହିତ ଶବ ଗାୟବ କରିବା ସହିତ କିଛି ଜାଣିନଥିବା ଭଳି ରହିଥିଲା। ତେବେ ପୁଲିସ ତା’ଠାରୁ ସୂଚନା ପାଇ ରାୟଗଡା ରେଳବାଇ ପୁଲିସର ଜିମାରେ ଥିବା ଶବ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷରେ ଏହି ଘଟଣାରେ ସାମିଲ ଥିବା ଅଭିଯୋଗରେ ନରେଶ ସହିତ ତାର ଭାଇ ଭୋଳା ଦୋରା, ତାର ଦୁଇବନ୍ଧୁ ସୁଶାନ୍ତ ଓ ପ୍ରଦୀପ ହରିଜନଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର ମାମଲାର ତଦନ୍ତ କରୁଥିବାବେଳେ ଆଜି ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କେସିଙ୍ଗା ପୁଲିସ ଉପଖଣ୍ଡ ଅଧିକାରୀ ସମ୍ବିତ ମାଝୀ ଘଟଣାସ୍ଥଳ ପରିଦର୍ଶନ କରି ଫେରିଯାଇଛନ୍ତି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୫ ଯୁବକଙ୍କ ନାମରେ ମାମଲା

Sunil Chandra Nayak

ମଦୁଆ ଅଟୋ ଚାଳକ ଯୋଗୁଁ ନିରୀହ ଲୋକଙ୍କ ମୃତ୍ୟୁ

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦୁଇ ଗିରଫ ୧୦୦ ଲିଟର ଦେଶୀମଦ ସମେତ ଦୁଇ ବାଇକ୍ ଜବତ !!!

Sunil Chandra Nayak

Leave a Comment

error: Content is protected !!