ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା: ମୋହନ ଚରଣ ମାଝୀ

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା: ମୋହନ ଚରଣ ମାଝୀ

 ବିରୋଧୀଦଳଗୁଡ଼ିକ ମିଳିମିଶି ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି

 ଯେଉଁମାନେ ନାରୀଶକ୍ତିର ସ୍ୱାର୍ଥକୁ ବଳି ପକାଇଦେଇଛନ୍ତି, ସେମାନଙ୍କୁ ଅଭିଶାପର ଫଳ ନିଶ୍ଚୟ ମିଳିବ : ବାଂସୁରୀ ସ୍ୱରାଜ

 ବହୁତ ଶୀଘ୍ର ଦେଶର ନାରୀଶକ୍ତି ନୂଆ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେବ 

 କଂଗ୍ରେସ ସମେତ ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ

ଭୁବନେଶ୍ୱର,ତା.୧୯/୦୪: ଗତ ୧୭ ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ‘କଳା ଦିବସ’ ଥିଲା । ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀଦଳ ମିଳିମିଶି ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଥିଲେ । ସମ୍ବିଧାନର ୧୩୧ ତମ ସଂଶୋଧନକୁ ଲୋକସଭାରେ ପରାଜିତ କରି ହସଖୁସିର ସହ ଉତ୍ସବ ପାଳନ କରିଥିଲେ । ଏହା ଦେଶର ମହିଳାଙ୍କ ପରାଜୟ ନୁହେଁ, ଏହା ବିରୋଧୀଙ୍କ ଅହଂକାରକୁ ଦର୍ଶାଏ । ଏହାର ଉତର ଏ ଦେଶର ନାରୀଶକ୍ତି ନିଜ ଭୋଟ ମାଧ୍ୟମରେ ଦେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ “ନାରୀଶକ୍ତି ବନ୍ଦ ଅଧିନିୟମ” ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ କହିଛନ୍ତି । 

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମହିଳାଙ୍କ ସଶକ୍ତିକରଣ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଯଜ୍ଞ କରୁଥିବାବେଳେ ବିରୋଧୀମାନେ ଏହାକୁ ବିଫଳ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଦେଶର ପ୍ରାୟ ୧୪୦ କୋଟି ଜନସଂଖ୍ୟାର ଅଧା ହେଉଛନ୍ତି କେବଳ ମହିଳା । ମହିଳାଙ୍କ ବିନା ସୃଷ୍ଟିର କଳ୍ପନା ମଧ୍ୟ କରାଯାଇ ନ ପାରେ । ଆଜି ଦେଶର ଝିଅ ଓ ମହିଳାମାନେ ସବୁ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, କ୍ରିଡା, ବ୍ୟବସାୟ, ପ୍ରଶାସନ ସବୁ କ୍ଷେତ୍ରରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସ୍କୁଲରେ ପାଠ ପଢାଇବାରୁ ଆରମ୍ଭ କରି ଉଡାଜାହାଜ ଉଡାଇବା ତାଙ୍କ ପାଇଁ ଆଜି ସାଧାରଣ କଥା । ଅପରେଶନ ସିନ୍ଦୁର ସମୟରେ ଭାରତୀୟ ‘ନାରୀଶକ୍ତି’ର ଚମତ୍କାର ସାରା ବିଶ୍ୱ ଦେଖିଥିଲା । ମାତ୍ର ବିରୋଧୀଦଳମାନଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ଓ ଏକ ଫେଶନ । ଯେତେବେଳେ ନାରୀମାନଙ୍କୁ ପ୍ରକୃତ ସମ୍ମାନ ଏବଂ ପ୍ରକୃତ ଅଧିକାର ଦେବାର ବେଳ ଆସିଲା, ବିଭିନ୍ନ ଆଳ ଦେଖାଇ ସେମାନେ ସେଥିରୁ ଓହରିଗଲେ । ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ନୁହେଁ, ତାଙ୍କୁ କେବଳ ନିଜ ନିଜ ଦଳରେ ଗୋଡାଣିଆ ଭାବେ ବ୍ୟବହାର କରିବା ପାଇଁ ଷଡଯନ୍ତ୍ର କରାଗଲା । ସେମାନଙ୍କ ନାରୀ ସ୍ୱାଧୀନତା ସ୍ଲୋଗାନ ଏବଂ ତାଙ୍କର ଅସଲ ରୂପ ଦୁଇ ଦିନର ଲୋକସଭା ବିତର୍କରେ ପଦାକୁ ଆସିଛି । କଂଗ୍ରେସଠାରୁ ଆରମ୍ଭ କରି ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ଡିଏମକେ, ବାମପନ୍ଥୀ ଦଳଗୁଡ଼ିକର ଆଭିମୁଖ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ, ସେମାନେ ହେଉଛନ୍ତି ପ୍ରକୃତରେ ମହିଳା ବିରୋଧୀ । ସେମାନେ କେବଳ ମହିଳା ସଶକ୍ତିକରଣର ମୁଖା ପିନ୍ଧି ଅଭିନୟ କରୁଛନ୍ତି । 

