ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟିତ
ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା
ରାଉରକେଲା ୩୦/୧୦, ସାର୍ବଜନିକ ସୁରକ୍ଷା ବୃଦ୍ଧି ଓ ଟେକ୍ନୋଲୋଜି ଭିଭିକ ପୋଲିସିଂକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ, ରାଉରକେଲା ପୋଲିସ ପକ୍ଷରୁ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମର ଉଦ୍ଘାଟନ କରାଯାଇଛି । ଏହା ପୂର୍ବାନୁମାନିକ ପୋଲିସିଂ (Predictive Policing) ପ୍ରକଳ୍ପର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଯାହା ନଜର ରଖିବ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧିକୁ, ଅପରାଧ ପ୍ରତିରୋଧ ଏବଂ ତ୍ବରାନ୍ବିତ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି ।
ଏହି ପ୍ରକଳ୍ପ ଅଧିନରେ ଏପର୍ଯ୍ୟନ୍ତ ୨୨୦ଟି ସିସିଟିଭି କ୍ୟାମେରା ରାଉରକେଲା ସହରର ବିଭିନ୍ନ ଗୁରୁତ୍ବପୂର୍ଣ ସ୍ଥାନରେ ସ୍ଥାପନ କରାଯାଇଛି । ଏଥିରେ ୧୦୦ଟି ସୋଲାର ପାୱାର କ୍ୟାମେରା, Facial Recognition System (FRS) ଓ Automatic Number Plate Recognition (ANPR) କ୍ୟାମେରା ସମ୍ମିଳିତ ଅଛି । ପୋଲିସର ଏହି କଣ୍ଟ୍ରୋଲ ରୁମରେ ଆଧୁନିକ ପ୍ରଯୁକ୍ତି ସୁବିଧା ରହିଛି ଯାହା ପ୍ରକୃତ ସମୟ (Real Time) କାର୍ଯ୍ୟକଳାପ ନିରୀକ୍ଷଣ, ସନ୍ଦେହାସ୍ପଦ ଗତିବିଧି ଚିହ୍ନଟ କରିବା ସହ ଫିଲ୍ଡ ୟୁନିଟ୍ (Field Unit)କୁ ତୁରନ୍ତ ସଚେତନ କରିପାରିବ ।
ଏହି ପ୍ରକଳ୍ପର ଏକ ବିଶିଷ୍ଟ ଦିଗ ହେଉଛି ନୂତନ ସମ୍ପ୍ରଦାୟ ସହଭାଗିତା ମଡେଲ (Community Partnership Model)ର ଆରମ୍ଭ । ସହରରେ ୬୫୧ଟି ଘରୋଇ ସାମ୍ନାସାମ୍ନି ରାସ୍ତା (private road facing) କ୍ୟାମେରାକୁ ମ୍ୟାପ୍ କରାଯାଇଛି । ସେଥୁରୁ ୪୦୦ରୁ ଅଧିକ କ୍ୟାମେରାର ମାଲିକ ନିଜ ଫିଡ୍ ସହଭାଗୀତାରେ ଦେଇଛନ୍ତି ଯାହାକୁ ପୁଲିସ ସରଭିଲାନ୍ସ ନେଟୱାର୍କ ସହିତ ସଂଯୁକ୍ତ କରାଯିବ । ଏହି ନାଗରିକମାନଙ୍କୁ ତାଙ୍କର ସହଯୋଗ ଓ ନାଗରିକ ଦାୟିତ୍ବ ପାଇଁ ସାଧୁବାଦ ଜଣାଯାଉଛି । ପୁଲିସ ଓ ଜନସାଧାରଣଙ୍କ ଏହି ସଂଯୁକ୍ତ ପ୍ରୟାସ ସମୁଦାୟଭିଭିକ ପୋଲିସିଂ ଓ ସାମୁହିକ ସୁରକ୍ଷାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି ।
ରାଉରକେଲା ସହରର ନାଗରିକମାନେ ରାସ୍ତାକୁ ଦେଇଥିବା ନିଜ (road facing) କ୍ୟାମେରାରେ ପୋଲିସିଂକୁ ଲାଇଭ୍ ଫିଡ୍ ଶେୟାର କରିବା (Pledge Your Camera) ଅଭିଯାନରେ www.rourkelapolice.in ମାଧ୍ୟମରେ କିମ୍ବା ୮୭୬୩୧୪୬୪୭୭ ନମ୍ବରରେ ସହଯୋଗ ଜଣାଇ ଯୋଗ ଦେବାପାଇଁ ରାଉରକେଲା ପୋଲିସ୍ ପକ୍ଷରୁ ଆବାହନ କରାଯାଇଛି।
ଆଜି ରାଉରକେଲା ପୋଲିସ୍ ପକ୍ଷରୁ ଉଦ୍ଘାଟିତ କରାଯାଇଥିବା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଏକ କେନ୍ଦ୍ରୀୟ କେନ୍ଦ୍ର (Central Hub) ଭାବେ କାମ କରିବ ଯାହା ତଥ୍ୟ ବିଶ୍ଲେଷଣ, ଲାଇଭ୍ ମନିଟରିଂ ସହିତ CCTV Cell, ERSS Cell, Smart e-Beat Cell, VHF Cell ଏବଂ Traffic Cellକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ସିଷ୍ଟମରେ ଥିବା ପୂର୍ବାନୁମାନର ସୁବିଧା ଅପରାଧ ପ୍ରବଣ ଅଞ୍ଚଳ ଚିହ୍ନଟ, ଯାନବାହନ ଟ୍ରାକିଂ ଓ ଆଇନ ଶୃଙ୍ଖଳା କ୍ଷେତ୍ରରେ ଶୀଘ୍ର ପ୍ରତିକ୍ରିୟା ଦେବାରେ ସହାୟକ ହେବ। ଯାହା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମର ଉଦ୍ଘାଟନ ରାଉରକେଲା ଜିଲ୍ଲା ପୁଲିସଙ୍କ ପାଇଁ ଏକ ମାଇଲଖୁଣ୍ଟ ସଦୃଶ ଟେକ୍ନୋଲୋଜି ଭିଭିକ ଓ ସମ୍ପ୍ରଦାୟମୁଖୀ(Community Oriented) ପୋଲିସିଂ ଜରିଆରେ ରାଉରକେଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ପରିଚିତ କରାଇବ ।
ରାଉରକେଲା ପୋଲିସ ପକ୍ଷରୁ ଆଜି ଏହି ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟନ ଉତ୍ସବରେ ପଶ୍ଚିମାଞ୍ଚଳ ପୋଲିସ୍ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ ଉଦ୍ଯମରେ ଲଗାଯାଇଥିବା ୨୨୦ ସିସିଟିଭି କ୍ୟାମେରା ସହରର ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ସହିତ ଭବିଷ୍ୟତରେ ଏହାକୁ ବୃଦ୍ଧି କରାଯିବାର ମଧ୍ଯ ପ୍ରସ୍ତାବ ରହିଛି। ଏହା ରାଉରକେଲା ସହରକୁ ସୁରକ୍ଷିତ ରଖିବା ସହିତ ଜନସାଧାରଣଙ୍କୁ ମଧ୍ଯ ଅପରାଧିକ କାର୍ଯ୍ୟକଳାପରୁ ସୁରକ୍ଷା ଯୋଗାଇ ଦେବ ବୋଲି ଆଶା କରାଯାଉଛି।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

