ଆଜିର ଦିବସର ଅନୁଚିନ୍ତା : ମେ ୧୬ ତାରିଖ : ବିଶ୍ୱରେ ଯୁଦ୍ଧର ଅବସାନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ସନ୍ଦେଶ
ଡ଼ା. ଦେବୀ ପ୍ରସାଦ ମିଶ୍ର,
କାଳର କପାଳରେ ମେ ୧୬ ତାରିଖ ଏକ ଏପରି ଦିବସ, ଯେଉଁଥିରେ ମାନବତା,ବିଜ୍ଞାନ ଓ ସାମ୍ପ୍ରଦାୟିକ ସହଯୋଗର ଶାଶ୍ୱତ ସ୍ୱର ଏକାତ୍ମତାରେ ଝଙ୍କୃତ ହୋଇଥାଏ।ମେ ୧୬ ତାରିଖ କେବଳ କାଳର ଏକ ପୃଷ୍ଠା ନୁହେଁ,ବରଂ ମାନବ ଇତିହାସ,ସଂସ୍କୃତି ଓ ବିଜ୍ଞାନର ଏକ ଅପୂର୍ବ ସମନ୍ୱୟ।
ବିଶ୍ୱସ୍ତରରେ ଆଜିର ଦିନଟି ‘ଆନ୍ତର୍ଜାତୀୟ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦିବସ’ ଓ ‘ଆନ୍ତର୍ଜାତୀୟ ଆଲୋକ ଦିବସ’ ଭାବେ ପାଳିତ ହେଉଛି।ବିଶ୍ୱରେ ସଂହତି,ସହନଶୀଳତା, ସମାବେଶିତା ଏବଂ ଶାନ୍ତି ବଜାୟ ରଖିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହା ପାଳିତ ହୁଏ।ଏହା ଜାତି,ଧର୍ମ,ଭାଷା ନିର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ମତଭେଦକୁ ଗ୍ରହଣ କରି ଏକଜୁଟ ହୋଇ ବଞ୍ଚିବାର ବାର୍ତ୍ତା ପ୍ରଦାନ କରେ।
ବିଜ୍ଞାନ,ସଂସ୍କୃତି,କଳା,ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ଆଲୋକ ଏବଂ ଆଲୋକ ଭିତ୍ତିକ ପ୍ରଯୁକ୍ତିବିଦ୍ୟାର ଭୂମିକାକୁ ସମ୍ମାନ ଜଣାଇ ୟୁନେସ୍କୋ ଦ୍ଵାରା ‘ଆନ୍ତର୍ଜାତୀୟ ଆଲୋକ ଦିବସ’ ଆୟୋଜିତ ହୁଏ।୧୯୬୦ ମସିହା ମେ ୧୬ରେ ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ଥିଓଡୋର ମାଇମ୍ୟାନ୍ଙ୍କ ଦ୍ଵାରା ପ୍ରଥମ ସଫଳ ଲେଜର ଅପରେସନର ସ୍ମୃତିରେ ଏହି ଦିନଟି ବଛାଯାଇଛି।୧୯୬୦ ମସିହାରେ ଆଜିର ଦିନରେ ବିଶ୍ୱ ପ୍ରଥମ ସଫଳ ଲେଜର ରଶ୍ମିର ଆବିଷ୍କାର ଦେଖିଥିଲା,ଯାହା ବିଜ୍ଞାନ ଓ ପ୍ରଯୁକ୍ତିର ନୂତନ ଦିଗକୁ ଉନ୍ମୋଚିତ କରିଥିଲାଚିକିତ୍ସା,ସଂଯୋଗ ଓ ଗବେଷଣା କ୍ଷେତ୍ରରେ ଏହାର ପ୍ରଭାବ ଆଜି ମାନବ ଜୀବନକୁ ଆଲୋକିତ କରୁଛି।ଏହି ଦୁଇଟି ଦିବସ ମାନବ ସଭ୍ୟତାକୁ ଏକ ମୌଳିକ ବାର୍ତ୍ତା ଦେଇଥାଏ ଯେ ଘୃଣା ନୁହେଁ,ଆଲୋକ ଓ ଶାନ୍ତି ହିଁ ଉନ୍ନତିର ସତ୍ୟ ପଥ।
