ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା : ମେ ୧୩ ଜ୍ଞାନ ଓ ବିଜ୍ଞାନର ସମନ୍ୱୟ — ଶକ୍ତିଶାଳୀ ବିଶ୍ୱର ପରିଚୟ

ଆଜିର ଦିବସର ଅନୁଚିନ୍ତା : ମେ ୧୩ ଜ୍ଞାନ ଓ ବିଜ୍ଞାନର ସମନ୍ୱୟ — ଶକ୍ତିଶାଳୀ ବିଶ୍ୱର ପରିଚୟ

  ଡ଼ା. ଦେବୀ ପ୍ରସାଦ ମିଶ୍ର

ସମୟର ଅବିରତ ସ୍ରୋତର ପ୍ରବାହରେ ପ୍ରତିଟି ଦିନ ଇତିହାସର ଏକ ନୂତନ ଫର୍ଦ୍ଦ ଏକ ନୂତନ ସ୍ୱାକ୍ଷର। ମେ ୧୩ ତାରିଖ ତେଣୁ କେବଳ ପଞ୍ଜିକାର ଏକ ସାଧାରଣ ଦିନ ନୁହେଁ; ବିଶ୍ୱ,ଭାରତ ଓ ଆମ ଓଡ଼ିଶା ପାଇଁ ଏହା ଅନେକ ସ୍ମୃତି ଓ ଗୌରବର ଅପୂର୍ବ ସମାହାର।ଏହା ଜ୍ଞାନ,ବିଜ୍ଞାନ,ସଂଘର୍ଷ ଓ ସୃଜନଶୀଳତାର ଏକ ଗୌରବମୟ ସ୍ମୃତିଦିବସ।

ବିଶ୍ୱ ଇତିହାସର ପୃଷ୍ଠା ଓଲଟାଇଲେ ଦେଖାଯାଏ, ୧୮୩୦ ମସିହାରେ ଆଜିର ଦିନରେ ଇକ୍ୱେଡର୍ ଏକ ସ୍ୱାଧୀନ ଗଣରାଜ୍ୟ ଭାବେ ନିଜର ପରିଚୟ ସ୍ଥାପନ କରିଥିଲା।ସ୍ୱାଧୀନତାର ସେହି ଉଚ୍ଚାରଣ ଆଜି ମଧ୍ୟ ମାନବ ସମାଜକୁ ଆତ୍ମମର୍ଯ୍ୟାଦାର ଶିକ୍ଷା ପ୍ରଦାନ କରେ।ଆନ୍ତର୍ଜାତୀୟ ସ୍ତରରେ ଆଜି ‘ବିଶ୍ୱ କକଟେଲ ଦିବସ’ ଓ ‘ଆନ୍ତର୍ଜାତୀୟ ହୁମୁସ ଦିବସ’ ଭାବେ ପାଳିତ ହେଉଛି।ବିଶ୍ୱ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆଜିର ଦିନ ମଧ୍ୟ ସ୍ମରଣୀୟ।୧୯୧୩ ମସିହାରେ ପ୍ରଥମ ଚାରି-ଇଞ୍ଜିନ ବିଶିଷ୍ଟ ବିମାନର ସଫଳ ଉଡ଼ାଣ ମାନବ ମେଧାର ଦୁଃସାହସିକ ଅଭିଯାନକୁ ନୂତନ ଦିଗ ଦେଖାଇଥିଲା।ଏହି ଦିନେ ଜନ୍ମ ନେଇଥିଲେ ମ୍ୟାଲେରିଆ ପରଜୀବୀର ଆବିଷ୍କାରକ ନୋବେଲ ବିଜେତା ସାର୍ ରୋନାଲ୍ଡ ରସ୍,ଯାହାଙ୍କ ଅନୁସନ୍ଧାନ ଚିକିତ୍ସା ବିଜ୍ଞାନକୁ ମାନବସେବାର ନୂତନ ଦିଗ୍ ଦର୍ଶନ ପ୍ରଦାନ କରିଥିଲା।

ଭାରତୀୟ ଇତିହାସରେ ୧୯୯୮ ମସିହାର ପୋଖରାନ ପରମାଣୁ ପରୀକ୍ଷଣ ଦେଶର ବୈଜ୍ଞାନିକ ସାମର୍ଥ୍ୟ ଓ ଆତ୍ମବିଶ୍ୱାସର ଏକ ଅଦ୍ୱିତୀୟ ପ୍ରତୀକ।ଭାରତ ‘ଅପରେସନ୍ ଶକ୍ତି’ର ଦ୍ୱିତୀୟ ପର୍ଯ୍ୟାୟରେ ପୋଖରାନଠାରେ ଅବଶିଷ୍ଟ ଦୁଇଟି ପରମାଣୁ ପରୀକ୍ଷଣ ସଫଳତାର ସହ ସମାପ୍ତ କରି ବିଶ୍ୱକୁ ନିଜର ସାମରିକ ଓ ବୈଜ୍ଞାନିକ ସାମର୍ଥ୍ୟ ପ୍ରଦର୍ଶନ କରିଥିଲା।ଏହା ଆମକୁ ସ୍ମରଣ କରାଏ ଯେ ଜ୍ଞାନ ଓ ପ୍ରଯୁକ୍ତିର ସଠିକ୍ ସମନ୍ୱୟ ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ରର ଭିତ୍ତି।ବରେଣ୍ୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଆଜି ହେଉଛି ୧୯୦୫ ମସିହାରେ ଆଜିର ଦିନରେ ଭାରତ ଭୂମିରେ ଜନ୍ମଗ୍ରହଣ କରିଥିବା ଭାରତର ପଞ୍ଚମ ରାଷ୍ଟ୍ରପତି ଫକ୍ରୁଦ୍ଦିନ ଅଲ୍ଲୀ ଅହମ୍ମଦଙ୍କ ଜନ୍ମଜୟନ୍ତୀ।୨୦୦୧ ମସିହାରେ ପରଲୋକ ଗ୍ରହଣ କରିଥିବା 

