ନବରଙ୍ଗପୁରରେ ଉତ୍ସାହ ଏବଂ ଦେଶପ୍ରେମର ସହିତ ପାଳିତ ହେଲା ଜିଲ୍ଲା ସ୍ତରୀୟ “ହର ଘର ତ୍ରିରଙ୍ଗା” ଏବଂ “ବନ୍ଦେ ମାତରଂ” କାର୍ଯ୍ୟକ୍ରମ
ପ୍ରାୟ ୫୦୦୦ ଲୋକଙ୍କ ସମାବେଶରେ ଏକ ଜିଲ୍ଲାସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ନବରଙ୍ଗପୁର:(ତା ୧୦.୮.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ସହରରେ ‘ହର ଘର ତ୍ରିରଙ୍ଗା’ ଏବଂ ‘ବନ୍ଦେ ମାତରଂ ‘ ର ୧୫୦ ବର୍ଷ ପୂର୍ତି’ ଅବସରରେ ଏକ ଭବ୍ୟ ଏବଂ ଆକର୍ଷଣୀୟ ଜିଲ୍ଲାସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ୭:୩୦ ଘଂଟା ସମୟରେ ନବରଙ୍ଗପୁର ପୌରପାଳିକା ନିକଟସ୍ତ ଡଃ ସଦାଶିବ ପାର୍କଠାରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ପ୍ରଥମେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସଦାଶିବ ତ୍ରିପାଠୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ମାନ୍ୟବର ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରକ୍ତ ଜିଲ୍ଲାପାଳ( ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ଵିଶିଷ୍ଟ ନାଗରିକ ତଥା ସମାଜସେବୀ କୁଞ୍ଜ ବିହାରୀ ଦାଶଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଶିକ୍ଷକ, ଶିକ୍ଷୟତ୍ରୀ,ଏନ୍ ସି ସି କ୍ୟାଡେଟ୍, ରେଡକ୍ରସ, ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ଜନ ପ୍ରତିନିଧି, ଅଙ୍ଗନବାଡି କର୍ମୀ,ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟା,ସାଧାରଣ ଜନତା ଏଭଳି ୫,୦୦୦ରୁ ଉର୍ଦ୍ଧ୍ୱ ଯୋଗଦେଇ ଥିଲେ।ପାର୍କ ସମ୍ମୁଖସ୍ଥ ମଞ୍ଚ ରେ ସମବେତ ଭାବେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବା ପରେ ଏକ ବିରାଟ ୩୦୦ ମିଟର ଦୀର୍ଘ ତ୍ରିରଙ୍ଗା ପତାକା ସହ ଛାତ୍ର ଛାତ୍ରୀ ଜାତୀୟ ପତାକା ଧରି ବୃହତ୍ ଶୋଭାଯାତ୍ରା ବାହାରିଥିଲେ ଏବଂ ଦେଶାତ୍ମବୋଧ ସଙ୍ଗୀତ ର ତାଳେ ତାଳେ ଏହି ରାଲି ସହରର ବିଭିନ୍ନ ମୁଖ୍ୟ ରାସ୍ତା ଦେଇ ଗତି କରିବା ସହ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି କୁ ସମ୍ମାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା। ଶୋଭାଯାତ୍ରା ପଥରେ ଦେଶାତ୍ମବୋଧକ ସଙ୍ଗୀତ ଏବଂ ‘ବନ୍ଦେ ମାତରମ୍’ ଧ୍ୱନିରେ ସମଗ୍ର ପରିବେଶ ଜାତୀୟ ଭାବନା ରେ ଉଲ୍ଲସିତ ହୋଇଥିଲା। ଏହି ଅବସରରେ ୧୦ ଟି ବ୍ଲକରେ ଅନୁଷ୍ଠିତ ହାଇସ୍କୁଲ ସ୍ତର କୁଇଜ୍ ପ୍ରତିଯୋଗିତାରେ ଉତ୍ତୀର୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ସାର୍ଟିଫିକେଟ ଏବଂ ଟ୍ରଫି ପ୍ରଦାନ କରି ପୁରଷ୍କୃତ କରିଥିଲେ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆଗାମୀ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଅଂଶଗ୍ରହଣ କରିବାକୁ ଥିବା ପ୍ରାୟ ୧୫ଟି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଚୟନ ପରୀକ୍ଷା (ସ୍କ୍ରୁଟିନି) ଅନୁଷ୍ଠିତ ହୋଇଥିଲା। ସେହିପରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଅଧିକାରୀଙ୍କ ସହଯୋଗରେ ଏକ ଆକର୍ଷଣୀୟ ତ୍ରିରଙ୍ଗା ରଙ୍ଗୋଲି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରଥମ ତିନିଜଣ ପ୍ରତିଯୋଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପୁରଷ୍କୃତ କରିଥିଲେ ।ପରେ ଜିଲ୍ଲା ସାଂସ୍କୃତିକ ପରିଷଦର ସଙ୍ଗୀତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମନୋଜ୍ଞ ତ୍ରିରଙ୍ଗା ମ୍ୟୁଜିକାଲ କନସର୍ଟ ପରିବେଷଣ କରାଯାଇଥିଲା। ସଙ୍ଗୀତ ଗୁରୁ ଯୁଗଳ କିଶୋର ତ୍ରିପାଠୀ, ଏବଂ ବାଦ୍ୟଯନ୍ତ୍ରୀ ତଥା ତବଲା ଆର୍ଟିଷ୍ଟ ଆନନ୍ଦ କୁମାର ଦାଶ ଏବଂ ଅନ୍ୟାନ୍ୟ ସହଯୋଗୀ କଳାକାରମାନଙ୍କ ଉପସ୍ଥିତିରେ ପରିବେଷିତ ଏହି ଦେଶାତ୍ମବୋଧକ ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ପାର୍କ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନଙ୍କ ପ୍ରତ୍ୟକ୍ଷ ଆୟୋଜନ ଏବଂ ବିଭାଗ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇଥିଲା।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

