ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଜାନୁୟାରୀ ୫ରୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

 ଓଡ଼ିଶାରେ ଉପଲବ୍ଧ ହେବାକୁ ଯାଉଛି ୫ଜି ଟେଲିକମ୍ ସେବା। ଭୁବନେଶ୍ବର ଏବଂ କଟକ ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଏହି ସେବା ଆସନ୍ତା ଜାନୁୟାରୀ ୫ ତାରିଖରୁ ଆରମ୍ଭ ହେବ। ଏହି ଦିନ ଦୁଇଟି ଘରୋଇ ଟେଲିକମ କମ୍ପାନି ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପକ୍ଷରୁ ରାଜ୍ୟରେ ଗ୍ରାହକଙ୍କୁ ୫ଜି ସେବା ପ୍ରଦାନ ଆରମ୍ଭ ହେବ। ଭୁବନେଶ୍ବରର ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଉକ୍ତ ସେବାର ଲୋକାର୍ପଣ କରିବେ ବୋଲି ସୂଚନା ମିଳିଛି।

ଏଥିସହିତ ଟେଲିକମ୍ ବିଭାଗ (ଡଟ୍‌) ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ନେଇ ଏକ ଟ୍ବିଟ୍ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ ୫ଜି ସେବା ସହିତ ରାଜ୍ୟର ଗ୍ରାମାଞ୍ଚଳରେ ୧୦୦ ଟେଲିକମ୍ ଟାୱାରର ଉଦ୍‌ଘାଟନ କରିବେ ବୋଲି ସୂଚନା ଦିଆଯାଇଛି। ଏଥିସହିତ ପ୍ରଯୁକ୍ତି କମ୍ପାନି, ଷ୍ଟାର୍ଟଅପ୍‌ ସଂସ୍ଥା, ସିଡଟ୍‌ ଏବଂ ଟେଲିକମ୍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇ ଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ ହେବ। ଟେଲିକମ୍ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୫ଜି ସେବା ପାଇଁ ଜାନୁଆରି ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍‌ ପ୍ରସ୍ତୁତ ହୋଇସାରିଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ନିକଟରେ ଓଡ଼ିଶା ଗସ୍ତ ସମୟରେ ସୂଚନା ଦେଇଥିଲେ। ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା। ଏଥିରେ ଦେଶର ୧୨ଟି ସହର ସହିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ସାମିଲ ଥିଲା। ୫ଜି ସେବା ଆରମ୍ଭ ହେଲେ ଟେଲିକମ୍ ଏବଂ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ। ଏହାଦ୍ବାରା ଅର୍ଥନୀତି ସୁଦୃଢ଼ ହେବ ବୋଲି ଆଶା ରଖାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡ଼ିଶାକୁ କେବେ ବି ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Sunil Chandra Nayak

ବଦଳିଲା ସ୍କୁଲ୍‌ ୟୁନିଫର୍ମ… ନବମ-ଦଶମରେ ଚେକ୍‌ ସାର୍ଟ ଓ ଫୁଲ୍‌ ପ୍ୟାଣ୍ଟ୍‌ ପିନ୍ଧିବେ ଛାତ୍ରଛାତ୍ରୀ।ପୋଷାକରେ ରହିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଲୋଗୋ

Sunil Chandra Nayak

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ : ୧୫ରୁ କଟିବ ଚାଲାଣ

Sunil Chandra Nayak

Leave a Comment

error: Content is protected !!