ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ପ୍ରଯୁକ୍ତିବିଦ୍ୟା : ସଂଯୋଗର ସେତୁ ନା ସମ୍ପର୍କର ପ୍ରାଚୀର ?

ପ୍ରଯୁକ୍ତିବିଦ୍ୟା : ସଂଯୋଗର ସେତୁ ନା ସମ୍ପର୍କର ପ୍ରାଚୀର ?

ଆଜିର ଏହି ଦ୍ରୁତଗାମୀ ଯୁଗରେ ଆମେ ଏକ ଅଦ୍ଭୁତ ବିରୋଧାଭାସ ମଧ୍ୟରେ ବାସ କରୁଛୁ। ଗୋଟିଏ ପଟେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୃଥିବୀକୁ ଏକ ‘ବିଶ୍ୱ ଗ୍ରାମ’ (ଗ୍ଲୋବାଲ ଭିଲେଜ)ରେ ପରିଣତ କରିଛି,କିନ୍ତୁ ଅନ୍ୟପଟେ ମଣିଷ ନିଜ ପାଖରେ ଥିବା ମଣିଷଠାରୁ ଦୂରେଇ ଯାଉଛି।ପ୍ରଯୁକ୍ତିବିଦ୍ୟା ଯେତିକି ପାଖକୁ ଆଣୁଛି,ସମ୍ଭବତଃ ସେତିକି ଅଧିକ ମାନସିକ ଦୂରତା ମଧ୍ୟ ସୃଷ୍ଟି କରୁଛି।

       ଆମ ପକେଟରେ ଥିବା ସ୍ମାର୍ଟଫୋନ୍ ଆମକୁ ହଜାର ହଜାର କିଲୋମିଟର ଦୂରରେ ଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ମୁହୂର୍ତ୍ତକ ମଧ୍ୟରେ ଯୋଡ଼ି ଦେଉଛି।କିନ୍ତୁ ବିଡ଼ମ୍ବନା ହେଉଛି,ଗୋଟିଏ ଡାଇନିଂ ଟେବୁଲରେ ବସିଥିବା ଚାରିଜଣ ସଦସ୍ୟ ପରସ୍ପର ସହ କଥା ନହୋଇ ନିଜ ନିଜ ମୋବାଇଲ୍ ପରଦାରେ ହଜିଯାଉଛନ୍ତି। ‘ନୋଟିଫିକେସନ୍’ର ଶବ୍ଦ ଆଜି ଆପଣାର ମଣିଷର ସ୍ୱରଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।ସୋସିଆଲ୍ ମିଡ଼ିଆରେ ଆମର ହଜାର ହଜାର ‘ଫ୍ରେଣ୍ଡସ୍’ ଅଛନ୍ତି,କିନ୍ତୁ ମନର ଗହନ କଥା କହିବା ପାଇଁ ହୁଏତ ଜଣେ ବି ପ୍ରକୃତ ବନ୍ଧୁ ମିଳିବା କଷ୍ଟକର ହେଉଛି।ଏହି “ଡିଜିଟାଲ ଲୋନଲିନେସ” ବା ଡିଜିଟାଲ୍ ନିଃସଙ୍ଗତା ଆଧୁନିକ ସମାଜର ଏକ ବଡ଼ ବ୍ୟାଧି ଭାବେ ଉଭା ହୋଇଛି।

           ପୂର୍ବରୁ ଚିଠିଟିଏ ଲେଖିବା ବା ସାମ୍ନାସାମ୍ନି ବସି ଦୁଃଖସୁଖ ହେବାରେ ଯେଉଁ ଆନ୍ତରିକତା ଥିଲା,ତାହା ଆଜି ଇମୋଜି ମଧ୍ୟରେ ସୀମିତ ହୋଇଯାଇଛି।ମଣିଷର କଣ୍ଠସ୍ୱରର କମ୍ପନ ଏବଂ ଆଖିର ଭାଷା ଯେଉଁ ଆବେଗ ବହନ କରେ,ତାହା କୌଣସି ହାଇ-ଟେକ୍ ଆପ୍ଲିକେସନ୍ ପ୍ରଦାନ କରିପାରିବ ନାହିଁ।ଏମିତି ବି ସମୟ ଥୂଲା,ଯେତେବେଳେ ସମ୍ପର୍କର ଗଭୀରତା ମୁହାଁମୁହିଁ କଥାବାର୍ତ୍ତାରେ ମପାଯାଉଥୁଲା,ନୀରବତାର ମଧ୍ଯ ଅନେକ ଅର୍ଥ ଥୂଲା ଏବଂ ଅପେକ୍ଷା ମଧ୍ୟ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରୁଥିଲା।ଯୁବକମାନେ ଆଉ ଜୀବନକୁ ବଞ୍ଚୁନାହାନ୍ତି,ସେମାନେ ଜୀବନକୁ ପୋଷ୍ଟ କରୁଛନ୍ତି;ଫିଲଟର ଲଗାଇ ଏବଂ ଅନ୍ୟମାନଙ୍କ ପ୍ରତିକ୍ରିୟାରେ ନିଜର ମୂଲ୍ୟକୁ ଖୋଜୁଛନ୍ତି।ପ୍ରଯୁକ୍ତିବିଦ୍ୟା ଆମକୁ ସୂଚନା ଦେଉଛି ସତ,କିନ୍ତୁ ସମ୍ବେଦନା ଦେଇପାରୁନାହିଁ।ଆମେ ସମ୍ପର୍କକୁ ‘ମେଣ୍ଟେନ୍’ କରୁଛୁ,କିନ୍ତୁ ‘ଜୀଉଁନାହୁଁ’।

