ବଦାନ୍ୟ ବୀର ବିପିନ ମିଶ୍ର
କେନ୍ଦୁଝର ୧୦.୦୯.ରିଖ ; ଡଃ. ବିପିନ ବିହାରୀ ମିଶ୍ର ଜାତୀୟ ସ୍ତରରେ ବଦାନ୍ୟତାର ଜଣେ ମହାନ ବୀର ଭାବରେ ପରିଚିତ। ସଦା ସକ୍ରୀୟ ଓ ଅଗ୍ରଣୀ ପରିବେଶ ସୁରକ୍ଷାକାରୀ ଭାବରେ ମଧ୍ଯ ତାଙ୍କର ବେଶ ସୁଖ୍ୟାତି ରହିଛି। ୬୨ ବର୍ଷିୟ ଡଃ. ମିଶ୍ର ୧୯୬୪ ମସିହା ମାର୍ଚ୍ଚ ୩୧ ତାରିଖରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅର୍ନ୍ତଗତ ରୁକୁଣାଦେଇପୁର ଗ୍ରାମର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା କ୍ଷେତ୍ରବାସୀ ମିଶ୍ର ଜଣେ କୃଷକ ଏବଂ ମାତା ସୂର୍ଯ୍ୟମଣି ମିଶ୍ର ଜଣେ ଗୃହିଣୀ ଅଟନ୍ତି। ମୁମ୍ବାଇଠାରେ ଶିକ୍ଷା ଲାଭ କରିବା ପରେ ଡଃ. ମିଶ୍ର ସେଠାକାର ସ୍ଥାୟୀ ବାସିନ୍ଦା ହୋଇଥିଲେ। ବିଶିଷ୍ଟ ସମାଜସେବୀ ତଥା ନାରୀନେତ୍ରୀ ଡଃ. ସୁକାନ୍ତି ମିଶ୍ରଙ୍କୁ ସେ ୧୯୮୯ ମସିହା ଫେବୃଆରୀ ୨୭ ତାରିଖରେ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଅଛନ୍ତି। ବଡ଼ ଝିଅ ସେଲବୀ ମିଶ୍ର ଏୟାର ଇଣ୍ଡିଆର ବିମାନ ଚାଳକ ଏବଂ ସାନ ଝିଅ ଶିବାନୀ ମିଶ୍ର ଜଣେ ଗବେଷଣା ରତ ବୈଜ୍ଞାନିକ ଅଟନ୍ତି ।
ବହୁମୁଖୀ ପ୍ରତିଭା ଓ ପାରଦର୍ଶିତାର ଅଧିକାରୀ ଡଃ. ମିଶ୍ର ଏକାଧାରରେ ଜଣେ ଆଗଧାଡ଼ିର ସାମାଜିକ ନେତା, ସମ୍ପ୍ରଦାୟ ବିକାଶକାରୀ, ଉଚ୍ଚ କୋଟୀର ସାମାଜିକ ଗଣମାଧ୍ୟମ ପ୍ରଭାବକାରୀ, ଦକ୍ଷ ସଙ୍ଗଠକ, ସୃଜନଶୀଳ ସମ୍ପାଦକ, ସର୍ବନିମ୍ନ ବର୍ଗ ସହିତ ଉତ୍ତମ ସଂଯୋଗକାରୀ, ଜନ ଗଣଙ୍କ ପ୍ରଖର ପ୍ରେରଣାଦାୟୀ ତଥା ସର୍ବୋପରି ଲୋକଙ୍କୁ ଭଲ ପାଉଥିବା ଲୋକାଭିମୁଖୀ ବ୍ୟକ୍ତି ଅଟନ୍ତି। ଜଣେ କର୍ମଠ, ସଚ୍ଚୋଟ, ସ୍ନେହୀ, ଉତ୍ସର୍ଗୀକୃତ ପରୋପକାରୀ, ମେଳାପି, ବିଶ୍ଵାସଯୋଗ୍ୟ, ନିଷ୍ଠାପର ଏବଂ ଦାୟିତ୍ୱ ସମ୍ପନ୍ନ ଆଦି ସୁଗୁଣରେ ସମ୍ପନ୍ନ ଡଃ ମିଶ୍ରଙ୍କର ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ନେଇ ବିଶେଷତା, ସମସ୍ୟା ସମାଧାନ ପାଇଁ ଆଶୁ ନିଷ୍ପତ୍ତି ନେବାରେ ବିଚକ୍ଷଣତା ଏବଂ ଜନସାଧାରଣଙ୍କୁ ସଚେତନ ଓ ପ୍ରଭାବିତ କରିବା ନେଇ ଅସାମାନ୍ୟ ଦକ୍ଷତା ରହିଛି ।