ନାମ୍ପୋ ଉଚ୍ଚ ବିଦ୍ୟାଳୟର ୬୦ ଲକ୍ଷ ଟଙ୍କା ଅନୁଦାନ ଗଲା କୁଆଡ଼େ ?
ଜଳେଶ୍ଵର,୮/୫(ମନିସ)– ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ଉଚ୍ଚ ବିଦ୍ୟାଳୟରେ ୫-ଟି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଜନୈକ ଅଭିଭାବକ ସତ୍ୟ ରଞ୍ଜନ ରଣା ଗତ ୯/୩/୨୬ ତାରିଖରେ ଜିଲ୍ଲାପାଳ ଓ ଏସ. ପିଙ୍କ ମିଳିତ ଜନ ଶୁଣାଣି ଶିବିରରେ ଅଭିଯୋଗ କରିବା ପରେ ଦୀର୍ଘ ୫୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।ଅପର ପକ୍ଷେ ଏହି ଅଭିଯୋଗ ସମ୍ପର୍କରେ ବାରମ୍ବାର ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଦାବୀ କଲେ ମଧ୍ୟ ଫଳ ଶୂନ ବୋଲି ନାମ୍ପୋ ବିଜେପି ସଭାପତି ଜଗଦୀଶ ପ୍ରଧାନ ଗଣ ମାଧ୍ୟମକୁ ସୂଚନା ଦେବା ସହିତ ଉକ୍ତ ବିଦ୍ୟାଳୟର ଏହି ଦୁର୍ନୀତି ସମ୍ପର୍କରେ ଗତ ୨୦/୨/୨୩,୧୫/୫/୨୩,୩/୭/୨୩ ଓ ୯/୧୦/୨୩ ତାରିଖରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଅଦ୍ୟାବଧି କାର୍ଯ୍ୟାନୁଷ୍ଠନ ଗ୍ରହଣ କରା ନ ଯିବା ଘଟଣାରେ ଶ୍ରୀ ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି।ସେଥିପାଇଁ ସେ ବିଦ୍ୟାଳୟ ସମ୍ମୁଖରେ ଗତ ୧୬/୧/୨୪ ତାରିଖରେ ୫ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଓ ଅଭିଭାବକ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଆମରଣ ଅନଶନରେ ମଧ୍ୟ ବସିଥିଲେ ବୋଲି ପ୍ରକାଶ କରିଛନ୍ତି।ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ନାମ୍ପୋ ଉଚ୍ଚ ବିଦ୍ୟାଳୟକୁ ୫- ଟି କାର୍ଯ୍ୟ ପାଇଁ ସର୍ବମୋଟ ୩୭ ଲକ୍ଷ ୭୫ ହଜାର ଟଙ୍କାର ଅନୁଦାନ ମିଳିଥିଲା।ସେଥିମଧ୍ୟରୁ ବିଦ୍ୟାଳୟର ମୌଳିକ ଢାଞ୍ଚା ଉନ୍ନୟନ ପାଇଁ ୨୪ ଲକ୍ଷ ଟଙ୍କା,ଡେସ୍କ ଓ ବେଞ୍ଚ ପାଇଁ ୭ ଲକ୍ଷ ୩୩ ହଜାର ଟଙ୍କା, ଲାଇବ୍ରେରୀ ରେକ୍ ପାଇଁ ୯୫ ହଜାର, ବେଡମିନ୍ଟନ୍ କୋର୍ଟ ପାଇଁ ୩ ଲକ୍ଷ ୧୭ ହଜାର,ବିଜ୍ଞାନ ପରୀକ୍ଷାଗାର ପାଇଁ ୨ ଲକ୍ଷ ୧୯ ହଜାର ମଞ୍ଜୁର ହୋଇଛି।ମାତ୍ର ଏହି ସବୁ କାର୍ଯ୍ୟ ମିଳିଥିବା ଅନୁଦାନ ଅନୁଯାୟୀ କରା ନ ଯାଇ ଅତ୍ୟନ୍ତ ନିମ୍ନ ମାନର କରାଯାଇଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।ଏପରିକି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନିର୍ମାଣ ହେଉଥିବା ଶୌଚାଳୟ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇ ପାରିନାହିଁ।ଅପର ପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ବିଗତ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ବିଦ୍ୟାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଜଳେଶ୍ଵର ବ୍ଲକର ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫୯.୭୮ ଲକ୍ଷ ଟଙ୍କା,ବାଗପୁଞ୍ଜି ଶ୍ରୀ ଚୈତନ୍ୟ ଦେବ ବିଦ୍ୟାଳୟକୁ ୧୧.୨୫ ଲକ୍ଷ ଓ ଖୁଲୁଡା ଶୀତଲା ଠାକୁରାଣୀ ଉଚ୍ଚ ବିଦ୍ୟାଳୟକୁ ୧୧.୨୫ ଲକ୍ଷ ଟଙ୍କା ମିଳିଥିଲେ ସୁଦ୍ଧା ସେହି ଅର୍ଥରୁ ବିଦ୍ୟାଳୟରେ ଖର୍ଚ୍ଚ ହୋଇଛି କି ନାହିଁ ତାହାର ସଠିକ୍ ଭାବେ ହିସାବ ଜଳେଶ୍ଵର ବିଡ଼ିଓ କାର୍ଯ୍ୟାଳୟ ଦେଇ ପାରୁ ନାହାନ୍ତି।ସେହିପରି ବିଦ୍ୟାଳୟର ୪ର୍ଥ, ୫ମ, ୬ଷ୍ଠ ଓ ୭ମ ଶ୍ରେଣୀ ଗୃହ ଗୁଡ଼ିକ ଭାଙ୍ଗି ରୁଜି ନଷ୍ଟ ହୋଇ ଯାଇ ଥିବା ବେଳେ ମିଳିଥିବା ଅର୍ଥରୁ ସେହି ଗୃହ ଗୁଡ଼ିକ ଅଦ୍ୟାବଧି ମରାମତି ନ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଜୀବନ ସୁରକ୍ଷିତ ନୁହେଁ।କେତେବେଳେ ଯେ ଛାତ ଭାଙ୍ଗି ପଡିବ ତାହା କହିବା ମୁସ୍କିଲ ହେବ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।ସେହିପରି ଶ୍ରେଣୀ ଗୃହର ଚାରିପଟେ ବଡ଼ ବୁଦା ଓ ଘାସ ହୋଇଥିବାରୁ ସର୍ପ,ମୂଷା ଓ ବିଭିନ୍ନ ପ୍ରକାରର ସରୀସୃପ ମାନଙ୍କ ତାହା ଆଡ୍ଡା ସ୍ଥଳୀ ପାଲଟିଛି।ଅପରପକ୍ଷେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ସେହି ସବୁ ପରିତ୍ୟକ୍ତ ଘରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ପରିବେଷଣ କରା ଯାଉ ଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିବା ସହିତ ଏହି ଘଟଣାର ବିଧିବଦ୍ଧଭାବେ ତଦନ୍ତ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି।ଏହି ଅଭିଯୋଗ ସମ୍ପର୍କରେ ଜଳେଶ୍ୱର ବିଡ଼ିଓ ଓ ନାମ୍ପୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗାଯୋଗ କରିବାରୁ ତାହା ସମ୍ଭବପର ହୋଇ ପାରି ନ ଥିଲା।
ସୁକୁମାର ରଣା ଙ୍କ ରିପୋର୍ଟ୍