ଯେଉଁମାନେ କହୁଛନ୍ତି ଯେ, ପଂଚାୟତ ନିର୍ବାଚନରେ ମହିଳାଙ୍କୁ ଆରକ୍ଷଣ ପ୍ରଦାନ କରିଛନ୍ତି, ତାହା ସେମାନେ ଏଥିପାଇଁ କରିଛନ୍ତି ଯେ, ପଂଚାୟତସ୍ତରରେ ଆରକ୍ଷଣ ଦେଲେ ଏହି ନେତାମାନଙ୍କର ବିଧାନସଭା କିମ୍ବା ଲୋକସଭା କ୍ଷେତ୍ରରେ ନିର୍ବାଚନ ଲଢ଼ିବା ପାଇଁ କିଛି କ୍ଷତି ହେଉନାହିଁ । କିନ୍ତୁ ଯେତେବେଳେ ଦେଖିଲେ ଯେ ବିଧାନସଭା ଓ ଲୋକସଭାରେ ତାଙ୍କ ସ୍ୱାର୍ଥରେ ଆଂଚ୍ ଆସିପାରେ, ସେତେବେଳେ ସେମାନଙ୍କ ମନରେ ଛନକା ପଶିଗଲା । ଏଥିଯୋଗୁ ସେମାନେ ଅଧିନିୟମକୁ ଲାଗୁ କରେଇ ଦେଇ ନଥିଲେ । କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳମାନେ ପୂର୍ବରୁ ଦୁର୍ନୀତି ଓ ପରିବାରବାଦ ପାଇଁ ଜଣାଶୁଣା ଥିଲେ, କିନ୍ତୁ ବର୍ତମାନ ତାଙ୍କ ମୁଣ୍ଡରେ ‘ ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା । 

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମହିଳା ସଶକ୍ତିକରଣ ସମ୍ବନ୍ଧରେ ପଦକ୍ଷେପ ସାରା ଦୁନିଆ ଦେଖିଛି । ଏଥିପାଇଁ ପ୍ରମାଣର ଆବଶ୍ୟକତା ନାହିଁ । ଦେଶର ସମଗ୍ର ମହିଳା ସମାଜର ଭରସା ମାନନୀୟ ମୋଦୀଜୀଙ୍କ ଉପରେ ଅଛି । ଏହି ସାମୟିକ ବିଳମ୍ବ ନାରୀଶକ୍ତିକୁ ରୋକିପାରିବ ନାହିଁ । ତାଙ୍କ ଉଡାଣ କିଛି ଦିନ ପାଇଁ ବିଳମ୍ବିତ ହୋଇଛି, କିନ୍ତୁ ବହୁତ ଶୀଘ୍ର ଦେଶର ନାରୀଶକ୍ତି ନୂଆ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । 