ସାହିତ୍ୟ ଜଗତର ମହାରଥୀ ଆର.କେ.ନାରାୟଣଙ୍କ ଶ୍ରାଦ୍ଧ ଦିବସ ଆଜିର ଦିନକୁ ଭାବପୂର୍ଣ୍ଣ କରିଥାଏ।

ଓଡ଼ିଶା ପ୍ରସଙ୍ଗରେ ଆଜିର ଦିନଟି ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସ୍ମରଣୀୟ।୧୯୪୩ ମସିହା ମେ ୧୩ରେ ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା ହୋଇ କାର୍ଯ୍ୟାରମ୍ଭ କରିଥିଲା।ଏଥିସହ ଓଡ଼ିଆ ସାହିତ୍ୟର ବିପ୍ଳବୀ ସ୍ରଷ୍ଟା ତଥା ପ୍ରଗତିଶୀଳ ସାହିତ୍ୟର ପୁରୋଧା ଭଗବତୀ ଚରଣ ପାଣିଗ୍ରାହୀଙ୍କର ୧୯୪୩ ମସିହାରେ ଆଜିର ଦିନରେ ପରଲୋକ ଘଟିଥିଲା।ଓଡ଼ିଶା ପାଇଁ ମଧ୍ୟ ଆଜିର ଦିନର ଏହି ଦୁଇଟି ଅତ୍ୟନ୍ତ ଗୌରବମୟ ସ୍ମୃତି ଆମ ସାହିତ୍ୟ ଓ ଶିକ୍ଷାର ମହତ୍ତ୍ୱକୁ ଅଧିକ ଉଜ୍ଜ୍ୱଳ କରେ। 

ଆଜିର ଏହି ଐତିହାସିକ ଘଟଣାବଳୀ ଆମକୁ ଶିକ୍ଷା ଦିଏ ଯେ,ଜ୍ଞାନ ଓ ବିଜ୍ଞାନର ସମନ୍ୱୟରେ ହିଁ ଏକ ଶକ୍ତିଶାଳୀ ଗଠନ ସମ୍ଭବ।ଅତୀତର ଏହି ଆଲୋକମୟ ପାଦଚିହ୍ନ ଆମକୁ ଜ୍ଞାନକୁ ଶକ୍ତି ଓ ମାନବତାକୁ ପଥପ୍ରଦର୍ଶକ କରି ଏକ ସମୃଦ୍ଧ ବିଶ୍ୱର ଭବିଷ୍ୟତ ଗଠନ କରିବା ପାଇଁ ଆହ୍ୱାନ କରେ।

ତେବେ ଆସନ୍ତୁ,ଆମେ ସମସ୍ତେ ଅତୀତର ଏହି ଗୌରବମୟ ସ୍ମୁତିରାଜିକୁ ପାଥେୟ କରି ଏକ ସମୃଦ୍ଧ ବିଶ୍ୱର ଭବିଷ୍ୟତ ଗଠନର ସ୍ବପ୍ନକୁ ସାକାର କରିବା ପାଇଁ ସଙ୍କଳ୍ପବଦ୍ଧ ହେବା।

  ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା: ଇତିହାସର ପୃଷ୍ଠାରେ ଏପ୍ରିଲ୍ ୫ ତାରିଖ: ଜ୍ଞାନ,ବିଜ୍ଞାନ ଓ ସଂସ୍କୃତିର ସମନ୍ୱୟ ହିଁ ପ୍ରଗତିର ପ୍ରକୃତ ପରିଭାଷା

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ମେ’ ୧୦ ତାରିଖ: ଇତିହାସ,ଜ୍ଞାନ ଓ ମାନବତାର ଏକ ସଂକଳ୍ପ ଦିବସ

ଆଜିର ଦିବସର ଅନୁଚିନ୍ତା : ଅଗଷ୍ଟ ୨୯ ତାରିଖ :ଧ୍ୟାନଚାନ୍ଦଙ୍କ ଶୃଙ୍ଖଳା,ଆମ୍ବେଦକରଙ୍କ ଦୂରଦୃଷ୍ଟି ଓ ପରମାଣୁ ମୁକ୍ତ ବିଶ୍ୱ ଗଠନର ସଂକଳ୍ପ ଦିବସ 

Sunil Chandra Nayak

Leave a Comment

error: Content is protected !!