ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟୟନ କେନ୍ଦ୍ରରେ ଏକଦିବସୀୟ ସଂସ୍କୃତ ଉନ୍ମୁଖୀ କାର୍ଯ୍ୟକ୍ରମ-୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟୟନ କେନ୍ଦ୍ରରେ ଏକଦିବସୀୟ ସଂସ୍କୃତ ଉନ୍ମୁଖୀ କାର୍ଯ୍ୟକ୍ରମ-୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ: ତା.୨୬.୧୧.୨୦୨୫ ରିଖ:(ମ ନି ସ        )ସ୍ଥାନୀୟ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପଠନ ସଭାଗୃହରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପ୍ରୋତ୍ସାହନରେ ସଂସ୍କୃତ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଏକଦିବସୀୟ ସଂସ୍କୃତ ଉନ୍ମୁଖୀ କାର୍ଯ୍ୟକ୍ରମ-୨୦୨୫ ଉଦ୍ ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ସଂସ୍କୃତ ବିଭାଗ ମୁଖ୍ୟ ବିକାଶ ରଞ୍ଜନ ରଣାଙ୍କ ଆବାହକତ୍ୱରେ ତଥା ସଂସ୍କୃତ ସମ୍ଭାଷଣ ଶିକ୍ଷକ ଅରିନ୍ଦମ ପାରୁଇଙ୍କ ତତ୍ତ୍ଵାବଧାନରେ ଅଧ୍ୟକ୍ଷ ଡ.ପୂର୍ଣ୍ଣ ଚନ୍ଦ୍ର ବରାଳଙ୍କର ପୌରୋହିତ୍ୟରେ,ଦେବସ୍ମିତା ପାଲୌରଙ୍କ ବଳିଷ୍ଠ ସଭା ସଂଯୋଜନାରେ ମହାବିଦ୍ୟାଳୟର ସଭାଗୃହରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ,ପୁରୀର ସହକାରୀ ପ୍ରାଧ୍ୟାପକ ଡ.ରମାକାନ୍ତ ସା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଭାରତୀୟ ଜ୍ଞାନ ପରମ୍ପରାରେ ସଂସ୍କୃତ ଭାଷାର ମହତ୍ତ୍ଵ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ ନିଯୁକ୍ତି କ୍ଷେତ୍ରରେ ସଂସ୍କୃତ ଭାଷା ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ଭାବରେ ସଂସ୍କୃତ ଭାରତୀ ପୂର୍ବ ଉତ୍କଳ ମନ୍ତ୍ରୀ ପଣ୍ଡିତ ନୃସିଂହ ଚରଣ ପଣ୍ଡା ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସଂସ୍କୃତ ଭାଷା ସମସ୍ତ ଜ୍ଞାନ ବିଜ୍ଞାନର ଭିତ୍ତିଭୂମି ଓ ଏହାର ପରିବ୍ୟାପ୍ତତା ସୁଦୂରପ୍ରସାରୀ ବୋଲି ଦୃଢୋକ୍ତି ପ୍ରକାଶ କରି ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅନ୍ୟତମ ଅତିଥି ଭାବରେ ଡଃ ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ,ପ୍ରାଧ୍ୟାପକ ଡ.ନିର୍ମଳ ସୁନ୍ଦର ମିଶ୍ର,ପ୍ରଶାସନିକ ଅଧିକାରୀ ଡ.ବିଭୁଦତ୍ତ ଦାଶ,ପରୀକ୍ଷା ନିୟନ୍ତ୍ରକ ଡ.ସଂଜିତ କୁମାର ମହାପାତ୍ର,ଅମ୍ବିକା ପ୍ରସାଦ ରଥ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ସ୍ଵୀୟ ସ୍ଵୀୟ ବକ୍ତବ୍ୟରେ ସଂସ୍କୃତ ସମ୍ଭାଷଣ କାର୍ଯ୍ୟକ୍ରମ ଶିକ୍ଷାର୍ଥୀମାନଙ୍କ ପାଇଁ ସଂସ୍କୃତ ଭାଷାକୁ ସହଜ,ସୁନ୍ଦର,ବୋଧଗମ୍ୟ କରି ଏହାର ସର୍ବଗ୍ରାହ୍ୟତାକୁ ସମ୍ପ୍ରସାରିତ କରିପାରିଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂସ୍କୃତ ଅଧ୍ୟୟନକେନ୍ଦ୍ର ଓ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ଏଵଂ ସ୍ଵକୀୟ ଅଭିଭାଷଣରେ ସଂସ୍କୃତ ଭାଷାକୁ ଜନସମାଜର ଭାଷାରେ ପରିଣତ କରିବା ପାଇଁ ସମସ୍ତେ ବଦ୍ଧପରିକର ହେବା ପାଇଁ ଦୃଢ଼ ଆହ୍ବାନ ଦେଇଥିଲେ।ଏହାପରେ ସଂସ୍କୃତ ବିଭାଗମୁଖ୍ୟ ଛାତ୍ରପ୍ରେମୀ ବିକାଶ ରଞ୍ଜନ ରଣା ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସୁବିସ୍ତୃତ ବର୍ଣ୍ଣନା କରିଥିଲେ।ଆଚାର୍ଯ୍ୟ ଡ଼.ନିର୍ମଳ ସୁନ୍ଦର ମିଶ୍ର ସଂସ୍କୃତ ଭାଷା ବିଶ୍ଵର ଅଧିକାଂଶ ଭାଷାର ଜନନୀ ଓ ବିଶ୍ଵର ସମସ୍ତ ଜ୍ଞାନର ଗନ୍ତାଘର ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ।ଡ.ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ ସ୍ଵୀୟ ବକ୍ତବ୍ୟରେ ଓଡ଼ିଆ ଭାଷାପ୍ରତି ଅନୁରାଗ,ସଂସ୍କୃତ ଭାଷାର ସୁରକ୍ଷା,ଏହାର ପ୍ରଚାର ପ୍ରସାର ଓ ନିଯୁକ୍ତି ଉପରେ ପ୍ରାଥମିକତା ହିଁ ଆଜିର ଆବଶ୍ୟକତା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ.ବିଭୁଦତ୍ତ ଦାଶ ଭାରତୀୟ ଜ୍ଞାନ ପରମ୍ପରାରେ ସଂସ୍କୃତ ଭାଷାର ମହତ୍ତ୍ଵ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମହା ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ.ସଂଜିତ କୁମାର ମହାପାତ୍ର ସଂସ୍କୃତ ସମ୍ଭାଷଣ ପାଠ୍ୟକ୍ରମରେ ସଫଳତା ପ୍ରାପ୍ତି ପରେ ମିଳୁଥିବା କ୍ରେଡିଟ୍ ସମସ୍ତ ପ୍ରକାର ନିଯୁକ୍ତି କ୍ଷେତ୍ରରେ ବେଶ୍ ସହାୟକ ହୋଇ ପାରୁଛି ବୋଲି ସୂଚନା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଅମ୍ବିକା ପ୍ରସାଦ ରଥ ଓ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତଅତିଥି ଭାବରେ ଯୋଗଦାନ କରି ସଂସ୍କୃତ ଓ ସଂସ୍କୃତିର ସୁରକ୍ଷା ମାଧ୍ୟମରେ ଜୀବନ,ଜ୍ଞାନ ଓ ବିଜ୍ଞାନର ଗବେଷଣା କରିବା ପାଇଁ ସଂସ୍କୃତ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ ସଂସ୍କୃତ ଭାଷା ଶିକ୍ଷା ସମସ୍ତ ଶାସ୍ତ୍ରର ସାର ଓ ମଣିଷ ଜୀବନଚର୍ଯ୍ୟାର ସୁପରିଚାଳନା ପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଆଜି ଏହି କେନ୍ଦ୍ରଦ୍ବାରା ଶିକ୍ଷାପ୍ରାପ୍ତ ପ୍ରାକ୍ତନ ଛାତ୍ରୀଛାତ୍ର ଜଗବନ୍ଧୁ ସାହୁ,ଜ୍ଞାନ ରଞ୍ଜନ ସାହୁ,ବିଭୁ ପ୍ରସାଦ ପାଣି ପ୍ରମୁଖ ଯେଉଁମାନେ କି ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ଅଧ୍ୟାପନାରତ ସେମାନେ ନିଜସ୍ଵ ସଫଳତାର ଅଭିଜ୍ଞତା ଜ୍ଞାପନ ପୂର୍ବକ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ସଂସ୍କୃତ ଅଧ୍ୟୟନ କରି ଆଗାମୀ ଜୀବିକା ପ୍ରାପ୍ତ ହେବାପାଇଁ ପ୍ରୋତ୍ସାହିତ କରିଥିଲେ।ସଭାପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ,ପ୍ରଦୀପ ପ୍ରଜ୍ବଳନ ଓ ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ସମବେତ ସ୍ବରରେ ମଙ୍ଗଳାଚରଣ ଗାନ କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ପରିବେଶରେ ରୂପାନ୍ତରିତ କରିଥିଲା।ମହାବିଦ୍ୟାଳୟର ଛାତ୍ରୀ,ଛାତ୍ରମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ୱର୍ଦ୍ଧିତ କରିଥିଲେ।ଛାତ୍ରୀ,ଛାତ୍ରମାନେ ସଂସ୍କୃତ ଭାଷାରେ ଶୃତିମଧୁର ଉଦ୍ ଘାଟନୀ ଓ ଉଦ୍ ଯାପନୀ ସଂଗୀତ ଗାନ କରି ସଭାକୁ ସଂସ୍କୃତମୟ ବାତାବରଣରେ ପରିଣତ କରିଥିଲେ।ଅନୁଷ୍ଠାନର ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ହାସ୍ୟରସାସ୍ପଦ ଏକ ସଂସ୍କୃତ ଗୀତକୁ ଛାତ୍ରୀ,ଛାତ୍ରମାନଙ୍କଦ୍ୱାରା ସୁନ୍ଦର ନାଟକ ଶୈଳୀରେ ‘ଦ୍ରାକ୍ଷା ଫଳମ୍’ ଓ ସଂସ୍କୃତ ନାଟକ ‘ସଂସ୍କୃତ ମାତା’ ଉପସ୍ଥାପନ ଯାହାକି ସଭାର ବାତାବରଣକୁ ସଂସ୍କୃତମୟ ଆନନ୍ଦମୟ କରିଥିଲା।ମହାବିଦ୍ୟାଳୟ ସଂସ୍କୃତ ବିଭାଗର ଅଧ୍ୟାପିକା ଡ.ଚିନ୍ମୟୀ ମିଶ୍ର,କାଦମ୍ବିନୀ ରାଉଳ, ଦୀପାଞ୍ଜଳି ସେଠୀ,ଛାତ୍ରୀ ଶୁଭସ୍ମିତା ପତି,ଦୀପ୍ତିପ୍ରଭା ସାହୁ ପ୍ରମୁଖ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ଦେବସ୍ମିତା ପାଲୌର ସୁନ୍ଦର ଆକର୍ଷଣୀୟ ଭାବରେ ସଭା ସଂଯୋଜନା କରିଥିଲେ।ପରିଶେଷରେ ସଂସ୍କୃତ ବିଭାଗର ଅତିଥି ଅଧ୍ଯାପକ ଜଗବନ୍ଧୁ ସାହୁଙ୍କ ଦ୍ବାରା ଧନ୍ୟବାଦ ଜ୍ଞାପନ ପୂର୍ବକ ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ଶାନ୍ତି ମନ୍ତ୍ର ପାଠ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

ଡ଼ା.ଦେବୀ ପ୍ରସାଦ ମିଶ୍ର,
ପ୍ରାକ୍ତନ ଛାତ୍ର,ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଲୁମିନି ଆସୋସିଏସନ୍ ର କାର୍ଯ୍ୟକାରିଣୀ ସଦସ୍ୟ,
ବରିଷ୍ଠ ଶିକ୍ଷାବିତ୍ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା

Related posts

କେଗାଁଗ୍ରାମ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

Sunil Chandra Nayak

ଗାଁ କୃଷକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା

masiha

ପ୍ରାଥମିକ କୃଷି ସମବାୟ ସମିତିର ଋଣମେଳା

Sunil Chandra Nayak

Leave a Comment

error: Content is protected !!