ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଜ୍ଯର ବିଭିନ୍ନ ସ୍ଥାନରେ ବିପ୍ଳବୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୮ ତମ ତିରୋଧାନ ଦିବସ -୨୦୨୫ ପାଳିତ 

ଓଡ଼ିଶା ରାଜ୍ଯର ବିଭିନ୍ନ ସ୍ଥାନରେ ବିପ୍ଳବୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୮ ତମ ତିରୋଧାନ ଦିବସ -୨୦୨୫ ପାଳିତ 

ଢେଙ୍କାନାଳ: ତା.୨୦.୦୯.୨୦୨୫ ରିଖ : ନିକଟରେ ଦିବା ୧୦ ଘଟିକା ସମୟରେ ସାରଙ୍ଗଧର ସେବା ପରିଷଦ ଦ୍ବାରା ଆୟୋଜିତ ଗଡଜାତ ଗାନ୍ଧୀ ଭାବେ ପରିଚିତ ଦେଶର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ଲୋକସଭା ସଦସ୍ୟ ୰ ସ୍ୱର୍ଗତ ସାରଙ୍ଗଧର ଦାସଙ୍କ ୬୮ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବଳରାମ ମନ୍ଦିର ପାଖ ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସମ୍ମୁଖରେ ଅନୁଷ୍ଠିତ ସଭା ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ଢେଙ୍କାନାଳ ଶ୍ରୀ ବଳରାମ ମନ୍ଦିର ଛକରେ ଅବସ୍ଥାପିତ ସ୍ୱର୍ଗତ ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିକୃତିରେ “ସାରଙ୍ଗଧର ସେବା ପରିଷଦ-ହରେକୃଷ୍ଣପୁର” ପକ୍ଷରୁ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ଏହି ଅବସରରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ,ଆଡ୍ ଭୋକେଟ୍, ବିଶିଷ୍ଟ ଶିକ୍ଷାବିତ୍ ତଥା ଗବେଷକ ପ୍ରଦ୍ୟୁମ୍ନ ରଥ ଯୋଗଦାନ କରି ବଳରାମ ମନ୍ଦିର ପାଖ ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ବଳିଷ୍ଠ ନେତୃତ୍ୱକୁ ମନେପକାଇ ଢେଙ୍କାନାଳର ପ୍ରଥମ ସାଂସଦ ଭାବେ ଭୂୟସୀ ପ୍ରଶଂସା କରିଥିଲେ। ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ପିତା ହରେକୃଷ୍ଣ ଦାସ ଓ ମାତା ମାଣିକ ଦେବୀ ସାରଙ୍ଗଧର ଦାସଙ୍କ କୋଳ ମଣ୍ଡନ କରି ୧୭ ଅକ୍ଟୋବର ୧୮୮୭ ମସିହାରେ ସାରଙ୍ଗଧର ଜନ୍ମ ହୋଇଥିଲେ ଓ ୧୮ ସେପ୍ଟେମ୍ବର ୧୯୫୭ ମସିହାରେ ମାତ୍ର ୬୯ ବର୍ଷ ବୟସରେ ତାଙ୍କର ଦେହାବସାନ ହୋଇଥିଲା। ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକ,କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ଅଧ୍ୟୟନ କରିଥିଲେ।