         ପ୍ରଯୁକ୍ତିବିଦ୍ୟା ଯୋଗୁଁ ଆମର ପାରମ୍ପରିକ ସାମାଜିକ ଉତ୍ସବଗୁଡ଼ିକର ରୂପରେଖ ମଧ୍ୟ ବଦଳିଯାଇଛି।ପୂଜାପାର୍ବଣ ବା ବିବାହ ଭୋଜିରେ ଲୋକେ ଏକତ୍ରିତ ହେଲେ ମଧ୍ୟ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ‘ସେଲଫି’ ଉଠାଇବା ଏବଂ ତାକୁ ତୁରନ୍ତ ଅପଲୋଡ୍ କରିବା।ଲୋକଙ୍କ ସହ ମିଶିବାର ଆନନ୍ଦ ଅପେକ୍ଷା ‘ଲାଇକ୍’ ଏବଂ ‘କମେଣ୍ଟ’ ପାଇବାର ନିଶା ଆମକୁ ଅଧିକ ଘାରୁଛି।ଏହା ଫଳରେ ଗୋଷ୍ଠୀଗତ ସମ୍ପର୍କ ଶିଥିଳ ହେବାରେ ଲାଗିଛି।

       ପ୍ରଯୁକ୍ତିବିଦ୍ୟା ଖରାପ ନୁହେଁ,ବରଂ ଏହାର ଅନିୟନ୍ତ୍ରିତ ବ୍ୟବହାର ହିଁ ସମସ୍ୟାର ମୂଳ।ବିଜ୍ଞାନ ଆମକୁ ସୁବିଧା ଦେଇଛି,କିନ୍ତୁ ଆମେ ବିଜ୍ଞାନର ଦାସ ହେବା ଉଚିତ୍ ନୁହେଁ।ବର୍ତ୍ତମାନ ସମୟର ଆହ୍ୱାନ ହେଉଛି,ଦିନର କିଛି ସମୟ ମୋବାଇଲ୍ ଏବଂ ଗ୍ୟାଜେଟ୍‌ଠାରୁ ଦୂରେଇ ରହିବା,ସାମ୍ନାସାମ୍ନି ବସି କଥା ହେବାକୁ ଅଧିକ ଗୁରୁତ୍ୱ ଦେବା ତଥା

ସୋସିଆଲ୍ ମିଡିଆକୁ କେବଳ ସୂଚନା ଆଦାନପ୍ରଦାନର ମାଧ୍ୟମ ଭାବେ ବ୍ୟବହାର କରିବା;ଜୀବନର କେନ୍ଦ୍ରବିନ୍ଦୁ ଭାବରେ ନୁହେଁ।ମେସିନ୍ ଦୁନିଆରୁ ବାହାରି ପ୍ରକୃତିର ସାନ୍ନିଧ୍ୟ ଏବଂ ପୁସ୍ତକ ପଠନରେ ମନୋନିବେଶ କରିବା।

         ପ୍ରଯୁକ୍ତିବିଦ୍ୟା ଆମ ପାଇଁ ଏକ ଭଲ ଚାକର ହୋଇପାରେ,କିନ୍ତୁ ଜଣେ ଖରାପ ମାଲିକ।ଯଦି ଆମେ ସମୟ ଥାଉ ଥାଉ ସଚେତନ ନହେବା,ତେବେ ଆଗାମୀ ପିଢ଼ି ପାଖରେ ସବୁ ପ୍ରକାରର ସୁବିଧା ଥିବ,କିନ୍ତୁ ସେମାନେ ହୃଦୟର ସ୍ପନ୍ଦନ ବୁଝିବାକୁ ଅସମର୍ଥ ହେବେ।ଆସନ୍ତୁ,ମେସିନ୍ ସହ ଯୋଡ଼ି ହେବା ପୂର୍ବରୁ ମଣିଷ ସହ ଯୋଡ଼ି ହେବାକୁ ଶିଖିବା। ମନେରଖନ୍ତୁ,ଗୋଟିଏ ସ୍ମାର୍ଟଫୋନ୍ ଆପଣଙ୍କୁ ଦୁନିଆ ଦେଖାଇପାରେ,କିନ୍ତୁ ପରିବାରର ସ୍ନେହର ସ୍ପର୍ଶ ଦେଇପାରିବ ନାହିଁ।ସମ୍ପର୍କର ସେତୁକୁ ପ୍ରଯୁକ୍ତିବିଦ୍ୟାର ରଜ୍ଜୁରେ ଘେରିବାକୁ ଦେବା ନାହିଁ। ଆଧୁନିକତା ଆବଶ୍ୟକ,କିନ୍ତୁ ମାନବିକତା ଅପରିହାର୍ଯ୍ୟ।

ପ୍ରଜ୍ଞା ପ୍ରସାଦ ତଥାଗତ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ,ରମ୍ଭା,ଗଞ୍ଜାମ

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ = ଆଚାର୍ଯ୍ୟ ହରିହର ଦାସ ସ୍ମରଣେ

Sunil Chandra Nayak

ଡ୍ୟୁରେସନ: ୨ ମିନିଟ ୧୪ ସେକଣ୍ଡ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ ୨୦ ତାରିଖ : ସାଧନା,ସେବା ଓ ସମର୍ପଣର ନୂତନ ସନ୍ଦେଶ 

Sunil Chandra Nayak

Leave a Comment

error: Content is protected !!