ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ରାଉରକେଲାରେ ପ୍ଲାନେଟରିୟମ୍ ଓ ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

ରାଉରକେଲାରେ ପ୍ଲାନେଟରିୟମ୍ ଓ ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଉଦଘାଟିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୧ ଏପ୍ରିଲ, ୨୦୨୬) ରାଉରକେଲାଠାରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ଏକ ପ୍ଲାନେଟରିୟମ୍ ଏବଂ ବିଜ୍ଞାନ କେନ୍ଦ୍ର ସହିତ ନିର୍ମଳ ମୁଣ୍ଡା ପରିବେଶ ପଥକୁ ଉଦଘାଟନ କରିଛନ୍ତି । ପରେ, ରାଷ୍ଟ୍ରପତି ରାଉରକେଲାରେ ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଉଦଘାଟନ କରିଥିଲେ ।

ଏହି ଅବସରରେ ଆୟୋଜିତ ଏକ ଜନସଭାରେ ରାଷ୍ଟ୍ରପତି କହିଥିଲେ, ସୁନ୍ଦରଗଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ, ଲୋକ ସଂସ୍କୃତି ଓ ଐତିହ୍ୟରେ ଏକ ଗଭୀର ଆକର୍ଷଣ ରହିଛି । ଏହାର ଘଞ୍ଚ ଜଙ୍ଗଲ, ପର୍ବତ, ଜଳପ୍ରପାତ ଏବଂ ନଦୀଗୁଡ଼ିକ ମଧ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥାଏ। ସୁନ୍ଦରଗଡ଼ର କଳା ଓ ସଂସ୍କୃତି ଓଡ଼ିଶାର ସାଂସ୍କୃତିକ ପ୍ରାଚୁର୍ଯ୍ୟକୁ ଆହୁରି ସମୃଦ୍ଧ କରିଛି । ସୁନ୍ଦରଗଡ଼ ସାହସୀ ବ୍ୟକ୍ତି ଏବଂ କ୍ରୀଡା ପ୍ରେମୀଙ୍କ ଭୂମି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।

ରାଷ୍ଟ୍ରପତି କହିଥିଲେ, ଓଡ଼ିଶା ସମେତ ଭାରତର ବିଭିନ୍ନ ଅଞ୍ଚଳର ଲୋକମାନେ ନିଯୁକ୍ତି ଓ ଜୀବିକା ପାଇଁ ରାଉରକେଲାରେ ବସବାସ କରନ୍ତି। ଏହି ବିଶ୍ୱସ୍ତରୀୟ ସହର ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଜନଜାତି ପରମ୍ପରା ଓ କ୍ରୀଡାକୁ ପ୍ରୋତ୍ସାହିତ କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

ରାଷ୍ଟ୍ରପତି କହିଥିଲେ, ସମାଜର ପ୍ରତ୍ୟେକ ବର୍ଗର ବିକାଶ ଦ୍ୱାରା ହିଁ ଦେଶର ବିକାଶ ସମ୍ଭବ । ଏହି ଚିନ୍ତାଧାରା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି । ଏହା ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କର ଆର୍ଥିକ ଉନ୍ନତିକୁ ପ୍ରାଥମିକତା ଦେଉଛି ।

ରାଷ୍ଟ୍ରପତି ଦେଶ ବିକାଶରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଆଗକୁ ବଢ଼ିବା ଏବଂ ଅନ୍ୟମାନଙ୍କୁ ଆଗକୁ ବଢ଼ିବାରେ ସହାୟତା କରିବା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ସେମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଏଥିସହିତ ଭଲ ମଣିଷ ହେବା ଏବଂ ପଛରେ ପଡ଼ିଯାଇଥିବା ଲୋକଙ୍କୁ ଉନ୍ନତ କରିବା ଲାଗି ପ୍ରୟାସ କରିବାକୁ ରାଷ୍ଟ୍ରପତି ଆହ୍ୱାନ କରିଥିଲେ ।

ରାଷ୍ଟ୍ରପତି କହିଥିଲେ, ଆମ ଦେଶ ୨୦୪୭ ମସିହା ସ୍ୱାଧୀନତାର ଶତବାର୍ଷିକୀ ବର୍ଷ ସୁଦ୍ଧା ବିକଶିତ ଭାରତ ହେବା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ସେହିପରି ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶହେ ବର୍ଷ ପୂରଣ ହେବ। ଏକ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ, ସର୍ବାଙ୍ଗୀଣ ବିକାଶ ଏବଂ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ଭାଗୀଦାରୀ ଅତ୍ୟନ୍ତ ଜରୁରୀ । ଦେଶର ଚାଷୀ, ଶ୍ରମିକ, ଜନଜାତି ସମ୍ପ୍ରଦାୟ, ଅବହେଳିତ ବର୍ଗ, ବୁଦ୍ଧିଜୀବୀ, ଯୁବ ଓ ଛାତ୍ର ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମୂହିକ ପ୍ରୟାସ ଏବଂ ସମର୍ପଣ ଦ୍ୱାରା ହିଁ ବିକଶିତ ଭାରତ ଗଠନ ସମ୍ଭବ ହେବ ବୋଲି ସେ କହିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆସନ୍ତାକାଲି ଠାରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

୨୨୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଉଚ୍ଚଶିକ୍ଷା ବିଭାଗ

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ଯାଏଁ ମିଳିବ ମାଗଣା ଚାଉଳ, ଖର୍ଚ୍ଚ ହେବ ୧୮୫ କୋଟି

Sunil Chandra Nayak

Leave a Comment

error: Content is protected !!