ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏନ୍.ସି.ସି ଉଚ୍ଛେଦକୁ ନେଇ ପୁରାତନ ଛାତ୍ରଙ୍କ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଏନ୍ ସି ସି ଅଧିକାରୀଙ୍କ ତଦନ୍ତ ଆରମ୍ଭ 

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏନ୍.ସି.ସି ଉଚ୍ଛେଦକୁ ନେଇ ପୁରାତନ ଛାତ୍ରଙ୍କ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଏନ୍ ସି ସି ଅଧିକାରୀଙ୍କ ତଦନ୍ତ ଆରମ୍ଭ 

ଜଳେଶ୍ଵର,୧୫/୫(ମନିସ)- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏନ୍.ସି.ସି ଉଚ୍ଛେଦକୁ ନେଇ ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ସାମରିକ ଅଧିକାରୀ ଦିଲ୍ଲୀପ କୁମାର ଦେ ଭାରତର ମହମହିମ୍ ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଏନ୍ ସି ସି ଅଧିକାରୀଙ୍କ ଦ୍ୱାରା ଆଜି ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ୧୯୫୮ ମସିହାରେ ନାମ୍ପୋ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ସ୍ଥାନୀୟ ଜନସାଧାରଣ ଓ ଅଭିଭାବକ ମାନଙ୍କର ଉଦ୍ୟମ କ୍ରମେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏନ୍.ସି.ସି ଖୋଲା ଯାଇଥିଲା।ପୂର୍ବତନ ଛାତ୍ର ଦିଲ୍ଲୀପ କୁମାର ଦେ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ୧୯୭୧-୭୪ ବର୍ଷରେ ଏନ୍.ସି.ସି ନେଇ ପରବର୍ତ୍ତୀ ସମୟରେ ଇଣ୍ଡିଆନ୍ ଆର୍ମୀରେ ଚାକିରୀ କରି ଅବସର ଗ୍ରହଣ କରିସାରିଛନ୍ତି।ସେ କିଛି ଦିନ ତଳେ ଏହି ବିଦ୍ୟାଳୟରୁ ଏନ୍.ସି.ସି ଉଚ୍ଛେଦ ସମ୍ପର୍କରେ ଜାଣିବାକୁ ପାଇଥିଲେ।ନିଜର ବିଦ୍ୟାଳୟରେ କିପରି ପୁନର୍ବାର ଏନ୍.ସି.ସି ଖୋଲାଯାଇ ପାରିବ,ସେ ସମ୍ପର୍କରେ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ ବିଦ୍ୟାଳୟରେ ଏନ୍.ସି.ସି ଦାୟିତ୍ବରେ ରହିଥିବା ତତ୍କାଳୀନ ଶିକ୍ଷକ କମଳାକାନ୍ତ ଦାଶ ୧୯୯୭ ମସିହାରେ ଅବସର ଗ୍ରହଣ କରିଥିଲେ ।ସେତେବେଳେର ପ୍ରଧାନ ଶିକ୍ଷକ ପରବର୍ତ୍ତୀ ଏନ୍.ସି.ସି ଦାୟିତ୍ବ ପାଇଁ ଶିକ୍ଷକ ରମାକାନ୍ତ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମାତ୍ର ଶ୍ରୀ ପ୍ରଧାନ ଅବସର ଗ୍ରହଣ ପୂର୍ବରୁ କୌଣସି ଶିକ୍ଷକଙ୍କୁ ତତ୍କାଳୀନ ପ୍ରଧାନ ଶିକ୍ଷକ ଦାୟିତ୍ୱ ନ ଦେବା ଫଳରେ ୨୦୦୮ ଶିକ୍ଷା ବର୍ଷରେ ଏହି ଏନ୍.ସି.ସି ଉକ୍ତ ବିଦ୍ୟାଳୟରୁ ଉଠି ଯାଇଥିଲା।ପ୍ରାୟ ୫୦ ବର୍ଷ ଧରି ଏହି ଏନ୍.ସି.