ତାଙ୍କର ବୈବାହିକ-ସାଥୀ ଥିଲେ ଫ୍ରିଡା ହାଉସରିଥ୍।ଜଣେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ଭାବରେ ସେ ଚିରଦିନ ପାଇଁ ଅମର ହୋଇ ରହିବେ।ସେହିପରି ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସୁସାହିତ୍ୟିକ,ସମାଜସେବୀ ତଥା ସାଂସ୍କୃତିକ ସଙ୍ଗଠକ ଅବନୀ ମିଶ୍ର ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି କହିଥିଲେ ଯେ ସାରଙ୍ଗଧର ଦାସ ମେଧାବୀ ବ୍ୟକ୍ତିତ୍ଵର ଅଧିକାରୀ ହୋଇଥିବାରୁ ବିଦେଶରେ ଅନେକ ବର୍ଷ ରହି ଚିନି କାରଖାନା ଉପରେ ଅଧ୍ୟୟନ କରି ଭାରତ ବର୍ଷରେ ତାହାକୁ କାର୍ଯ୍ୟାନ୍ବିତ କରିଥିଲେ।ଏବେ ମଧ୍ୟ ବମ୍ବେରେ ସାରଙ୍ଗଧର ଦାସଙ୍କ ନାମରେ ସୁଗାର ହାଉସ୍ ନାମିତ ଅଛି। ଅବସରପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ବିଶ୍ୱନାଥ ମହାପାତ୍ର ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ସାରଙ୍ଗଧରଙ୍କୁ ପୁଷ୍ପ ଅର୍ଘ୍ୟ ପ୍ରଦାନ ପୂର୍ବକ ସ୍ୱୀୟ ବକ୍ତବ୍ୟରେ ସାରଙ୍ଗଧର ଦାସଙ୍କ ସାମଗ୍ରିକ ଜୀବନୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ଭାବରେ ପଥ ପ୍ରଦର୍ଶକ ହେଉ ବୋଲି ଦୃଢ଼ ଆଶାପୋଷଣ କରିଥିଲେ।ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ସାରଙ୍ଗଧର ଦାସଙ୍କ ଜୀବନୀ ଉପରେ ଆଲୋକପାତ କରି କହିଥିଲେ ସାରଙ୍ଗଧର ଦାସ ଓଡ଼ିଶାର ଜଣେ ସମାଜବାଦୀ ନେତା ଥିଲେ।ଅନୁନ୍ନତ ଗଡ଼ଜାତ ଅଞ୍ଚଳର ଉନ୍ନତି ନିମନ୍ତେ ସେ ସ୍ୱପ୍ନ ଦେଖିଥିଲେ।ଗଡ଼ଜାତ ଅଞ୍ଚଳରେ ତାଙ୍କର ନିସ୍ୱାର୍ଥପର ସେବା ଯୋଗୁଁ ସେ ଗଡ଼ଜାତ ଗାନ୍ଧୀ ରୂପରେ ପରିଚିତ ଥିଲେ।ସେ ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ଥିଲେ।ହୁଏତ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯେ କି ଜଣେ ଛାତ୍ର ଭାବରେ ଆମେରିକା ମାଟିରେ ପାଦ ଦେଇଥିଲେ।ଗଡ଼ଜାତ ଗାନ୍ଧୀ ଭାବେ ସାରା ଓଡ଼ିଶାରେ ସୁପରିଚିତ ସାରଙ୍ଗଧର ଦାସ ଥିଲେ ଅନ୍ଧାରି ମୂଲକର ଶୋଷିତ,ଅତ୍ୟାଚାରିତ ଗଡ଼ଜାତ ପ୍ରଜାଙ୍କର ତ୍ରାଣକର୍ତ୍ତା। ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୬ ଅକ୍ଟୋବର ୧୭ ତାରିଖରେ ପିତାମାତାଙ୍କ କନିଷ୍ଠ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ସାରଙ୍ଗଧର। ୧୯୦୫ରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ୍ କଲେ ଓ ରେଭେନ୍ସାରେ ନାମ ଲେଖାଇଲେ।ସେଠାରେ ତାଙ୍କର ସାଙ୍ଗ ଥିଲେ ନୀଳକଣ୍ଠ ଦାସ । ତାଙ୍କ ଜରିଆରେ ଗୋପବନ୍ଧୁ,ଆଚାର୍ଯ୍ୟ ହରିହରଙ୍କ ସହ ଘନିଷ୍ଠ ହେବାର ତାଙ୍କୁ ସୁଯୋଗ ମିଳିଥିଲା।ସେଇମାନଙ୍କ ପ୍ରେରଣାରେ ସେ ସ୍ୱଦେଶ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ।ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସାରଙ୍ଗଧର ସ୍ୱପ୍ନ ଦେଖୁଥିଲେ।ତେଣୁ ସେ ଜାପାନ ଯାଇ ସେଠାରେ ପ୍ରଥମେ ଦିଆସିଲି ଶିଳ୍ପ ସଂପର୍କରେ ଶିକ୍ଷା ଲାଭ କରିଥିଲେ।ପରେ ଆମେରିକା ଯାଇ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ନାମ ଲେଖାଇଥିଲେ।ସେଠାରୁ ଫେରିବା ପରେ ଢେଙ୍କାନାଳର ବ୍ରହ୍ମକୁଣ୍ଡଠାରେ ସାରଙ୍ଗଧର ଚିନି କାରଖାନା ବସାଇଲେ। ଏଥିପାଇଁ ସେ ଅନେକ ଋଣ କରିଥିଲେ।ଋଣ ନଶୁଝି ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ତାଙ୍କ ବିବେକ ବାଧା ଦେଉଥିଲା। ତେଣୁ,ସେ ଗାନ୍ଧିଜୀଙ୍କ ପରାମର୍ଶରେ ରେଙ୍ଗୁନର ଚିନିକଳରେ ଚାକିରି କଲେ।ମାତ୍ର,ସେଥିରେ ତାଙ୍କର ମନ ଲାଗିଲା ନାହିଁ। ନିଜ ମାଟିକୁ ଫେରିଆସି ସେ ରାଜାମାନଙ୍କ ହୁଙ୍କାପିଟା ଶାସନ ବିରୁଦ୍ଧରେ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଲେ।ପରେ ଗଡ଼ଜାତ ପ୍ରଜାମଣ୍ଡଳର ସାଧାରଣ ସମ୍ପାଦକ ପଦରେ ଅଧିଷ୍ଠିତ ହେଲେ।କଟକରୁ ପ୍ରକାଶିତ ‘କୃଷକ’ ପତ୍ରିକାରେ ‘ଲଣ୍ଡା ଦେହୁରି’ ଛଦ୍ମନାମରେ ସେ ଢେଙ୍କାନାଳ ରାଜାଙ୍କ ଅମାନୁଷିକ ବିବରଣୀ ଲେଖିଲେ।ସାରଙ୍ଗଧରଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଏକ ଲଢ଼ୁଆ ବାହିନୀରେ ପରିଣତ ହେଲା।୧୯୩୮ ମସିହାରେ ସେ କଂଗ୍ରେସରେ ଯୋଗଦେଲେ।ସେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ଗିରଫ୍ ହେଲେ ।୧୯୪୬ ମସିହା ରେ ନେହରୁଙ୍କ ପରାମର୍ଶକ୍ରମେ ସେ ସମ୍ବିଧାନ ପ୍ରଣୟନ ସଭାର ସଭ୍ୟପାଇଁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।