ଡଃ. ମିଶ୍ର ଜାତୀୟ ସ୍ତରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଆସୀନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସେ ବମ୍ବେ ଓଡ଼ିଆ ମହାସଙ୍ଘର ସଭାପତି, ଭୁବନେଶ୍ଵର ଲାୟନ୍ସ କ୍ଲବର ସଭାପତି, ୱାଲର୍ଡ଼ ଓଡ଼ିଶା ସୋସାଇଟିର ଭାରତୀୟ ଅଧ୍ୟାୟର ସଭାପତି, ସର୍ବ ଭାରତୀୟ ବ୍ରାହ୍ମଣ ମହାସଙ୍ଘର ସଭାପତି, ଦୁର୍ନୀତି ନିବାରଣ ଗୁଇନ୍ଦା କମିଟିର ଜାତୀୟ ସମ୍ପାଦକ, ସର୍ବ ଭାରତୀୟ ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ, ପାକ୍ଷିକ ସମ୍ବାଦ ପତ୍ର ମୁମ୍ବାଇ ଓଡ଼ିଆ ସମାଜର ସମ୍ପାଦକ ଏବଂ ଗବେଷଣାଧର୍ମୀ ପତ୍ରିକା ଇକୋ କନେକ୍ଟର ସମ୍ପାଦକ ରହିଛନ୍ତି। ନିଜର ଧର୍ମପତ୍ନୀ ଡଃ. ସୁକାନ୍ତି ମିଶ୍ରଙ୍କ ସହିତ ସୁନାମଧନ୍ୟ ସୂର୍ଯ୍ୟ କ୍ଷେତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ଡଃ. ମିଶ୍ର ଏହି ସଂସ୍ଥା ମାଧ୍ୟମରେ ସାରା ଦେଶରେ ଅସହାୟ କର୍କଟ ରୋଗୀମାନଙ୍କର ଚିକିତ୍ସା ଉପଲବ୍ଧ କରାଇବା, ସୁଲଭ ଜୀବିକା ଯୋଗାଣ, ଗୁଣାତ୍ମକ ଶିକ୍ଷା ପ୍ରଦାନ, ଜଳ ସମ୍ପଦର ପରିଚାଳନା, ବୃକ୍ଷ ରୋପଣକୁ ପ୍ରୋତ୍ସାହନ, ପରିବେଶର ସୁରକ୍ଷା ଏବଂ ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ ଆଦି ଜନ ମଙ୍ଗଳ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।