ସି ଦ୍ୱାରା ଛାତ୍ର ଛାତ୍ରୀ ମାନେ ଲାଭବାନ ହେଉ ଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ଏପରି ନିଷ୍ପତ୍ତି ଗ୍ରାମବାସୀ ମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା। ତେଣୁ ଅନ୍ୟ ଉପାୟ ନ ପାଇ ଶ୍ରୀ ଦେ ଗତ ୯/୧/୨୬ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।ମାତ୍ର ସେଠାରେ କୌଣସି ସୁଫଳ ନ ପାଇବା ପରେ ଗତ ୧୮/୨/୨୬ ତାରିଖରେ ଭାରତର ମହମହିମ୍ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପାଇଁ ୬୭ ବର୍ଷ ବୟସ୍କ ଶ୍ରୀ ଦେ ନିବେଦନ କରିଛନ୍ତି। ଏହି ସବୁ ତଥ୍ୟ ଗତ ୨ ତାରିଖରେ ଦୈନିକ ପ୍ରମେୟରେ ପ୍ରକାଶ ପାଇଥିଲା।ପରବର୍ତ୍ତୀ ସମୟରେ ଶ୍ରୀ ଦେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଗତ ୧୩/୫/୨୬ ତାରିଖରେ ମଧ୍ୟ ନିବେଦନ କରିଥିଲେ।ଆଜି ୭ ବି.ଏନ୍(ଏନ୍.ସି.ସି ),ଭଦ୍ରକର ସୁବେଦାର କରମଜିତ୍ ସିଂ ଓ ହାବିଲଦାର ସଞ୍ଜୟ ସୁରୁଙ୍ଗ ପୂର୍ବାହ୍ନରେ ନାମ୍ପୋ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ।ଏନ୍.ସି.ସି ପାଇଁ ଉଦ୍ଦିଷ୍ଟ ରୁମ୍, ପଡ଼ିଆ ଓ ବିଭିନ୍ନ ଶ୍ରେଣୀ ଗୃହ ସେମାନେ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ।ଯଥା ଶୀଘ୍ର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ରିପୋର୍ଟ ପ୍ରଦାନ କରିବେ ବୋଲି ସୁବେଦାର କରମଜିତ୍ ସିଂ ସୂଚନା ଦେଇଥିଲେ।ଏହି ପରିଦର୍ଶନ ସମୟରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାନ୍ତି,ସମାଜସେବୀ ଜଗଦୀଶ ପ୍ରଧାନ ଓ ସତ୍ୟ ସାଗର ଦାଶ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଖିଲ କୁମାର ପରିଡ଼ା,ଏନ୍.ସି.ସି ଦାୟିତ୍ବ ନେବା ପାଇଁ ସମ୍ମତି ପ୍ରକାଶ କରିଥିବା ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦେ,ଆଶିଷ କୁମାର ମଣ୍ଡଳ,କ୍ରୀଡ଼ା ଶିକ୍ଷକ ପଲ୍ଲବ କୁମାର ଡଗର,ଶିକ୍ଷୟତ୍ରୀ ପେମା ଟୁଡୁ ଓ ବାଗ୍ମୀତା ମଞ୍ଜରୀ ସିଂ ଓ ବିଦ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବାଲୁକା କଳା ରେ ବିଶ୍ଵ ମହିଳା ଦିବସ

masiha

କନ୍ଧମାଳ ସମାଜସେବୀ ଅଶୋକ ପରିଡା ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସମ୍ବର୍ଦ୍ଧିତ

Sunil Chandra Nayak

ଉତ୍କଳ ସମ୍ମିଳନୀ ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ତଥା ନବରଙ୍ଗପୁର ଜିଲ୍ଲା ସଂଗଠନର ବାର୍ଷିକ ଉତ୍ସବ ନେଇ ପୂର୍ବ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!