୧୯୪୬ ମସିହା ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ପରମ୍ପରା ବିରୁଦ୍ଧରେ ଯାଇ ଓଡ଼ିଆ ଭାଷାରେ ଭାଷଣ ଦେଲେ। ୧୯୫୧ରେ ସମାଜବାଦୀ ଦଳର ପ୍ରାର୍ଥୀ ଭାବେ ଢେଙ୍କାନାଳ ଲୋକସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।ତାଙ୍କର ସମସ୍ତ ସମ୍ପତ୍ତି ସେ ବିଭିନ୍ନ ଟ୍ରଷ୍ଟକୁ ଅର୍ପଣ କରିଦେଇଥିଲେ । ୧୯୫୬ ସେପ୍ଟେମ୍ବର ୧୮ରେ ତାଙ୍କର ଦେହାନ୍ତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ସାରଙ୍ଗଧର ସେବା ପରିଷଦର ସଭାପତି ଚିତ୍ତରଞ୍ଜନ ପୂହାଣ,ସଂପାଦକ ସୁଜିତ୍ ରାଜ୍ ,ସୁବ୍ରତ ପୃଷ୍ଟି, ଚନ୍ଦନ ଗୋଚ୍ଛାୟତ,ଜ୍ଞାନରଞ୍ଜନ ନାୟକ, ଜ୍ୟୋତିରଂଜନ ରାଉତ,କାଳନ୍ଦୀ ପ୍ରଧାନ,ସନୁ ପୃଷ୍ଟି,ମଧୁସୂଦନ ପୃଷ୍ଟି,ଜିତୁ ଖୁଣ୍ଟିଆ,ବିକ୍ରମ ବିଶ୍ଵାଳ,ବବୁଲ ଦାସ,କୈଳାଶ ବିଶ୍ବାଳ, ଗଣେଶ୍ୱର ପରିଡ଼ା ଓ ବିଶ୍ୱଜିତ୍ ନାୟକଙ୍କ ସହିତ ସମସ୍ତ ଯୁବ ସଦସ୍ୟବୃନ୍ଦ ସାରଙ୍ଗଧରଙ୍କର ନିଜ ଗ୍ରାମ ହରେକୃଷ୍ଣପୁରରୁ ଢେଙ୍କାନାଳ ସହରକୁ ଆସି ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଉପସ୍ଥିତ ସମସ୍ତଙ୍କ ଦ୍ଵାରା “ସାରଙ୍ଗଧର ଦାସ-ଅମର୍ ରହେ” ଧ୍ୱନୀରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା।ହରେକୃଷ୍ଣପୁର ଗ୍ରାମରେ ସାରଙ୍ଗଧର ଦାସ ଟ୍ରଷ୍ଟ ବୋର୍ଡର ସଭ୍ୟ ହରିଶ୍ ଚନ୍ଦ୍ର ଦାସ ୬୮ତମ ଶ୍ରାଦ୍ଧ ଉପଲକ୍ଷେ ସ୍ୱର୍ଗତ ସାରଙ୍ଗଧର ଦାସଙ୍କୁ ପିଣ୍ଡଦାନ କରିବା ସହ ଉପସ୍ଥିତ ସମସ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରିଥିଲେ।ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ ସଭା ମଧ୍ୟ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ହୋଇଥିଲା।ବଜରଙ୍ଗ କ୍ଲବ୍,ବିପ୍ଳବୀ ସାରଙ୍ଗଧର ଦାସ ପାଠାଗାର ଓ ପଠନ କେନ୍ଦ୍ର ପକ୍ଷରୁ ସମସ୍ତ ସଭ୍ୟା, ସଭ୍ୟବୃନ୍ଦ ପର୍ଯ୍ୟାୟ କ୍ରମେ ବଳରାମ ମନ୍ଦିର ପାଖ ସାରଙ୍ଗଧରଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଗଡଜାତ ଗାନ୍ଧୀ ସାରଙ୍ଗ ଧର ଦାସଙ୍କ ୬୮ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ,ବୁଦ୍ଧମନ୍ଦିରଠାରେ ଡ଼କ୍ଟର ସୌମେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା।