ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର
ଡାବୁଗାଁ, ୧୫/୯(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ୨୦୨୪-୨୫ ଆର୍ଥିକ ବର୍ଷର ୧ ଅକ୍ଟୋବର ୨୦୨୪ ଠାରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା, ସର୍ବଶିକ୍ଷା ଅଭିଯାନ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ଉପରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷ ବୀଣା ମାଝି ଙ୍କ ଅଧକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଏମଜିଏନଆରଇଜିଏସ ଯୋଜନା ରେ ସମ୍ପର୍କିତ ପ୍ରକଳ୍ପ
ଗୁଡିକ ଉପରେ ଆଲୋଚନା ହୋଇଥିଲା | ଏହି ଯୋଜନାରେ ଜବକାର୍ଡ ଧାରି ଶ୍ରମିକ ମାନେ କେତେଦିନ କାର୍ଯ୍ୟ କରିଛନ୍ତି , ମଜୁରି ପାଇଛନ୍ତି କି ନାହିଁ, ହିତାଧିକାରୀ ସଂପୂର୍ଣ୍ଣ ଅର୍ଥ ପାଇଛି କି ନାହିଁ ତାହାର ସମୀକ୍ଷା କରାଯାଇଥିଲା | ଏଥିରେ ଗତ ୨୦୨୪-୨୫ ଆର୍ଥିକ ବର୍ଷ ରେ ଏହି ଯୋଜନାରେ ୧ ଅକ୍ଟୋବର ୨୦୨୪ ଠାରୁ ୩୧ ମାର୍ଚ୍ଚ ୨୦୨୫ ସୁଧା ୨୨ କୋଟି ୩ ଲକ୍ଷ ୭୨ ହଜାର ଟଙ୍କା ବ୍ୟୟ କରିବା ନେଇ ଟାର୍ଗେଟ ଥିବା ବେଳେ ସେଥିରୁ ସଂପୂର୍ଣ୍ଣ ଅର୍ଥ ବ୍ୟୟ କରାଯାଇଛି | ମାର୍ଚ୍ଚ ୨୦୨୫ ସୁଧା ୬ ଲକ୍ଷ ୨୫ ହଜାର ୩୪୩ ଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିଲା | ଏଥିରେ ୧୪ ହଜାର ୭୮୩ ଟି ପରିବାର କୁ ୧ ଅକ୍ଟୋବର ୨୦୨୪ ଠାରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ମୋଟ ୧୬୪୬ ପରିବାର କୁ ୧୦୦ ଦିନ ର କାର୍ଯ୍ୟ ପୂରଣ କରିଛନ୍ତି | ଏଥିରେ ମୋଟ ପ୍ରକଳ୍ପ ୧୨୪୬ ରୁ ୧୦୧୫ ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଥିବା ଏହି ଜନଶୁଣାଣି ରେ ଉପସ୍ଥାପିତ କରାଯାଇଥିଲା | ବିଭିନ୍ନ ପଞ୍ଚାୟତରେ ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ବେଳେ ଓ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପରେ ମଧ୍ୟ ସାଇନ ବୋର୍ଡ ନଥିବା, ସାମାଜିକ ସମୀକ୍ଷା ସମୟରେ ଉକ୍ତ ପଞ୍ଚାୟତ ଗୁଡିକର ଏସିଡିଓ ଓ ଜିଆରଏସ ମାନେ ପଞ୍ଚାୟତର ୭ ଟି ରେଜିଷ୍ଟର ସମୀକ୍ଷକ ମାନଙ୍କ ନିକଟରେ ଦାଖଲ କରିପାରିନଥିଲେ | ପ୍ରକଳ୍ପ କାର୍ଯ୍ୟର ରେଜିଷ୍ଟର ରେ କାର୍ଯ୍ୟର ଫଟୋ, ଶ୍ରମିକ ମାନଙ୍କ ଆବେଦନ ପତ୍ର ନଥିବା ଭଳି ତ୍ରୁଟି ଦେଖାଦେଇଥିବା ଉପସ୍ଥାପନ ହୋଇଥିଲା | ଏହି ଜନଶୁଣାଣି ଶିବିର ରେ ବିଭିନ୍ନ ପଞ୍ଚାୟତରୁ ମୋଟ ୩୩ ତୃଟି ଦେଖାଦେଇଥିବା ବେଳେ ଏଥିରୁ ୧୮ ଟି ତୃଟିର ସମାଧାନ କରାଯାଇଛି | ବଳକା ୧୫ ଗୋଟି ତୃଟି ୭ ଦିନ ମଧ୍ୟରେ ସମାଧାନ କରି ବ୍ଲକ ସାମାଜିକ ସମୀକ୍ଷକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଓ ବିଡିଓ ଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଏଥିରେ ନବରଙ୍ଗପୁର ଅତିରିକ୍ତ ଜିଲାପାଳ ବିଶ୍ଵଜିତ ଚନ୍ଦ୍ରବର୍ମନ ଓ ଜିଲା ପରିଷଦର ଜିଲା ସାମାଜିକ ସମୀକ୍ଷକ ବୈବସୂତ ଚାଲାଣ ଉପସ୍ଥିତ ଏସିଡିଓ ଓ ଗ୍ରାମ ରୋଜଗାର ସେବିକା ସେବକ ମାନଙ୍କୁ ସାମାଜିକ ସମୀକ୍ଷାରେ ଦେଖାଯାଇଥିବା ତ୍ରୁଟି ଗୁଡିକ ଯେପରି ଭବିଷ୍ୟତରେ ପୁନରାବୃତ୍ତି ନହୁଏ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଏଥିରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଡିଓ ଶରତ ମାଝି, ଜୋନ-୨ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ଜନ ଶୁଣାଣୀ କମିଟି ସଭ୍ୟ ସୁରେନ୍ଦ୍ର କୁମାର ମିଶ୍ର, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ବ୍ଲକ ସାମାଜିକ ସମୀକ୍ଷକ ଶାରଦା ତ୍ରିପାଠୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ଅର୍ଜୁନ ଭତ୍ରା, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ବନପାଳ ଉମାକାନ୍ତ ପଟ୍ଟନାୟକ, ସମସ୍ତ ସରପଞ୍ଚ , ସମିତି ସଭ୍ୟା ସଭ୍ୟ , ଏସିଡିଓ, ଗ୍ରାମ ରୋଜଗାର ସେବିକା ସେବକ ମାନେ ଉପସ୍ଥିତ ଥିଲେ କିନ୍ତୁ ଜବକାର୍ଡଧରି ଶ୍ରମିକ ମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଏମଜିଏନଆରଇଜିଏସ ସହାୟକ ବିଦ୍ୟାଧର ବିଶୋଇ ପରିଚାଳନା କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

