ବଡ଼ବିଲରେ ଯୋଡ଼ା ଖଣି ଅଧିକାରୀଙ୍କ ରାତିଅଧିଆ ଚଢ଼ାଉ ୩ ଟ୍ରକ୍ ଜବତ, ଖଣିଜ ପରିବହନ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ଟ୍ରାନ୍ଜିଟ୍ ପାସ୍ରେ ଅନିୟମିତତା, ନିର୍ଦ୍ଧାରିତ ରାସ୍ତା ଛାଡ଼ି ଝାଡ଼ଖଣ୍ଡ ମୁହାଁରେ ଗାଡି
ଯୋଡ଼ା୧୧|୧୧|୨୬: କେନ୍ଦୁଝର ଜିଲ୍ଲାର ଖଣିଜ ସମ୍ପଦ ସମୃଦ୍ଧ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବଡ଼ବିଲ ଅଞ୍ଚଳରେ ଯୋଡ଼ା ଖଣି ଅଧିକାରୀଙ୍କ ପକ୍ଷରୁ ରାତିଅଧିଆ ଚଢ଼ାଉ କରାଯାଇଛି। ଖଣିଜ ପରିବହନ ସମୟରେ ଟ୍ରାନ୍ଜିଟ୍ ପାସ୍ରେ ଉଲ୍ଲେଖିତ ତଥ୍ୟ ଓ ଗାଡ଼ିର ବାସ୍ତବ ଗତିପଥ ମଧ୍ୟରେ ଅସଙ୍ଗତି ଏବଂ ନିର୍ଦ୍ଧାରିତ ପରିବହନ ମାର୍ଗର ଉଲ୍ଲଂଘନ ଅଭିଯୋଗରେ ତିନୋଟି ଟ୍ରକ୍କୁ ଜବତ କରାଯାଇଛି। ବିଳମ୍ବିତ ରାତିରେ ହୋଇଥିବା ଏହି ଅଚାନକ ଯାଞ୍ଚ ଖଣିଜ ପରିବହନ କ୍ଷେତ୍ରରେ ଚାଲିଥିବା ସମ୍ଭାବ୍ୟ ଅନିୟମିତତାକୁ ପଦାରେ ପକାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ଝାଡ଼ଖଣ୍ଡ ପଟୁ ଦ୍ରୁତଗତିରେ ଆସୁଥିବା ଓଡ଼ି-୦୯-ଜେଡ୍-୮୦୦୨ ଓ ଓଡ଼ି-୦୯-ଜେଡ୍-୮୦୦୩ ନମ୍ବର ବିଶିଷ୍ଟ ଦୁଇଟି ଟ୍ରକ୍କୁ ଖଣି ଅଧିକାରୀ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉଭୟ ଗାଡ଼ିର ଚାଳକ ଟ୍ରାନ୍ଜିଟ୍ ପାସ୍ ଉପସ୍ଥାପନ କରିଥିଲେ। ଉକ୍ତ ପାସ୍ରେ ଗୀତାରାଣୀ ମହାନ୍ତି ଖଣିରୁ ଶ୍ରୀ ଜଗନ୍ନାଥ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍କୁ ଖଣିଜ ପଦାର୍ଥ ପରିବହନ ହେଉଥିବା ଉଲ୍ଲେଖ ରହିଥିଲା। ମାତ୍ର ଟ୍ରାନ୍ଜିଟ୍ ପାସ୍ରେ ଦର୍ଶାଯାଇଥିବା ପରିବହନ ଦିଗ ସହ ଗାଡ଼ି ଦୁଇଟିର ବାସ୍ତବ ଗତିପଥର କୌଣସି ସାମଞ୍ଜସ୍ୟ ନଥିବା ଯାଞ୍ଚରୁ ଜଣାପଡ଼ିଥିଲା। ଏହି ଗୁରୁତର ଅସଙ୍ଗତିକୁ ଦୃଷ୍ଟିରେ ରଖି ଉଭୟ ଟ୍ରକ୍କୁ ଜବତ କରାଯାଇଥିଲା।
ସେହିପରି ରାତି ପ୍ରାୟ ୨ଟା ସମୟରେ ନାଲଦା ଅଭିମୁଖେ ଯାଉଥିବା ଓଡ଼ି-୧୫-ଟି-୩୦୩୫ ନମ୍ବର ବିଶିଷ୍ଟ ଅନ୍ୟ ଏକ ଗାଡ଼ିକୁ ମଧ୍ୟ ଅଟକାଇ ଯାଞ୍ଚ କରାଯାଇଥିଲା। ନିୟମ ଅନୁଯାୟୀ ଉକ୍ତ ଗାଡ଼ିଟି ଚମ୍ପୁଆ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବାର ଥିଲା। କିନ୍ତୁ ନିର୍ଦ୍ଧାରିତ ମାର୍ଗକୁ ଅନୁସରଣ ନକରି ଗାଡ଼ିଟି ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ଜଣାପଡ଼ିଥିଲା। ଏହାକୁ ପରିବହନ ନିୟମର ଉଲ୍ଲଂଘନ ଭାବେ ଗ୍ରହଣ କରି ଖଣି ଅଧିକାରୀ ଉକ୍ତ ଗାଡ଼ିଟିକୁ ମଧ୍ୟ ଜବତ କରିଥିଲେ।
ଖଣିଜ ସମ୍ପଦର ପରିବହନ କ୍ଷେତ୍ରରେ ଟ୍ରାନ୍ଜିଟ୍ ପାସ୍ର ସଠିକତା, ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଏବଂ ଅନୁମୋଦିତ ପରିବହନ ମାର୍ଗର ଅନୁପାଳନ ଅତ୍ୟନ୍ତ ଜରୁରୀ। ଏହାର ଉଲ୍ଲଂଘନ ଦ୍ୱାରା ଖଣିଜ ପରିବହନ ବ୍ୟବସ୍ଥାରେ ଅନିୟମିତତା ସହ ସରକାରୀ ରାଜସ୍ୱ କ୍ଷତିର ଆଶଙ୍କା ରହିଥାଏ। ତେଣୁ ଖଣିଜ ପରିବହନ ଉପରେ ନିୟମିତ ତଦାରଖ, ଯାନବାହନର ଗତିପଥ ଯାଞ୍ଚ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ ଉପରେ ଏହି ଚଢ଼ାଉ ଗୁରୁତ୍ୱ ଆରୋପ କରିଛି। ଖଣି ବିଭାଗର ଏଭଳି ଅଚାନକ ଯାଞ୍ଚ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବା ଆବଶ୍ୟକ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।
ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍