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସାଂସଦ ଶ୍ରୀମତୀ ବାଂସୁରୀ ସ୍ୱରାଜ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ ସର୍ବସମ୍ମତିକ୍ରମେ ୨୦୨୩ ସେପ୍ଟେମ୍ବରରେ ପାରିତ ହୋଇଥିଲା । ସେତେବେଳେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଗୁଡ଼ିକ ଏହି ଅଧିନିୟମ ସପକ୍ଷରେ ସହମତି ପ୍ରକାଶ କରିଥିଲେ । ମାତ୍ର ଏହି ଅଧିନିୟମ ଲାଗୁ ହେବାବେଳକୁ କଂଗ୍ରେସ, ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟିଙ୍କ ସହ ଇଣ୍ଡି ମେଂଟରେ ଥିବା ସବୁ ବିରୋଧୀଦଳଗୁଡ଼ିକ ମିଳିମିଶି ଏହି ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି । ଏନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନରେ ନାରୀମାନଙ୍କ ପ୍ରତି ତାଙ୍କ ବେଦନା ଓ ସମ୍ବେଦନା ଦେଖିବାକୁ ମିଳିଥିଲା । ଗତ ୧୬, ୧୭, ୧୮ ଏପ୍ରିଲରେ ସଂସଦରେ ଯେତେବେଳେ ଏହି ଅଧିନିୟମ ଲାଗୁ କରିବା ଉପରେ ଚର୍ଚ୍ଚା ହୋଇଥିଲା, ସେତେବେଳେ ବିରୋଧିମାନେ ନିଜ ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ୨୦୨୯ରୁ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ଚାହିଁଥିଲେ, ମାତ୍ର ବିରୋଧୀମାନେ ଦେଶର ମାତୃଶକ୍ତି ପୀଠିରେ ଛୁରି ଭୁଷି ଦେଇଛନ୍ତି । କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ନାରୀମାନଙ୍କ ଭୂମିକା କେବଳ ମତଦାନ କେନ୍ଦ୍ରରେ ସୀମିତ ରହୁ ବୋଲି ଚାହୁଁଛନ୍ତି । ସେମାନଙ୍କୁ କେବଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରିବାକୁ ଚାହୁଁଥିବା ଏଥିରୁ ସ୍ପଷ୍ଟ ହୋଇଛି । ଯେତେବେଳେ ଏହି ଅଧିନିୟମ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ନାରୀମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରାଉଥିଲା ସେତେବେଳେ ବିରୋଧି ଦଳଗୁଡ଼ିକ ମୁହଁ ମୋଡ଼ି ଦେଇଛନ୍ତି । ଦେଶର ମାତୃଶକ୍ତିକୁ ଅଧିକାର ଦେବାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ପ୍ରୟାସ କରୁଥିବାବେଳେ କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଂଟରେ ଥିବା ବିରୋଧୀ ଦଳଗୁଡ଼ିକ ବାଧା ସୃଷ୍ଟି କରିଛନ୍ତି । କଂଗ୍ରେସ ସବୁବେଳେ ଭାରତରତ୍ନ ଡ. ଭୀମରାଓ ବାବାସାହେବ ଆମ୍ବେଦକର ଓ ସମ୍ବିଧାନର କଥା କହୁଥିବାବେଳେ ନାରୀମାନଙ୍କ ଅଧିକାରର ହିସାବ ଦେବାର ସମୟ ଯେତେବେଳେ ଆସିଲା ସେତେବେଳେ ଏହି ଦଳ ସମ୍ବିଧାନର ତଂଟି ଚିପିଦେଲା । ଗତ ୪୦ ବର୍ଷ ଧରି ଦେଶର ମାତୃଶକ୍ତି ନିଜର ଅଧିକାର ପାଇଁ ଅପେକ୍ଷା କରିଥିବାବେଳେ ବିରୋଧୀମାନେ ଜାଣିଶୁଣି ବିଭିନ୍ନ ପ୍ରସଙ୍ଗ ଉଠାଇ ହୀନ ରାଜନୀତି କରି ଏହି ଅଧିନିୟମକୁ ଲାଗୁ କରେଇ ଦେଇନାହାନ୍ତି । ମହିଳାମାନଙ୍କୁ ରାଜନୀତିରେ ସେମାନଙ୍କ ଅଧିକାର ମିଳୁ ବୋଲି ସେମାନେ ଚାହୁଁ ନ ଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ମାତୃଶକ୍ତିଙ୍କ ହିତର ବଳି ଚଢ଼େଇବା ପାଇଁ ସେମାନେ ଯେଉଁ ଅବରୋଧ ସୃଷ୍ଟି କରିଛନ୍ତି, ଏଥିପାଇଁ ସେମାନେ ମାତୃଶକ୍ତିର ଆକ୍ରୋଶର ଶୀକାର ହେବା ସୁନିଶ୍ଚତ । ମାତୃଶକ୍ତିର ଆର୍ଶୀବାଦ ପାଇବାକୁ ସେମାନେ ସୁଯୋଗ ପାଇଥିଲେ କିନ୍ତୁ ହାତଛଡ଼ା କରିଦେଲେ । ଯେଉଁମାନେ ନାରୀଶକ୍ତିର ସ୍ୱାର୍ଥକୁ ବଳି ପକାଇଦେଇଛନ୍ତି, ସେମାନଙ୍କୁ ଅଭିଶାପର ଫଳ ନିଶ୍ଚୟ ମିଳିବ । 

ମୋଦିଜୀ ଓ ଭାରତୀୟ ଜନତା ପାର୍ଟି ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ଏକ ସଂକଳ୍ପ । ଏହା ନିଶ୍ଚିତ ପୂରଣ ହେବ । ମୋଦିଜୀଙ୍କ ନେତୃତ୍ୱରେ ନାରୀମାନଙ୍କୁ ସେମାନଙ୍କ ଅଧିକାର ନିଶ୍ଚୟ ମିଳିବ ବୋଲି ମୋଦିଜୀ ମାତୃଶକ୍ତିକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସମେତ ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ । ପଂଚାୟତରୁ ପାର୍ଲିଆମେଂଟ ପର୍ଯ୍ୟନ୍ତ ସବୁଠି ସ୍ୱର ଉତୋଳନ କରିବ ବୋଲି ବୋଲି ସାଂସଦ ସୁଶ୍ରୀ ସ୍ୱରାଜ ମତବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ କୁସୁମ ଟେଟେ ଓ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମତୀ ପୂର୍ଣ୍ଣିମା ପ୍ର୍ରିୟଦର୍ଶନୀ ନାୟକ ଉପସ୍ଥିତ ଥିଲେ ।

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡିରେ ‘ଜନଜାଗରଣ ଅଭିଯାନ’ ଉଦ୍‌ଯାପିତ

ଭାରତୀୟ ଜନତା ପାର୍ଟି ପକ୍ଷରୁ ମନ କି ବାତ” କର୍ମଶାଳା  ଅନୁଷ୍ଠିତ 

Sunil Chandra Nayak

କଂଗ୍ରେସ ଦଳର ପ୍ରଚାର ପ୍ରସାର ଦେଖି ଅନ୍ୟ ଦଳ ଛାନିଆ

masiha

Leave a Comment

error: Content is protected !!