ଶିକ୍ଷା ଜୀବନରେ ଜଣେ ମେଧାବୀ ଛାତ୍ର ରହି ଆସିଥିବା ଡଃ. ମିଶ୍ର ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ନୌସେନାଠାରୁ ଡିପ୍ଲୋମା ଓ ଡିଗ୍ରୀ ଉପାଧି ହାସଲ କରିଛନ୍ତି। ସମାଜ ସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପାଇଁ ଶ୍ରୀଲଙ୍କାର କଲମ୍ବୋ ସ୍ଥିତ କମ୍ପ୍ଲିମେଣ୍ଟାରି ମେଡିସିନର ଆନ୍ତର୍ଜାତିକ ମୁକ୍ତ ବିଶ୍ୱ ବିଦ୍ୟାଳୟ ତରଫରୁ ଡଃ. ମିଶ୍ରଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଅଛି।
ନିଜର ଅନନ୍ୟ ଅବଦାନ ଓ ଉଲ୍ଲେଖନୀୟ ସମାଜ ସେବା ପାଇଁ ଡଃ. ମିଶ୍ର ବହୁ ସମ୍ମାନସ୍ପଦ ପୁରସ୍କାର ଓ ସମ୍ମାନ ଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନ, ବିଳାଶୁଣି ସମ୍ମାନ ଏବଂ ହ୍ୟୁମାନ୍ ରାଇଟସ କାଉନ୍ସିଲ ଅଫ ଇଣ୍ଡିଆ ଓ ଆଣ୍ଟି କରପସନ ଇଣ୍ଟେଲିଜେନ୍ସ କମିଟି ତରଫରୁ ଶ୍ରେଷ୍ଠ ସାମାଜିକ କର୍ମୀ ପୁରସ୍କାର ଆଦି ଅନ୍ତର୍ଭୁକ୍ତ।
ଡଃ ମିଶ୍ରଙ୍କର ଜଳ ସଞ୍ଚୟ ପାଇଁ ଘମାଘୋଟ ପ୍ରଚାର ଅଭିଯାନ ଫଳରେ ଜଳର ଉଚିତ ବିନିଯୋଗକରଣ ନେଇ ବ୍ୟାପକ ଜନସଚେତନତା ସୃଷ୍ଠି ହୋଇ ପାରିଛି। ଜଳ ସଂରକ୍ଷଣ ନେଇ ତାଙ୍କର ନିରନ୍ତର ଉଦ୍ୟମ ଫଳରେ ଜଳ ଦୂଷିତକରଣ ହ୍ରାସ, ପର୍ଯ୍ୟାପ୍ତ ପରିମାଣର ଜଳ ଉପଲବ୍ଧ ଯୋଗୁଁ କୃଷି ଉତ୍ପାଦନରେ ବୃଦ୍ଧି, ଖାଦ୍ୟ ସୁରକ୍ଷା ସହଜ ସାଧ୍ଯ, ଜଳ ଜନିତ ରୋଗ ସଂକ୍ରମଣର ନିରାକରଣ ତଥା ଚାରା ଓ ପ୍ରାଣୀ ସମ୍ପଦ ପାଇଁ ଜଳ ମହଜୁଦ ହେବା ଯୋଗୁଁ ପରିବେଶରେ ସନ୍ତୁଳନ ରକ୍ଷା କରାଯିବା ସହିତ ଜୈବ ବିବିଧତା ବଜାୟ ରଖିବା ସମ୍ଭବପର ହୋଇ ପାରିଥିବା ଜଣାଯାଇଛି। ହଜାର ହଜାର ତ୍ରୁଟିପୁର୍ଣ୍ଣ ନଳକୂପକୁ ନିଜ ଖର୍ଚ୍ଚରେ ସଜାଡ଼ିବା, ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ନିରନ୍ତର ଭାବେ ଅବଗତ କରାଇବା, ଜୀବନ ଓ ଜୀବିକାର ମାନ ବର୍ଦ୍ଧନ ନେଇ ଲଗାତାର ଭାବରେ ଉତ୍ସର୍ଗୀକୃତ ଉଦ୍ୟମ କରି ଚାଲିଥିବା ଡଃ. ମିଶ୍ର ଆଜିର ସମାଜ ପାଇଁ ଆଦର୍ଶର ଅବତାର ଓ ପ୍ରେରଣାର ଉତ୍ସ ବନିଥିବା ସାଧାରଣରେ ଦର୍ଶାଯାଉଛି ।
ଯୋଡ଼ା ରୁ ସୀତା ରାମ ଦୀକ୍ଷିତ ଙ୍କ ରିପୋର୍ଟ୍