ଏହିସଭାରେ ବିଶିଷ୍ଟ ସୁସାହିତ୍ୟିକ ତଥା ଶିକ୍ଷାବିତ୍ ଡ.ଉଦ୍ଧବ ଚରଣ ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଗଡ଼ଜାତ ଗାନ୍ଧୀଙ୍କର ସମଗ୍ର ଜୀବନ ଉପରେ ବକ୍ତବ୍ୟ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ନିର୍ମଳ ଚନ୍ଦ୍ର ଦାସ,ରାଜନାରାୟଣ ତ୍ରିପାଠୀ,ଡ଼କ୍ଟର ସାରଙ୍ଗଧର ସାମଲ ଆଦି ବହୁ ବିଜ୍ଞ ବ୍ୟକ୍ତି ଉପସ୍ଥିତ ଥିଲେ।କଟକ ସ୍ଥିତ ଐତିହ୍ୟବାହି “ସତିଚୌରା” ଠାରେ ବିପ୍ଳବୀ ଜନନେତା,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଗଡଜାତ ଗାନ୍ଧୀ ସ୍ୱର୍ଗତ ସାରଙ୍ଗଧର ଦାସଙ୍କ ସମାଧି ସ୍ଥଳରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।ପୂର୍ବତନ ବିଧାୟକ ନବୀନ ନନ୍ଦ ସଭାରେ ଯୋଗଦାନ କରି ସ୍ୱର୍ଗତ ନେତାଙ୍କ ପାଦପଦ୍ମରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମଟି ସାରଙ୍ଗଧର ସ୍ମୃତି କମିଟିର ସଭାପତି ଡ଼.ରବି ରଞ୍ଜନ ସାହୁଙ୍କ ପରିଚାଳନାରେ ହୋଇଥିଲା।ସଭାରେ ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା, କଟକ ମେୟର ସୁବାସ ସିଂହ,ବିଶିଷ୍ଟ ସମାଜବାଦୀ ନେତା ଚିତ୍ତରଞ୍ଜନ ମହାନ୍ତି,ପ୍ରାକ୍ତନ ପ୍ରଶାସକ ସନାତନ ମଲ୍ଲିକ, ଲକ୍ଷ୍ମୀଧର ବେହେରା ଓ ଅନ୍ୟାନ୍ୟ ବକ୍ତାମାନେ ସାରଙ୍ଗଧର ଦାସଙ୍କ ଜୀବନ ଓ ସଂଗ୍ରାମୀ ସାଧନା ଉପରେ ଆଲୋକ ପାତ କରି,ତାଙ୍କ ସ୍ମୃତିକୁ ସମ୍ମାନ କରିଥିଲେ।ସଭାର ସର୍ବଶେଷରେ ଡ଼.ସିଲକା ପ୍ରିୟଦର୍ଶିନୀ ଧନ୍ୟବାଦ୍ ଅର୍ପଣ କରି ସଭାର ସମାପନ କରିଥିଲେ।ଗଡଜାତ ଗାନ୍ଧୀ ସାରଙ୍ଗଧରଙ୍କ ୬୮ ତମ ଶ୍ରାଦ୍ଧ ବାର୍ଷିକୀରେ ପୂର୍ବତନ ବିଧାୟକ,ଢେଙ୍କାନାଳ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଯାଇ ତାଙ୍କ ଲିଖିତ ବାର୍ତ୍ତାରେ ନବୀନ ନନ୍ଦ ଏହିଭଳି ମତବ୍ୟକ୍ତ କରିଛନ୍ତି।ସ୍ୱର୍ଗତ ସାରଙ୍ଗଧର ଢେଙ୍କାନାଳର ପ୍ରଥମ ସାଂସଦ ୧୯୫୧ ଠାରୁ ୧୯୫୭ ମସିହା ପର୍ଯ୍ୟନ୍ତ ଥିଲେ ଓ ସେ ପ୍ରଥମ ଓଡ଼ିଆ ଭାବେ ଜର୍ମାନୀ ଯାଇ ଚିନି ଶିଳ୍ପ ଉପରେ ଅଧ୍ୟୟନ କରିଥିଲେ।