ଭାରତୀୟ ଇତିହାସରେ ୧୯୭୫ ମସିହା ମେ ୧୬ ତାରିଖ ଏକ ଗୌରବମୟ ମୁହୂର୍ତ୍ତ ଥିଲା,ଯେତେବେଳେ ସିକିମ ଆନୁଷ୍ଠାନିକ ଭାବେ ଭାରତର ୨୨ତମ ରାଜ୍ୟ ଭାବେ ସାମିଲ ହୋଇ ଏକତାର ନୂତନ ଅଧ୍ୟାୟ ରଚିଥିଲା।ଜାତୀୟ ପରିପ୍ରେକ୍ଷୀରେ ଆଜି ‘ଜାତୀୟ ଡେଙ୍ଗୁ ଦିବସ’ ଭାବେ ପାଳିତ ହୋଇ ଜନସ୍ୱାସ୍ଥ୍ୟ ପ୍ରତି ସଚେତନତାର ଅନୁପ୍ରେରଣା ଦେଇଥାଏ। ଭାରତରେ ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ମୌସୁମୀ ପ୍ରାରମ୍ଭରେ ମଶା ବଂଶ ବୃଦ୍ଧି ରୋକିବା,ପରିବେଶ ସଫା ରଖିବା ଏବଂ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାରୀ ଓ ସାମାଜିକ ସ୍ତରରେ ବିଭିନ୍ନ ଅଭିଯାନ ଚଳାଇବା ହେଉଛି ଏହାର ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ।
ଓଡ଼ିଶାର ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଆଜିର ଦିନ ସ୍ମରଣୀୟ।୧୯୪୫ ମସିହା ମେ ୧୬ରେ ଓଡ଼ିଆ ଭାଷାର ପ୍ରଥମ ପୂର୍ଣ୍ଣାଙ୍ଗ ଅଭିଧାନ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ପ୍ରଣେତା, ବିଶିଷ୍ଟ ବିଦ୍ୱାନ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ତିରୋଧାନ ଏହି ଦିନରେ ଘଟିଥିଲା।ତାଙ୍କ ସ୍ମୃତି ଆମ ଭାଷା ପ୍ରୀତିକୁ ସଦା ଜାଗ୍ରତ ରଖେ।
କାଳର ଏହି ପ୍ରବାହରେ ଜନ୍ମ,ମୃତ୍ୟୁ ଏବଂ ଐତିହାସିକ ଘଟଣାବଳୀ ଆମକୁ ଅତୀତର ମୂଲ୍ୟବୋଧ ଏବଂ ଭବିଷ୍ୟତର କର୍ତ୍ତବ୍ୟ ବିଷୟରେ ଚେତାଇ ଦିଏ।ଆଲୋକ ଏବଂ ଶାନ୍ତିର ଏହି ବାର୍ତ୍ତାକୁ ପାଥେୟ କରି ଆମକୁ ଏକ ସୁନ୍ଦର ସମାଜ ଗଠନ ଦିଗରେ ଆଗେଇବାକୁ ହେବ।ଆଲୋକ ଜ୍ଞାନର ପ୍ରତୀକ,ଶାନ୍ତି ମାନବତାର ଆଧାର।ତେଣୁ ଆସନ୍ତୁ,ଆମେ ସମସ୍ତେ ବିଶ୍ୱରେ ଯୁଦ୍ଧର ଅବସାନ ଘଟାଇ,ସହନଶୀଳତା,ସଚେତନତାରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମାଧ୍ଯମରେ ଏକ ସୁନ୍ଦର ବିଶ୍ୱର ସ୍ୱପ୍ନକୁ ସାକାର କରିବା ପାଇଁ ବଜ୍ର ଶପଥ ନେବା।
ଡ଼ା. ଦେବୀ ପ୍ରସାଦ ମିଶ୍ର,
✉️ debisirscience@gmail.com
/ debiprasadmishra085@gmail.com