ସେ କିଛି ଦିନ ପାଇଁ କାଲିଫର୍ଣ୍ଣିଆଠାରେ କିଛି ଚିନି ଶିଳ୍ପରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ସେ ନିଜ ଭିଟାମାଟିକୁ ଫେରି ଆସି ଢେଙ୍କାନାଳର ଭୁବନ ଠାରେ ଏକ ଚିନି ଶିଳ୍ପ ପାଇଁ ଉଦ୍ୟମ କରିଥିଲେ।କିନ୍ତୁ,ତତ୍କାଳୀନ ରାଜ ପରିବାରର ଚକ୍ରାନ୍ତ ପାଇଁ ତାହା ସାକାର ହୋଇ ପାରିଲା ନାହିଁ।ଢେଙ୍କାନାଳର ତତ୍କାଳୀନ ରାଜୁଡା ଶାସନର ଅତ୍ୟାଚାର ବିରୁଦ୍ଧରେ ସେ ସ୍ବର ଉତ୍ତୋଳନ କରି ପ୍ରଜାମଣ୍ଡଳ ଆନ୍ଦୋଳନରେ ଝାସ ଦେଇଥିଲେ।ଭାରତ ବର୍ଷର ସ୍ଵାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ନିର୍ଦ୍ଦେଶରେ ଗଡ଼ଜାତ ଆନ୍ଦୋଳନରେ ଯୋଗଦେଇ ସାରା ଭାରତ ବର୍ଷରେ ଥିବା ସମସ୍ତ ଗଡଜାତ ଅଞ୍ଚଳକୁ ସ୍ଵାଧୀନ ଭାରତରେ ମିଶ୍ରଣ ପାଇଁ କାର୍ଯ୍ୟ କରିଥିଲେ। ଗଡଜାତ ଆନ୍ଦୋଳନର ସର୍ବ ଭାରତୀୟ ସଂପାଦକ ଓ ସିତାଭି ପଟ୍ଟାରମେୟାଙ୍କ ନେତୃତ୍ୱରେ ସ୍ଵାଧୀନତା ପରେ ଭାରତ ବର୍ଷର ଗଡଜାତ ରାଜ୍ୟଗୁଡ଼ିକୁ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ସ୍ୱର୍ଗତ ସାରଙ୍ଗଧର ତାଙ୍କର ମୃତ୍ୟୁ ପୂର୍ବରୁ ତାଙ୍କର ସମ୍ପତ୍ତିକୁ ଏକ ଟ୍ରଷ୍ଟ ମାଧ୍ୟମରେ ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କର ଉନ୍ନତି ପାଇଁ ଦାନ କରି ଦେଇଥିଲେ।ସେ ଟ୍ରଷ୍ଟ ର ସଭାପତି ଭାବେ ଢ଼େନ୍କାନାଳ ଜିଲ୍ଲାପାଳ ଙ୍କୁ ମନୋନୀତ କରିଥିଲେ।କିନ୍ତୁ,ସେଭଳି ଜଣେ ମହାମାନବଙ୍କର ପ୍ରକୃତ ସମ୍ମାନ ପୂର୍ବବର୍ତ୍ତୀ ସରକାରମାନେ ଦେଇ ନଥିଲେ।ପ୍ରଥମ ଥର ପାଇଁ ଢେଙ୍କାନାଳ ମାଟିର ସୁପୁତ୍ର କେନ୍ଦ୍ର ମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଗତ ୨୦୨୩ ମସିହାରେ ଗଡଜାତ ଗାନ୍ଧୀ ସାରଙ୍ଗଧରଙ୍କ ନାମରେ ଏକ ସ୍ମାରକୀ ଡାକ ଟିକଟ ପ୍ରକାଶିତ କରାଇ ପାଇଥିଲେ ବୋଲି ଦୃଢ଼ ମତପ୍ରକାଶ କରିଛନ୍ତି।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ଵ ପ୍ରାଥମିକ ପ୍ରତିବିଧାନ ଦିବସ ପାଳିତ 

Sunil Chandra Nayak

ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅବସରରେ ବାରିପଦା ଠାରେ ସଚେତନତା ସାଇକେଲ ରାଲି ଅନୁଷ୍ଠିତ।

Sunil Chandra Nayak

ସରସ୍ବତୀ ବିଦ୍ୟା ମନ୍ଦିରରେ ବୃକ୍ଷରୋପଣ

masiha

Leave a Comment

error: Content is protected !!